ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି

0 4

ବ୍ରହ୍ମପୁର : ସ୍ଥାନୀୟ ଏନଜିଓ ହଲ୍ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଗଠନ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ସଂଘର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପରିଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ୨୨ଟି ବ୍ଳକରେ ଥିବା ଆଦର୍ଶ ବିଦ୍ୟାଳୟର କର୍ମଚାରୀ ଯୋଗ ଦେଇଥିଲେ । ଆଉଟସୋରସିଂ ବ୍ୟବସ୍ଥାରେ କାର୍ଯ୍ୟରତ ଏହି କର୍ମଚାରୀମାନେ ଅତ୍ୟନ୍ତ ଦୟନୀୟ ଓ ଅପମାନଜନକ ସ୍ଥିତିରେ କାମ କରୁଛନ୍ତି । ବଜାର ଦର ଅନୁଯାୟୀ ଅଥବା ସର୍ବନିମ୍ନ ମଜୁରୀ ହିସାବରେ ଦରମା ବଢାଯାଉନି । ନିଯୁକ୍ତିଦାତା ଏଜେନ୍ସୀ ମାନେ ନିୟମିତ ଭାବେ ଇପିଏଫ୍ ଏବଂ ଇଏସଆଇ ଦେୟ ଦାଖଲ କରାଯାଉନାହିଁ । ଦରମାର ୧୮% ଜିଏସଟି ବାବଦରେ ସରକାର କାଟି ନେଉଛନ୍ତି । ଏଜେନ୍ସି ବଦଳିଗଲେ ପୁରୁଣା କର୍ମଚାରୀଙ୍କୁ ନୂଆ ଏଜେନ୍ସି ନେବାର କୌଣସି ଗ୍ୟାରେଣ୍ଟି ରହୁନାହିଁ । ଯେଉଁ ମହିଳା କର୍ମଚାରୀମାନେ ମାତୃତ୍ଵ ଛୁଟିରେ ଯାଉଛନ୍ତି, ସେମାନଙ୍କ ଚାକିରି ଚାଲିଯାଉଛି । ସରକାରୀ ଅର୍ଥରେ ଓ ସରକାରଙ୍କ ଅଧିନରେ କାମ କରୁଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କ ପରି ସୁବିଧା ସୁଯୋଗ ମିଳୁନାହିଁ । ବିଦ୍ୟାଳୟର ସଫାସୁତୁରା ପାଇଁ ସ୍ଵତନ୍ତ୍ର ସଫେଇ କର୍ମଚାରୀ ନିଯୁକ୍ତ ନଥିବାରୁ ବର୍ତ୍ତମାନ ଥିବା କର୍ମଚାରୀଙ୍କୁ କାମର ବୋଝ ଲଦାଯାଉଛି ।
ସମାବେଶରେ ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ଉପଦେଷ୍ଟା ତଥା ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ନିଜର ଅଧିକାର ପାଇଁ ତଥା ଚାକିରୀର ସ୍ଥାୟୀତ୍ଵ ଏବଂ ଆତ୍ମସମ୍ମାନ ପାଇଁ ଏକତାବଦ୍ଧ ସଂଗ୍ରାମ କରିବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସାଇଶ୍ଵରୀ ବେହେରା, ଜିତେନ୍ଦ୍ର କୁମାର ସ୍ଵାଇଁ, ପ୍ରଭାତୀ ପାତ୍ର, ଗଣେଶ ସାହୁ, କୃଷ୍ଣ ମଲ୍ଲିକ, ସୁଦେଷ୍ଣା ବେହେରା, ନାରାୟଣ ବିଷୋୟୀ, ପବିତ୍ର ପରିଡା, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ କର୍ମଚାରୀ ଯୋଗ ଦେଇ ନିଜ ନିଜର ମତପ୍ରକାଶ କରିଥିଲେ । ରାଜ୍ୟରେ ଅତ୍ୟନ୍ତ ଦୟନୀୟ ଓ ଅପମାନଜନକ ସ୍ଥିତିରେ କାର୍ଯ୍ୟରତ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଆଉଟସୋରସିଂ କର୍ମଚାରୀଙ୍କ ଦାବି ନେଇ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବାକୁ ସ୍ଥିର ହୋଇଥିଲା। ଶେଷରେ ସାଇଶ୍ଵରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.