ଆନ୍ଧ୍ର ସରକାର ର ଲୋଲୁପ ଦୃଷ୍ଟି ପାଇଁ ଦାୟୀ କିଏ ?

0 131

ଆନ୍ଧ୍ରର ସୀମାନ୍ତକୁ ଲାଗି ରହିଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତରେ ସରକାର ଜନସାଧାରଣଙ୍କ ଅଧିକାଂଶ ମୌଳିକ ସମସ୍ୟା ସମାଧାନ କରିବାରେ ଅବହେଳା କରାଯାଇଛି ।ଯାହାଫଳରେ କି ସେମାନେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।ସେହି କାରଣରୁ ଆନ୍ଧ୍ର ସରକାର ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗ୍ରାମ ଉପରେ ଲୋଲୁପ ଦୃଷ୍ଟି ପକାଉଛି ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ ଅଭିଯୋଗ କରିଛନ୍ତି । ତାର ନଗ୍ନ ଉଦାହରଣ ମାଣିକପାଟଣା ଗ୍ରାମ ଓଡିଶାର ହୋଇଥିବା ବେଳେ ଆନ୍ଧ୍ର କଳ,ବଳ ଓ କୌଶଳ ପ୍ରୟୋଗ କରି ନିଜର ବୋଲି ସାବ୍ୟସ୍ତ କରିବାକୁ ବାରମ୍ବାର ଚେଷ୍ଠା କରୁଛି । ମାଣିକପାଟଣା ଗ୍ରାମରେ ଆନ୍ଧ୍ର ତରଫରୁ ବେଆଇନ ଭାବେ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଥିଲା । ଚଳିତ ମାସ ୫ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ମାଣିକପାଟଣାରେ ବେଆଇନ ଭାବେ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ରକୁ ରାୟଗଡ ତହସିଲଦାର ଉପସ୍ଥିତିରେ ସିଲ୍ କରାଯାଇଥିଲା ।ଉକ୍ତ କେନ୍ଦ୍ରକୁ ପରିଚାଳନାରେ ସହଯୋଗ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିଥିଲେ । ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗାରାବନ୍ଧ ଥାନା ପୋଲିସ ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା । ୭ତରିଖରେ ମାଣିକପାଟଣାରେ ଆନ୍ଧ୍ର ଦ୍ୱାରା ନିର୍ମିତ ହୋଇଥିବା ଘଟଣାକୁ ଗଜପତି ଜିଲ୍ଲା ଓ ଆନ୍ଧ୍ରର ଶ୍ରୀକାକୁଲମ ପ୍ରଶାସନର ଅଧିକାରୀଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକ ଶେଷ ହେବା ପରେ ଉଭୟପକ୍ଷ ସକରାତ୍ମକ ଆଲୋଚନା କରାଯାଇଛି । ଓଡିଶା ଓ ଅନ୍ଧ୍ର ମଧ୍ୟରେ ଯେଉଁ ସୀମା ବିବାଦ ଦେଖାଦେଇଛି ଉଭୟପକ୍ଷ ଉପସ୍ଥିତିରେ ମାପଚୁପ କରିବାକୁ କେନ୍ଦ୍ର ସରକାରଙ୍କ ସେଟଲମେଣ୍ଟ କାର୍ଯ୍ୟାଳୟକୁ ପତ୍ର ଲେଖାଯାଇଛି ବୋଲି ପ୍ରଶାସନିକ ଅଧିକାରୀ ମାନେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ । କିନ୍ତୁ ୯ତାରିଖରେ ଆନ୍ଧ୍ର ସରକାରଙ୍କ ମତ୍ସ୍ଯ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଏସ ଆପଲ ରାଜୁ ନିଜର ଦଳବଳ ଓ ପୋଲିସ ଧରି ମାଣିକପାଟଣା ଗ୍ରାମରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ର ଖୋଲି ପୁନର୍ବାର କାର୍ଯ୍ୟକ୍ଷମ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଣିକପାଟଣା ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଆନ୍ଧ୍ର ସରକାରଙ୍କ ମତ୍ସ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଏସ ଆପଲ ରାଜୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ଧମକଚମକ ଦେବା ସେଠାରେ ଓଡିଶାର ଥିବା ମାଣିକପାଟଣା ତାଙ୍କ ରାଜ୍ୟର ବୋଲି କହିବା ସହ କାହିଁକି ଏଠାକୁ ଆସିଛି ବୋଲି ପ୍ରଶ୍ନ କରିବା ସନ୍ତାଙ୍କ ପୋଲିସ ଅଧିକାରୀଙ୍କୁ ଜେଲରେ ଭର୍ତ୍ତିକର ବୋଲି କହିଥିଲେ । ଉକ୍ତ ଘଟଣା ପରଠୁ ଆନ୍ଧ୍ର ପୋଲିସ ଫୋର୍ସ ମାଣିକପାଟଣା ଗ୍ରାମରେ ଉପସ୍ଥିତ ରହିଛି । ସାଧା ପୋଷାକଧାରୀ ମାନେ ମାଣିକପାଟଣା ଗ୍ରାମକୁ ଓଡିଶାର ବୋଲି କହୁଥିବା ଲୋକଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକଚମକ ଦେଉଛନ୍ତି ବୋଲି ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ନେତୃତ୍ୱରେ ଆସିଥିବା ଗଙ୍ଗାବାଡ ପଞ୍ଚାୟତବାସୀଙ୍କ ତରଫରୁ ୯ଦଫା ସମ୍ବଳିତ ଏକ ଦାବୀପତ୍ର ଗଜପତି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯଆଇଥିଲା । ଉକ୍ତ ଦାବୀପତ୍ରରେ ଉଭୟ ଆନ୍ଧ୍ର ଓ ଓଡିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ୁଉପସ୍ଥିତିରେ ସୀମା ବିବାଦ ସମସ୍ୟାର ସ୍ଥାୟୀ ସମାଧାନ କରିବା, କଇଁପୁର-ଗଙ୍ଗାବାଡ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବା, ଗଙ୍ଗାବାଡ ପଞ୍ଚାୟତରେ ଏକ ମୋବାଇଲ ନେଟୱାର୍କ ସ୍ଥାପନ କରିବା, ଗଙ୍ଗାବାଡ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି କରିବା, ୧୦୦ଶଯ୍ୟା ବିଶିଷ୍ଟ ବାଳିକା ଆବାସିକ ବିଦ୍ୟାଳୟ ନିର୍ମାଣ କରିବା, ସେଠାରେ ଥିବା ଉଚ୍ଚବିଦ୍ୟାଳୟରେ ଥିବା ୪୦ ଶଯ୍ୟା ଆସନ ବିଶିଷ୍ଟ ଛାତ୍ରାବାସକୁ ୧୦୦କୁ ବୃଦ୍ଧି କରିବା,ଗଙ୍ଗାବାଡ ଓ କେରାଣ୍ଡି ପଞ୍ଚାୟତ ନିମନ୍ତେ ଚମ୍ପାପୁର ଠାରେ ଏକ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ନିର୍ମାଣ କରିବା, ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଲଘୁ ବନଜାତ ଦ୍ରବ୍ୟକୁ କ୍ରୟ କରିବା ନିମନ୍ତେ ବ୍ୟବସ୍ଥା କରିବା ଏବଂ ଓଡିଶାରେ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ତରଫରୁ ବେଆଇନ ଭାବେ ନିର୍ମାଣ କରିଥିବା ଅଙ୍ଗନଓା୍ୱଡି କେନ୍ଦ୍ର ନିକଟରେ ସାଧା ପୋଷାକଧାରୀ ପୋଲିସକୁ ସେଠାକାର ମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ନିୟୋଜିତ ହୋଇଛନ୍ତି । ଓଡିଶାର ଯେକୌଣସି ବ୍ୟକ୍ତି, ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ବିରୋଧରେ ସ୍ୱର ଉତ୍ତୋଳନ କଲେ ସେଠାରେ ସାଧ ପୋଷାକରେ ନିୟୋଜିତ ପୋଲିସ କର୍ମଚାରୀ ମାନେ ମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଗୁଳି କରିବାକୁ ଧମକ ଦେଉଛନ୍ତି, ଯାହାଫଳରେ କି ସ୍ଥାନୀୟ ବାସିନ୍ଦା ତଥା ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଓଡିଶାବାସୀ ଭୟରେ ଜୀବନଯାପନ କରୁଛନ୍ତି ବୋଲି ଉଲ୍ଲେଖ ରହିଛି । ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ କୌଣସି ପଦ କ୍ଷେପ ଗ୍ରହଣ ନକନ୍ତି ତାହାହେେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଅଧିକାର ନିମନ୍ତେ ସ୍ୱର ଉତ୍ତୋଳନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟହେବୁ ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ ଚେତାବନୀ ଦେଇଛନ୍ତି ।ଦାବୀପତ୍ର ପ୍ରଦାନ ବେଳେ ଗଙ୍ଗାବାଡ ପଞ୍ଚାୟତର ବହୁ ବାସିନ୍ଦା ଉପସ୍ଥିତ ଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.