କମିଶନରେଟ୍ ପୁଲିସ ନିଷ୍କ୍ରିୟ : ଆତଙ୍କ ଖେଳାଉଛନ୍ତି ଅପରାଧୀ

0 12

ଦୁଇ ମାସରେ ୪ ଅଘଟଣ

ଭୁବନେଶ୍ବର: ରାଜଧାନୀରେ ଆପାର୍ଟମେଣ୍ଟକୁ ନେଇ ଯେଉଁ ଧାରଣା ଥିଲା ଯେ ସାଧାରଣ ସ୍ଥାନ ଅପେକ୍ଷା ଏହା ଅଧିକ ସୁରକ୍ଷିତ। ସେଠାରେ ଜଣେ ସୁରକ୍ଷିତ ଭାବେ ରହିପାରିବ। ସହଜରେ କେହି ଦୁର୍ବୃତ୍ତ ପଶିପାରିବ ନାହିଁ କି ଅପରାଧ ଘଟିବ ନାହିଁ। ହେଲେ ଏବେ ଆଉ ସେଭଳି ସ୍ଥିତି ନାହିଁ। ଧୀରେ ଧୀରେ ସ୍ଥିତି ବଦଳିବାରେ ଲାଗିଛି। ଆପାର୍ଟମେଣ୍ଟଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ହୁଗୁଳିବାରେ ଲାଗିଛି। ଲୁଟ୍‌ପାଟ୍‌ ତ ସାଧାରଣ କଥା ପାଲଟିଛି; କେତେବେଳେ କାହାକୁ ହାଣିଲେଣି ତ କାହାକୁ ଅପହରଣ କଲେଣି। ଏମିତିକି ଯିଏ ଆପାର୍ଟମେଣ୍ଟର ସୁରକ୍ଷା ଦାୟିତ୍ବରେ, ତାକୁ ବି ମାଡ଼ ମାରିବାକୁ ପଛାଉ ନାହାନ୍ତି। ଦୁର୍ବୃତ୍ତମାନେ ନିର୍ଦ୍ବନ୍ଦ୍ବରେ ଅପାର୍ଟମେଣ୍ଟରେ ପଶି ଅପରାଧ ଘଟାଉଛନ୍ତି। ଗତ ଦୁଇ ମାସ ଭିତରେ ଘଟିଥିବା ଏମିତି ୪ଟି ବଡ଼ ଆପରାଧିକ ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ। ଏହାବ୍ୟତୀତ ମଧ୍ୟ ଅନେକ ଆପାର୍ଟମେଣ୍ଟରେ ଛୋଟବଡ଼ ଆପରାଧିକ ଘଟଣା ଘଟିଥିବା ଜଣାଯାଇଛି।

ବୀମା କରିବା ‌ଆଳରେ ଆସି ଘରେ ରହିଲେ। ଚଞ୍ଚକତା କରି ଦଇତାପତିଙ୍କ ଖାଦ୍ୟରେ ନିଶା ଦେଇ ଘରେ କଳାକନା ବୁଲାଇଥିଲେ ନକଲି ବୀମା ଏଜେଣ୍ଟ। ଗତ ସେପ୍ଟେମ୍ବର ୧୯ ତାରିଖରେ ଜୟକୃଷ୍ଣ ଦାସମହାପାତ୍ର ବାଙ୍କୁଆଳସ୍ଥିତ ଆପାର୍ଟମେଣ୍ଟରେ ଥିବା ବେଳେ ପୀୟୂଷ ବିଶ୍ବାସ ନାମକ ଜଣେ ମହିଳା ତାଙ୍କ ନିକଟକୁ ଆସି ବୀମା କରିବାକୁ କହିଥିଲେ। ଏହି ସମୟରେ ବିଭିନ୍ନ ଆଳ ଦେଖାଇ ତାଙ୍କ ଆପାର୍ଟମେଣ୍ଟରେ ରହିଥିଲେ। ରାତି ଖାଦ୍ୟରେ ନିଶା ଦେଇ ୨୦ ହଜାର ଟଙ୍କା, ୩ଟି ଚେନ୍, ୨ଟି ବ୍ରେସ୍‌ଲେଟ୍‌ ଏବଂ ୨ଟି ଦାମୀ ମୋବାଇଲ୍‌ ନେଇଯାଇଥିଲେ। ତେବେ ଘଟଣାର ପାଖାପାଖି ସ‌ପ୍ତାହ ପରେ ପୁଲିସ ତାଙ୍କୁ ଗିରଫ କରିବା ସହ ପାଖାପାଖି ୫ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା।

ଅକ୍ଟୋବର ୧ ତାରିଖ ବିଳମ୍ବିତ ରାତିରେ ଓସ୍କାର ସିଟି ଅଶାନ୍ତ ହୋଇଉଠିଥିଲା। ୪-୫ ଯୁବକ ହାତରେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ହୋ-ହଲ୍ଲା କରିଥିଲେ। ଲୋକଙ୍କ ସାମ୍ନାରେ ମଣ୍ଟୁ ବେହେରା ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଭାବେ ଆକ୍ରମଣ କଲେ। ଖାଲି ସେତିକି ନୁହେଁ, ସେଠାରେ ସାମ୍ନାରେ କାର୍, ବାଇକ୍‌ ଯାହା ଆସିଲା ତାକୁ ବାଡ଼ାବାଡ଼ି କରି ଭାଙ୍ଗିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳାଇ ଦେଇଥିଲା। ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ମଣ୍ଡପସାହି ପତିତପାବନ ମନ୍ଦିର ଅଞ୍ଚଳର ନିରଂଜନ ନାୟକ ଓରଫ କାଳିଆ(୩୪) ଓ ଗଗନ ନାୟକ ଓରଫ କାପୁନା(୨୮)ଙ୍କୁ ଗିରଫ କରିଥିଲେ ବି କେତେକ ଏବେ ବି ଫେରାର୍‌ ଅଛନ୍ତି।

ଅକ୍ଟୋବର ୧୯ ତାରିଖ ରାତି ପ୍ରାୟ ୩ଟାରେ ଦୁର୍ବୃତ୍ତମାନେ ସହିଦନଗର ଥାନା ବମିଖାଲ ସୁରେଖା ଭିଲ୍ଲା ଆପାର୍ଟମେଣ୍ଟରେ ପଶି ସବୁ ସିସିଟିଭିକୁ ଘୋଡ଼ାଇ ଦେଇଥିଲେ। ପରେ ଅବସରପ୍ରାପ୍ତ ଅଧିକାରୀ ବିକର୍ତ୍ତନ ପୁଥଳଙ୍କ ଘରେ ତାଲା ପକାଇଲେ। ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ନିସ୍ତୁକ ପିଟିଲେ। ଟ୍ରିମର୍‌ ଛଡ଼ାଇ ଲଣ୍ଡା କଲେ। ଜଣେ କି ଦୁଇଜଣ ନୁହେଁ, ୧୦ରୁ ଅଧିକ ଯୁବକ ରାତି ଅଧରେ ମାଡ଼ପିଟ୍‌ କରି ଆପାର୍ଟମେଣ୍ଟରେ ଆତଙ୍କ ଖେଳାଇ ଗୋଟିଏ କାର୍‌ ଓ ସ୍କୁଟି ନେଇଯାଇଥିଲେ। ଯଦିଓ ଏହି ଘଟଣାରେ ପୁଲିସ ଖୋର୍ଦ୍ଧା ନିକଟରେ କାର୍‌କୁ ଜବତ କରିଥିଲା, ତେବେ ସେମାନେ କିଏ? କାହିଁକି ଅବସରପ୍ରାପ୍ତ ଅଧିକାରୀଙ୍କୁ ଟାର୍ଗଟ୍‌ କଲେ? ଏହା ପଛରେ କାରଣ କ’ଣ? ତାହା ଏବେ ବି ଅସ୍ପଷ୍ଟ ରହିଛି।

ଗତ ବୁଧବାର ଅପରାହ୍‌ଣରେ କେତେକ ଦୁର୍ବୃତ୍ତ ସହିଦନଗର ଥାନା ବାଙ୍କୁଆଳସ୍ଥିତ କଳ୍ପନା ରିଭର ଭ୍ୟୁ କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ପଶି ଆତଙ୍କ ଖେଳାଇଥିଲେ। ଅପରାହ୍‌ଣ ସାଢ଼େ ୪ଟାରେ ଦୁଇ ଯୁବକ ବାଇକ୍‌‌ରେ ଆସି ଆପାର୍ଟମେଣ୍ଟରେ ପଶି ଭଙ୍ଗାରୁଜା କଲେ। ଟେକା ପଥର ମାଡ଼ କଲେ। ଯାହାକୁ ପାରିଲେ, ମାରଣାସ୍ତ୍ର ଦେଖାଇ ଡରାଇଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ। ସେମାନଙ୍କ ଉତ୍ପା‌ତ ଏତେ ଥିଲା ଯେ ଅଟକାଇବା ପାଇଁ କେହି ସାହାସ ଜୁଟାଇ ନଥିଲେ। କିଛି ଲୋକଙ୍କୁ ମାଡ଼ ମାରିବାକୁ ବି ଗୋଡ଼ାଇଲେ। ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଏ ସଂପର୍କରେ ଆପାର୍ଟମେଣ୍ଟ ସୋସାଇଟିର ସଭାପତି ରାସବିବହାରୀ ବିଶ୍ବାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.