ଆସୁଚେ ନୁଆଁଖାଇ, ହେଲେ ଚାଷୀର ମନ ସୁଖ ନାଇଁ..

0 15

ଆଉ ମାତ୍ର ଦୁଇଦିନ ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ l ଏଥିପାଇଁ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସବୁଠି ବେଶ ଚଲଚଞ୍ଚଳ l ଦୂରରେ ଥିବା ପରିବାର ଲୋକେ ମଧ୍ୟ ନିଜ ଜନ୍ମମାଟିକୁ ନୁଆଁଖାଇ ପାଇଁ ଆସିବାକୁ ବେଶ ବ୍ୟାକୁଳ ହେଲେଣି l କିଏ ଗାଁ କୁ ଆସିବା ପାଇଁ ଟ୍ରେନ ଟିକେଟ ପାଇଁ କିଣି ସାରିଥିବା ବେଳେ କିଏ ବସ ଭିଡକୁ ଦୃଷ୍ଟି ରେ ରଖି ଏବେଠୁ ବସ ଟିକଟ ପାଇଁ ଅଗ୍ରିମ ଦେଇ ସାରିଲେଣି l ଏପଟେ ନୁଆଁଖାଇ ପାଇଁ ଗ୍ରାମାଞ୍ଚଳରେ ଘର ଲିପାପୋଛା ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି l ବ୍ୟବସାୟୀ ମାନେ ମଧ୍ୟ ଏଥିପାଇଁ ନିଜ ନିଜ ଦୋକାନରେ ଭଳିକି ଭଳି ପୋଷାକ ମହଜୁଦ କରି ସରିଥିବା ବେଳେ ଫେନସି ଦୋକାନ ବି ଏଥିରୁ ବାଦ ପଡି ନାହିଁ l ଏଥର ନୁଆଁଖାଇ ସମୟରେ ଦୁଇଦିନିଆ ଛୁଟି ଥିବାରୁସରକାରୀ ବାବୁମାନେ ବି ଏବେଠୁ ଗାଁ କୁ ଯିବାକୁ ସଜବାଜ ହୋଇ ସାରିଲେଣି l ହେଲେ ଏଭଳି ପରିସ୍ଥିତି ରେ ଯାହାକୁ ନେଇ ନୁଆଁଖାଇ ପର୍ବ ସେମାନେ କିନ୍ତୁ ଅତ୍ୟନ୍ତ ଦୁଃଖରେ ରହିଛନ୍ତି l ଏହି କୃଷି ଭିତ୍ତିକ ମହାନ ଗଣପର୍ବ ପାଇଁ ବର୍ଷ ର ଯେଉଁ ପ୍ରଥମ ଧାନ କୁ ନିଜର ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରି ନବାନ୍ନ ବା ନୁଆଁଖାଇ ପାଳନ କରିବାର ଵିଧି ରହିଛି ସେହି ନୁଆଁଧାନ ଯୋଗାଉଥିବା ଚାଷୀ ଏବେ ଘୋର ଦୁର୍ଦ୍ଦିନରେ ପଡିଯାଇଛି l ଚାଷ ଆରମ୍ଭ ରୁ କେବଳ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ଚାଷୀ ଏଥର ନୁଆଁଖାଇ କେବଳ ବିଧିରକ୍ଷା ରେ ସୀମିତ ହେବା ଏବେଠୁ ସ୍ୱଷ୍ଟ ବାରିହୋଇ ଯାଉଛି l ଆରମ୍ଭ ରୁ ସୁବର୍ଣ୍ଣପୁର ଜିଲ୍ଲା ର ଚାଷୀ ପ୍ରଥମେ ଅନାବୃଷ୍ଟି ର ଶୀକାର ହୋଇ ଶେଷରେ ନିଜର ରକ୍ତକୁ ପାଣି କରି ଘରେ ଯାହାଥିଲା ସାହୁକାର ପାଖରେ ବନ୍ଧା ପକାଇ ଟଙ୍କା ଆଣି ମୋଟର ପମ୍ପ ରେ ପାଣି ମଡ଼ାଇ ଚାଷକୁ ବଞ୍ଚାଇଥିଲା l ଏପରିକି ଯେଉଁ ସ୍ଥାନରେ ଜଳସେଚନର ସୁବିଧା ନ ଥିଲା ସେସବୁ ଅଂଚଳରେ ଭାଦ୍ରବ ମାସ ପ୍ରଚଣ୍ଡ ଖରାରେ ଧାନ ଗଛ ସବୁ ଆରମ୍ଭ ରୁ ପୋଡି ନଷ୍ଟ ହୋଇଗଲା l ବର୍ତ୍ତମାନ ରାଜ୍ୟ ର ଅନେକ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ରେ ଖଣ୍ଡ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା କୁ ଆହୁରି ଦ୍ବିଗୁଣିତ କରିଦେଇଛି l ଜିଲ୍ଲା ର ଅଣଜଳସେଚିତ ସୋନପୁର, ଉଲୁଣ୍ଡା, ବୀରମହାରାଜପୁର, ତରଭା ଆଦି ବ୍ଲକ ର ଅଧିକାଂଶ ଅଞ୍ଚଳ ର ଜମିରେ ତଳିପକା ଯାଇଥିବା ଧାନ ଗଛ ସବୁ ଶୁଖି ସାରି ଥିବା ବେଳେ କିଛି ଅଂଚଳରେ ଚାଷୀ ଆଗକୁ ଆଉ କିଛି ଆଶା ନ ରଖି ନିଜ ଚାଷ ଜମିରେ ଗାଈଗୋରୁ ଛାଡି ଦେଇ ସାରିଲେଣି l ଅନେକ ସ୍ଥାନରେ ବର୍ଷାଭାବ ଯୋଗୁଁ ବିହୁଡା ଧାନ ଗଛ ଆଉ ସିଧା ହୋଇ ଠିଆ ହୋଇ ପାରୁ ନାହିଁ l ତେଣୁ ଏଭଳି ପରିସ୍ଥିତିରେ କୃଷିଭିତ୍ତିକ ପର୍ବ ନୁଆଁଖାଇ କିପରି ପାଳନ କରିବ, କେଉଁଠୁ ଆଣି ନୁଆଁ ଧାନ ନିଜ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବ ତାକୁ ନେଇ ଘୋର ଚିନ୍ତାରେ ଅଛନ୍ତି ଚାଷୀକୁଳ l ଚାଷୀଙ୍କ ଏଭଳି ପରିସ୍ଥିତି କୁ ଦେଖି କିଛି ଚାଷୀ କହନ୍ତି ଆସୁଚେ ନୁଆଁଖାଇ, ହେଲେ ଚାଷୀର ମନ ସୁଖ ନାଇଁ, l ଯାହାବି ହେଉ ଇଷ୍ଟଦେବୀଙ୍କ ପାଖରେ ତ ନୁଆଁ ଧାନ ଲଗାବାର କେ ପଡବା l କେବଳ ଵିଧି ରକ୍ଷା ଲାଗି ଏଥର ନୁଆଁଖାଇ ପାଳନ କରାଯିବା l ବର୍ତ୍ତମାନ ଚାଷୀର ମନ ତ କାନ୍ଦୁଛେ l ପ୍ରକାଶ ଥାଉକି ଚଳିତ ମାସ ଶୁଳ୍କ ପକ୍ଷ ପଞ୍ଚମୀ ତିଥି ( ସେପ୍ଟେମ୍ବର 11 ତାରିଖ ଶନିବାର ) ରେ ଏହି ମହାନ ଗଣପର୍ବ ନୁଆଁ ଖାଇ ପଡୁଛି l

ସୁବର୍ଣ୍ଣପୁର ଜିଲ୍ଲା ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.