ଏମକେସିଜି ମେଡିକାଲ କଲେଜ ହସପିଟାଲରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0 11

ଏମକେସିଜି ମେଡିକାଲ କଲେଜ ହସପିଟାଲରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ସେମାନଙ୍କ ସମସ୍ୟାକୁ ସମାଧାନ କରିବାରେ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତିବାଦରେ କଳାବ୍ୟାଚ୍ ପିନ୍ଧିବା ସହ ଧାରଣାରେ ବସିଥିଲେ । ବହୁଦିନ ଧରି ଦାବୀ ସତ୍ତ୍ୱେ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା କାରଣରୁ ହସପିଟାଲରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓଲ୍ହାଇବାକୁ ବାଧ୍ୟ ହୋଇଛନ୍ତି I ବାହ୍ୟ ଓ ଅନ୍ତଃରୋଗ ବିଭାଗ ପାଇଁ ଟିକେଟ କାଉଣ୍ଟର ଓ ରେକର୍ଡ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର (DEO) ମାନଙ୍କ ଇପିଏଫ୍ ଏବଂ ଇଏସଆଇ ବାବଦ ଅର୍ଥ ପୈଠ ନ କରିବା ସହିତ ସେମାନଙ୍କୁ ବର୍ଷ ବର୍ଷ ଧରି ସ୍ୱଳ୍ପ ଦରମାରେ କାର୍ଯ୍ୟ କରାଉଛନ୍ତି I ପ୍ରତିବାଦ କରିଲେ ଏଜେନ୍ସି ଛଟେଇ ଧମକ ସହ ନୂତନ ପିଲାଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଉଛି I ନିକଟରେ ନିରାମୟରେ କାର୍ଯ୍ୟରତ ସାତ ଜଣ ଫାର୍ମାସିଷ୍ଟଙ୍କୁ କାମରୁ ବାହାର କରିଦିଆଯାଇଛି । ହସପିଟାଲରେ କାର୍ଯ୍ୟରତ ଆଉଟସୋରସିଂ ଆଟାଣ୍ଡାଣ୍ଟମାନଙ୍କର ବି ଅବସ୍ଥା ଏକା । ନୂଆ ଏଜେନ୍ସି ଆସିବା ପରେ ଆଗରୁ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ଏଯାଏଁ କାର୍ଯ୍ୟରେ ନିୟୋଜିତ କରାଯାଇନି । ଅନେକ କର୍ମଚାରୀଙ୍କ ଇପିଏଫ୍ ଓ ଇଏସଆଇ ଜମା କରାଯାଇନି । ଏଭଳି ପରିସ୍ଥିତିରେ ହସପିଟାଲରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ, ଆଟେଣ୍ଡଣ୍ଟ ଓ ଡାଟା ଏଣ୍ଟ୍ରି ଅପରେଟରମାନେ ଆଜି କାର୍ଯ୍ୟବନ୍ଦ କରି ଟିକେଟ କାଉଣ୍ଟର ଆଗରେ ଧାରଣାରେ ବସିଥିଲେ । ଆନ୍ଦୋଳନରେ ଆଉଟସୋରସିଂ କର୍ମଚାରୀ ଫେଡେରେସନର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଆଉଟସୋରସିଂ ମେଡିକାଲ କର୍ମଚାରୀ ୟୁନିଅନ୍ ସଭାପତି ସି.ଏଚ. ସୁନୀଲ ପାତ୍ର, ସମ୍ପାଦକ ଏନ. ନିରଞ୍ଜନ ଦାସ, ଗାୟତ୍ରୀ ମୁନି, ସୁନୀତା ପାତ୍ର, ବିଷ୍ଣୁ ପ୍ରସାଦ ପଣ୍ଡା, ବିନାୟକ ପତି, ବିଜୟଲକ୍ଷ୍ମୀ ସାହୁ, ପି ରମେଶ ରାଓ, ଜୟରାମ ରାଓ, କେ ଶ୍ରୀନିବାସ ପାତ୍ର, ସମୀର ବ୍ରହ୍ମା, ସତ୍ୟମ୍ ଗୌଡ ପ୍ରମୁଖ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.