ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ପାଇଛନ୍ତି। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ।
ଫାଇଟର ଜେଟ୍ ମିରାଜ୍ର ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। ସେହିଭଳି ମିଗ୍-୨୧ ସହିତ ବିଭିନ୍ନ ପ୍ରକାର ଲଢ଼ୁଆ ବିମାନ ଉଡ଼ାଇବାରେ ସେ ମାହିର। ତାଙ୍କ ପାଖରେ ୨୫ଶହ ଘଣ୍ଟାର ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି। କାରଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ୍ ପାଇଥିଲେ। ଟାଇଗର ହିଲ୍ରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ। ପ୍ରଥମ ଥର ପାଇଁ ରାତିରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ। ୨୦୨୦ରେ ଏୟାର ମାର୍ଶାଲ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା।
ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା। ସେ ଏଠାରେ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍ ସ୍କୁଲ୍ରେ ପାଠ ପଢ଼ିଥିଲେ। ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ। ଦିଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି।
IAF ରେ ତାଙ୍କର ଚମତ୍କାର କ୍ୟାରିଅର୍ ରହିଛି। ଫ୍ରଣ୍ଟଲାଇନ ଫାଇଟରକୁ କମାଣ୍ଡିଂ କରିବାରେ ସେ ମାହିର ମଧ୍ୟ। ସେହିପରି ଏୟାର ଭାଇସ ମାର୍ଶଲ ପୂର୍ବରୁ ସେ ବାୟୁ ସେନାରେ ଅନେକ ପଦପଦବୀରେ କାମ କରିଛନ୍ତି। ଏଥିସହିତ ସେ ଏୟାର ୱାର୍-ଫେୟାର ମହାବିଦ୍ୟାଳୟର କମାଣ୍ଡାଣ୍ଟ ମଧ୍ୟ ଥିଲେ। ସେହିପରି ଡିଫେନ୍ସ ସିର୍ଭିସ ଷ୍ଟାଫ୍ କଲେଜ ଓ କଲେଜ ଅଫ୍ ଏୟାର ୱାର୍-ଫେୟାର ମହାବିଦ୍ୟାଳୟର ସେ ମଧ୍ୟ ଜଣେ ପୁରାତନ ଛାତ୍ର ।
ଇପିଏ ରୁ ବିରଞ୍ଚିନାରୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )