ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏଫଆଇଆର

0 8

ମୁମ୍ବାଇ: ନିଜର ତୁଣ୍ଡ ପାଇଁ ଦଣ୍ଡ ଭୋଗୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିଛି। ସୋଶାଲ ମିଡିଆ ପୋଷ୍ଟ ଦ୍ୱାରା ଶିଖ ସଂପ୍ରଦାୟର ଲୋକଙ୍କ ଭାବାବେଗଙ୍କୁ ଆଘାତ ଦେଇଥିବା କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି। ଏସବୁ ଭିତରେ ବିବାଦୀୟ ପୋଷ୍ଟ ପାଇଁ ମୁମ୍ବାଇ ପୁଲିସ୍‌ କଙ୍ଗନାଙ୍କ ନାଁରେ ଆଜି ଏଫଆଇଆର ରୁଜୁ କରିଛି। ପ୍ରଥମେ ଅମରଜିତ ସିଂହ ସାନ୍ଧୁ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ମୁମ୍ବାଇର ଖାର ପୁଲିସ୍‌ ଷ୍ଟେସନରେ ଏଫଆଇଆର କରାଯାଇଛି। ୨୯୫ଏ ସେକସନ ଅନୁଯାୟୀ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ନଭେମ୍ବର ୨୦ରେ କଙ୍ଗନା ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ସମସ୍ତ ଶିଖ ସଂପ୍ରଦାୟର ଲୋକଙ୍କୁ ‘ଖଲିସ୍ତାନୀ ଆତଙ୍କବାଦୀ’ ଭାବେ ଅବତାରଣା କରିଥିଲେ। ଏଥିସହ ସେମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଶାଙ୍କ ଭଳି ନିଜ ଜୋତାରେ ଦଳି ଦେଇଥିଲେ ବୋଲି କଙ୍ଗନା କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିବାର ଦିନକ ପରେ କଙ୍ଗନା ଇନଷ୍ଟାଗ୍ରାମରେ ଏପରି ପୋଷ୍ଟ କରିଥିଲେ। ଏହାକୁ ନେଇ ବେଶ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ରବିବାର ଏହାକୁ ନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟିର ସଭାପତି ମଜିନ୍ଦର ସିଂହ ସର୍ସା ଗୋଟିଏ ପ୍ରତିନିଧି ମଣ୍ଡଳ ସହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲଙ୍କୁ ଭେଟିଥିଲେ।
ଏହି ସମୟରେ ସେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। କଙ୍ଗନା ଜାଣିଶୁଣି ଚାଷୀ ଆନ୍ଦୋଳନକୁ ଖଲିସ୍ତାନ ସହ ଯୋଡ଼ିବାକୁ ଚାହୁଁଥିବା ଶ୍ରୀ ସିର୍ସା କହିଥିଲେ। ଏଥିସହ କମିଟି ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖାଇ ଯାଇ କଙ୍ଗନାଙ୍କ ଠାରୁ ପଦ୍ମ ପୁରସ୍କାର ଫେରାଇ ଆଣିବାକୁ ମଧ୍ୟ କୁହାଯାଇଛି। ଖାଲି ସେତିକି ନୁହେଁ, ସୋମବାର ଶିଖ ସଂପ୍ରଦାୟର ଲୋକମାନେ ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.