କିଶୋର ରଥଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଅର୍ପଣ

0 19

ଭୁବନେଶ୍ବର: ସୋମବାର ଭୋର ସମୟରେ କିଶୋର ରଥଙ୍କ ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା।

୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତ ଥିଲେ। ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା। ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ବିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା। ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି।

ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ‘ସମ୍ବାଦ’ରେ କାର୍ଯ୍ୟରତ ଥି‌ଲେ। ତାଙ୍କର ପକେଟ କାର୍ଟୁନ୍ ‘କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା। ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର । ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ। କେତେବେଳେ ମହାଲିଙ୍ଗ ମମିତା ମେହର ମୃତ୍ୟୁ ଘଟଣା ତ ପୁଣି କେତେବେଳେ ତୈଳ ଦର ବୃଦ୍ଧି ଏଭଳି ବିଭିନ୍ନ ଘଟଣାବଳି ‘କଟାକ୍ଷ’ରେ ନିୟମିତ ପ୍ରତିଫଳିତ ହେଉଥିଲା। ନିଆରା କାର୍ଟୁନ ସଂରଚନା ଥିଲା ତାଙ୍କର ସ୍ବକୀୟତା ଓ ସୃଜନଶୀଳତାର ପରିଚୟ।

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.