ଏସଟିଏଫ ଦ୍ୱାରା ବାଘ ଚମଡା ଜବତ,, ଆସାମୀ ଗିରଫ l

0 7

ସ୍ପେଶାଲ ଟାସ୍କ ଫୋର୍ସ ଗତକାଲି ମନମୁଣ୍ଡା ଥାନା କପାସିରା ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଟି ଚିତା ବାଘ ଚମଡା ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିବା ଜଣା ପଡିଛି l ବାଘ ଚମଡା କାରବାର ସହ ଜଡିତ ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ନାରାୟଣପ୍ରସାଦ ପଂଚାୟତ ଲୁଣ୍ଡରୁ ଗ୍ରାମର ଗଣରାମ ଭୋଇଙ୍କ ପୁଅ ଜିବର୍ଦ୍ଧନ ଭୋଇ (25) ବୋଲି ସୂଚନା ମିଳିଛି l କିଛି ଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱରରୁ ଆସି ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ ସେହି କପାସିରା ନିକଟରୁ ଆଉ ଏକ ବାଘ ଚମଡା ଜବତ୍ କରି ଅଭିଜୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା l ଏ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ମନମୁଣ୍ଡା ରେଞ୍ଜ କପାସିରା ଗ୍ରାମରେ ବାଘ ଚମଡା ଚୋରା କାରବାରର ଏକ ରାକେଟ୍ କାର୍ଯ୍ୟ କରୁଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ଭୁବନେଶ୍ବରରୁ ଆସି ସ୍ବତନ୍ତ୍ର ଟାସ୍କ ଫୋର୍ସ ବାଘ ଚମଡା ଚୋରା ବେପାରୀଙ୍କୁ ଧରି ବାଘ ଚମଡା ଜବତ୍ କରି ପାରୁଥିବା ବେଳେ ମନମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ ଠାରୁ ଦୁଇ କିଲୋମିଟର ଦୂରତା ଭିତରେ ଏ କାରବାର ହେଉଥିଲେ ମଧ୍ୟ ରେଞ୍ଜର୍ କେମିତି ଟେର ପାଇ ପାରୁନାହାନ୍ତି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାଘ ଚମଡା ଚୋରା ବେପାରୀଙ୍କ ସହ ସ୍ଥାନୀୟ ବନ ବିଭାଗର କିଛି ଅଧିକାରୀ ଓ କର୍ମଚାରୀଙ୍କ ସଲl ସୁତୁରାରେ ଏ ରାକେଟ୍ କାର୍ଯ୍ୟ କରୁଛି | ମନମୁଣ୍ଡା ରେଞ୍ଜ ଅଧିକାରୀଙ୍କୁ କୌଣସି ସୂଚନା ଦେଲେ ତାହା ଚୋରା ବେପାରୀଙ୍କ କାନକୁ ଚାଲି ଯାଉଥିବା ହେତୁ ସୂଚନା ଦାତା ମାନେ ଭୁବନେଶ୍ବର ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ସି.ଆଇ.ଡି. କୁ ଖବର୍ ଦେଉଥିବା ଆଲୋଚନା ହେଉଛି | ଅନ୍ୟ ଅଭିଯୋଗ ଅନୁଯାୟୀ ବନ ବିଭାଗକୁ ମିଳୁଥିବା ମନରେଗା ଯୋଜନାର ଅନୁଦାନରେ ରେଞ୍ଜ ଅଧିନରେ ହେଉଥିବା ଜାଇକା, ଟ୍ରେଞ୍ଚ ଖୋଳା ଓ ଜଙ୍ଗଲ ରାସ୍ତା ନିର୍ମାଣ କାମରେ ଠିକାଦାର ସାଜିଥିବା ରେଞ୍ଜ ଅଧିକାରୀ ଓ କିଛି କର୍ମଚାରୀ ବେଶ୍ ଦୁଇ ପଇସା ରୋଜଗାର କରୁ ଥିବାରୁ ତାଙ୍କର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇ ଆରାମ କରୁଥିବା ଚର୍ଚ୍ଚା ହେଉଛି | ବହୁ ଦିନ ଲେଖାଏଁ ଅଧିକାରୀ ମାନେ ଜିଲ୍ଲାରେ ରହି କାଠ, ଜନ୍ତୁ ଚମଡା ଓ ବନ୍ୟ ପ୍ରାଣୀ ଶିକାର କରୁଥିବା ଅପରାଧୀ ମାନଂକ ସହ ମଧୁ ଚନ୍ଦ୍ରିକା କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି l ଡି. ଏଫ. ଓ. ମହାଶୟ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ପରିବେଶ ଓ ବନ୍ୟ ଜନ୍ତୁ ପ୍ରେମୀ ମାନେ ଦାବି କରିଛନ୍ତି |

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.