ଆତ୍ମସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

0 10

ଖୋର୍ଦ୍ଧା : ଆତ୍ମସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଜାମିନ ଆମେଦନ ଖାରଜ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ଆରପଟେ କୋର୍ଟ ପରିସର ମଧ୍ୟରେ ସାଦା ପୋଷାକଧାରୀ ପୁଲିସ ଓ କୋର୍ଟ ଚାରିପଟେ ଗୋଧେ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଏପରିକି ଜାମିନ ମିଳିବ ଓ ଏହାପରେ ସ୍ୱାଗତ କରିନେବେ ବୋଲି କୋର୍ଟ ନିକଟରେ ଥିବା ପୂର୍ତ ବିଭାଗ ଡାକବଙ୍ଗଳାରେ ଫୁଲମାଳ, ବାଣ ଆଦି ଧରି ଦଳର କେତେକ ନେତା ଓ ପ୍ରାୟ ହଜାରେ ସରିକି ସମର୍ଥକ ଅପେକ୍ଷା କରିଥିଲେ । ଦୀର୍ଘ ୧୦ ଘଣ୍ଟା ପରେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କୋର୍ଟ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇଦେଇଛନ୍ତି ।ସୂଚନା ମୁତାବକ, ଦୀର୍ଘ ୧ ମାସର ଛକାପଞ୍ଝା ପରେ ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ଓକିଲଙ୍କ ସହ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମ ସମର୍ପଣ ପାଇଁ ଆସିଥିଲେ । ଏହାପରେ ଅଭିଯୋଗକାରୀ ତଥା ବିଜେପିର ବାଲୁଗାଁ ନଗରମଣ୍ଡଳ ସଭାପତି ନିରଂଜନ ସେଠୀ ଓ ତାଙ୍କ ଓକିଲ ମଧ୍ୟ ଆସି ପହଞ୍ଚିଥିଲେ । କୋର୍ଟ ସମ୍ମୁଖରେ ଉଭୟ ପକ୍ଷ ନିଜ ନିଜର ଆବେଦନ ଓ ଯୁକ୍ତି ସହ ପ୍ରମାଣ ରଖିଥିଲେ । ଅଭିଯୋଗକାରୀଙ୍କ ଓକିଲ ପକ୍ଷରୁ ବିଧାୟକଙ୍କ ପୂର୍ବ ଅପରାଧିକ ଘଟଣାବଳିର ତାଲିକା ମଧ୍ୟ ଦିଆଯାଇଥିଲା । ଅପରପକ୍ଷରେ, ବିଧାୟକଙ୍କ ଓକିଲ ପକ୍ଷରୁ ତାଙ୍କର ଯୁକ୍ତି ଉପସ୍ଥାପିତ କରାଯିବା ସହ ତାଙ୍କ ମୁଦଲା ଜଣେ ନ୍ୟୁରୋକାର୍ଡିଓଲୋଜି ରୋଗୀ ଓ ସେ ଏଥିପାଇଁ ଚିକିତ୍ସିତ ହେଉଛନ୍ତି। ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଥିଲେ । ତେବେ ଏକ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଜଡ଼ିତ ମାମଲା ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ସେମାନଙ୍କ ପାଇଁ ନିର୍ଦ୍ଧାରିତ ସ୍ୱତନ୍ତ୍ର କୋର୍ଟରେ ବିଚାର ବଦଳରେ ଏଠାରେ ବିଚାର କରିବା ଆଇନସମ୍ମତ କି ନୁହେଁ ସେନେଇ ଦୀର୍ଘ ସମୟ ଧରି ତର୍ଜମା ଚାଲିଥିଲା । ପ୍ରଥମ ଚରଣରେ ଜଣାଯାଉଥିଲା ଯେ, ବିଧାୟକଙ୍କୁ ଜାମିନ ମିଳିବ। କିନ୍ତୁ ଅପରାହ୍ଣ ପ୍ରାୟ ସାଢ଼େ ୬ଟା ବେଳେ କୋର୍ଟ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତାଙ୍କୁ ଗିରଫ କରି ଜେଲ ହାଜତକୁ ନେଇଯାଇଥିଲେ ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.