ଅଭିଯୁକ୍ତଙ୍କୁ ଗିରଫ ଓ ପୀଡ଼ିତଙ୍କୁ ଥଇଥାନ କରାନଗଲେ ଆମରଣ ଅନଶନ ଚେତାବନୀ

0 5

ଭଦ୍ରକ : ଜଣେ ଭିନ୍ନକ୍ଷମ ଯୁବକଙ୍କ ଗୁମୁଟିକୁ ଭାଙ୍ଗିବା ସହ ରାତାରାତି ଗାଏବ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଉକ୍ତ ଭିନ୍ନକ୍ଷମ ଯୁବକଙ୍କ ପରିବାର ପ୍ରତି ବିପଦ ଥିବାରୁ, ସେମାନଙ୍କୁ ସୁରକ୍ଷା ଯୋଗାଇବା, ଆଗାମୀ ୭ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଯୁବକଙ୍କୁ ଥଇଥାନ କରାନଗଲେ, ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଆଜି ଭଦ୍ରକର ଏକ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି । ମଞ୍ଚର ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ଏହି ଅବସରରେ ଅଭିଯୋଗ କରି କହିଛନ୍ତିଯେ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଭକ୍ତହରି ପରିବାର ଚଳାଇବା ପାଇଁ ଏକ ଗୁମୁଟି ପକାଇଥିଲେ । ଜିଲ୍ଳାପାଳ ଏଥି ନିମିତ୍ତ ତାଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶୀ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ସଂପୃକ୍ତ ଅଞ୍ଚଳର କେତେକ ଯୁବକ ଏହାକୁ ବିରୋଧ କରିବା ସହ ରାତାରାତି ଉକ୍ତ ଗୁମୁଟିକୁ ଗାଏବ କରି ଦେଇଛନ୍ତି । ଏ ସମ୍ପର୍କରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇତିମଧ୍ୟରେ ୩ଦିନ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତମାନଙ୍କ ବିରୋଧରେ ହୋଇ ନାର୍ହି । ଅଭିଯୁକ୍ତମାନେ ଏବେ ଖୋଲା ଖୋଲି ବୁଲିବା ସହ ଶ୍ରୀ ବେହେରାଙ୍କ ପରିବାରକୁ ନିୟମିତ ଭାବେ ଧମକ ଦେଉଛନ୍ତି । ତେବେ ଶ୍ରୀ ସାହୁ କହିଛନ୍ତିଯେ ଭିନ୍ନକ୍ଷମ ଅଧିକାର ଅଧିନିୟମ-୨୦୧୬ ଆଇନ ଅନୁଯାୟୀ ଜିଲ୍ଳାପାଳ ନିଜେ ଜିଲ୍ଲାର ଭିନ୍ନକ୍ଷମ ଆୟୁକ୍ତ । ତେବେ ଭିନ୍ନକ୍ଷମ ଆଇନକୁ କଡକାକଡି ଲାଗୁ ହେଉଛି କି ନାହିଁ, ତାହା ଦେଖିବା ତାଙ୍କ ଦାୟିତ୍ୱ । ତେଣୁ ଏହି ଆଇନକୁ କୁଠାରଘାତ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ନେବାକୁ ସେ ଦାବି କରିଛନ୍ତି । ଯଦି ଆସନ୍ତା ୮ ତାରିଖ ମଧ୍ୟରେ ଉପରୋକ୍ତ ୩ଟି ଦାବି ପୂରଣ ନହୁଏ, ତେବେ ସେମାନେ ଆମରଣ ଅନଶନ କରିବାକୁ ଚେତବାନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୁଣାକର ସାହୁ, ଯଦୁମଣୀ ଦାଶ, ଅମୂଲ୍ୟ ମହାଳିକ, ମନୋରଂଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ନାୟକ ଓ ପିଡ଼ିତ ଯୁବକ ଭକ୍ତହରି ଉପସ୍ଥିତ ଥିଲେ ।

ଭଦ୍ରକ ଇପିଏ ରୁ ପ୍ରମୋଦ ନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.