ଓଡ଼ିଶା-ମୋ ପରିବାର ସହାୟତାରେ ନୂଆଦିଲ୍ଲୀରୁ ଓଡ଼ିଶା ଅଣାଗଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର

ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ ହେଲା ଶେଷକୃତ୍ୟ
ନୂଆ ଦିଲ୍ଲୀରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ନିଜ ଗ୍ରାମକୁ ପଠାଇଦିଆଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇର ତନୁପୁର ଗ୍ରାମର ୫୮ ବର୍ଷୀୟ ବିଚିତ୍ରାନନ୍ଦ ପାତ୍ର ନୂଆଦିଲ୍ଲୀରେ ରହି ପ୍ଲମ୍ବର ଭାବେ କାମ କରୁଥିଲେ । ଗତ ୨୦ ତାରିଖ ସକାଳେ ପୂଜା କରିବା ସମୟରେ ସେ ତଳେ ପଡ଼ିଯାଇ ତାଙ୍କର ମୁଣ୍ଡରେ ଆଘାତ ହୋଇଥିଲା । ସେ ସେହିଠାରୁ ତାଙ୍କ ସାଙ୍ଗଙ୍କୁ ଫୋନ କରି ଏହି ଦୁର୍ଘଟଣା ବିଷୟରେ ଜଣାଇଥିଲେ ଏବଂ ତାଙ୍କ ଦେହ ଭଲ ଲାଗୁନାହିଁ ବୋଲି ମଧ୍ୟ ଜଣାଇଥିଲେ । ତେବେ ତାଙ୍କ ସାଙ୍ଗ ବିଚିତ୍ରାନନ୍ଦଙ୍କ ପାଖରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଖବର ନୂଆଦିଲ୍ଲୀ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଶ୍ରୀ ଗୋବର୍ଦ୍ଧନ ଧଳ ଜାଣିବା ପରେ ସେଠାରେ ଓଡ଼ିଶା-ମୋ ପରିବାରର ସ୍ପକ୍ (Single Point of Contact) ମେମ୍ବର ଶ୍ରୀ ଅକ୍ଷୟ ସାମଲଙ୍କ ସହିତ ସମନ୍ୱୟ ରକ୍ଷା କରି ସ୍ୱର୍ଗତ ବିଚିତ୍ରାନନ୍ଦଙ୍କ ଏମ୍ସ, ନୂଆଦିଲ୍ଲୀରେ ଶବ ବ୍ୟବଚ୍ଛେଦ କରାଇବାରେ ଏବଂ ସେଠାକାର ପୋଲିସ ନିକଟରେ ସମସ୍ତ ପ୍ରକାର ବୈଧାନିକ କାର୍ଯ୍ୟ ସଂପାଦନ କରିଥିଲେ । ପରିବାର ଲୋକଙ୍କ ପାଖରେ ସ୍ୱର୍ଗତ ବିଚିତ୍ରାନନ୍ଦଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ସମ୍ବଳ ନଥିଲା । ଏହି ଖବର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆବସିକ କାର୍ଯ୍ୟାଳୟକୁ ଆସିବା ପରେ ସେଠାରୁ ଓଡ଼ିଶା-ମୋ ପରିବାରକୁ ଜଣାଇଦିଆଯାଇଥିଲା ।
ସ୍ୱର୍ଗତ ପାତ୍ରଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ଓଡ଼ିଶା-ମୋ ପରିବାର ଆର୍ଥିକ ସହାୟତାରେ ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣାଯାଇଥିଲା । ବିଳମ୍ବିତ ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିଥିଲା । ଏଠାରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ, ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ, ସି.ଇ.ଓ ଶ୍ରୀ ଆଦିତ୍ୟ ଦାସ ପ୍ରମୁଖ ରହି ପାର୍ଥିବ ଶରୀରକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଏକ ଆମ୍ବ୍ୟୁଲାନ୍ସର ମଧ୍ୟ ବ୍ୟବସ୍ଥା କରି ସ୍ୱର୍ଗତ ବିଚିତ୍ରାନନ୍ଦଙ୍କ ଶେଷକୃତ୍ୟ ସଂପାଦନା ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ପଠାଇଦିଆଯଆଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସଂପଦାନା ହୋଇଥିଲା । ସ୍ୱର୍ଗତ ବିଚିତ୍ରାନନ୍ଦଙ୍କ ପରିବାର ଲୋକେ ଓଡ଼ିଶା-ମୋ ପରିବାରର ଏହି ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ ।
ଇପିଏ ରୁ ବିରୁ ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )