କୁଦୁଲା ଗଣ ଦୁଷ୍କର୍ମ ବିରୋଧରେ ପ୍ରତିବାଦ
ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବରଗଡ଼ ଜିଲ୍ଲା ଗାଈସିଲଟ ବ୍ଲକ ର କୁଦୁଲା ଗ୍ରାମରେ ଉଚ୍ଚ ଜାତି ଲୋକଙ୍କ ଖାପ ପଂଚାୟତ ଓ କଙ୍ଗାରୁ କୋର୍ଟରେ ସାମୁହିକ ନିଷ୍ପତ୍ତି ମାଧ୍ୟମରେ ଅନୁସୂଚିତ ବର୍ଗର ଜଣେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ତାଙ୍କ ଘର ପୋଡିବା ବିରୋଧରେ ଆଜି ଜନ ଅଧିକାର ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକ ଠାରେ ଗଣପ୍ରତିବାଦ ଅନୁଷ୍ଠିତ ହୋଇଛି l ଅନୁସୂଚିତ ଓ ଦୁର୍ବଳ ବର୍ଗ ଲୋକଙ୍କ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା ରେ ବିଫଳ ହୋଇଥିବାକହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଏହି ପ୍ରତିବାଦରେ ଦାହ କରାଯାଇଛି lସରକାରର 22ବର୍ଷର ଶାସନ କାଳରେ ଏହିପରି ଖାପ ପଂଚାୟତ ଓ କଙ୍ଗାରୁ କୋର୍ଟ କୁ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଯାଇପାରିନାହିଁ, ଯାହାଫଳରେ ଉଚ୍ଚ ବର୍ଗ ଓ ପ୍ରଭାବଶାଳି ଗୋଷ୍ଠୀର ଅହଙ୍କାରୀ ଲୋକମାନେ ଜାତିଆଣ ହିଂସା ଘଟାଇ ଦୁର୍ବଳ ଓ ଅନୁସୂଚିତ ବର୍ଗର ଲୋକଙ୍କ ଧନ, ସମ୍ପଦ ଲୁଟ ସହ ହତ୍ୟା କରିବା, ଜୋରିମାନା ପକାଇବା, ଅପମାନିତ କରି ଗାଁ ରେ ବୁଲାଇବା,ସେମାନଙ୍କ ଝିଅ ବୋହୁ ଙ୍କ ଇଜ୍ଜତ ସାଥିରେ ଖେଳିବା ଆଦି ଅମାନୁଷିକ ଘଟଣା ଓଡ଼ିଶାରେ ଦୈନନ୍ଦିନ ଦେଖିବାକୁ ମିଳୁଛି l କୁଦୁଲା ରେ ବିଧବା ଅନୁସୂଚିତ ମହିଳା ଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କ ଚରମ ବିଫଳତାର ନମୁନା ହୋଇଛି l ପ୍ରକାଶ ଯୋଗ୍ୟ ଯେ,ଉକ୍ତ ମହିଳାଙ୍କ ପୁଅ ଏକ ଉଚ୍ଚ ଜାତିର ଝିଅ ସହ ପ୍ରେମ ସମ୍ପର୍କ ତଥା ପଳାୟନକୁ କେନ୍ଦ୍ର କରି ଏପରି ଅମାନୁଷିକ ଘଟଣା ଘଟିଛି, ଯାହା କୌଣସି ସଭ୍ୟ ସମାଜରେ ଗ୍ରହଣ କରାଯାଇ ପାରିବ ନାହିଁ । ଏହି ଗଣ ଦୁଷ୍କର୍ମକୁ ଧିକ୍କାର କରି ପୀଡ଼ିତାଙ୍କୁ ନ୍ୟାୟ ଓ ସମସ୍ତ ଅପରାଧୀ ମାନଙ୍କୁ ଅବିଳମ୍ବେ ଗିରଫ ତଥା ତୁରନ୍ତ ବିଚାର ଦାବିରେ ବିଭିନ୍ନ ଗଣ ସଂଗଠନ ଓ ମାନବାଧିକାର ସଂଗଠନ ଆଜି ଜନ ଅଧିକାର ଆନ୍ଦୋଳନ ମିଳିତ ମଞ୍ଚରେ ଏକାଠି ହୋଇଛନ୍ତି । କେବଳ ଉତ୍ତରପ୍ରଦେଶ ,ହରିୟାନା,ମଧ୍ୟପ୍ରଦେଶ ଅବା ବିହାର ନୁହେଁ, ଓଡିଶାରେ ମଧ୍ୟ ଏପରି ଖାପ ପଞ୍ଚାୟତ ଓ କଙ୍ଗାରୁ କୋର୍ଟ ଜରିଆରେ ଜଣେ ନିର୍ଦ୍ଦୋଷ ଅନୁସୂଚିତ ବର୍ଗର ମହିଳାଙ୍କୁ ସାମୁହିକ ବଳାତ୍କାର କରାଯାଇପାରେ , ତାହା ଚିନ୍ତାକଲେ ଲଜ୍ଜାରେ ମୁଣ୍ଡ ତଳକୁ ନଇଁଯାଉଛି । ଓଡିଶାରେ ମଧ୍ୟ ଦିନକୁ ଦିନ ନାରୀ ନିର୍ଯାତନା ବଢି ଚାଲିଛି । ଅପର ପକ୍ଷରେ ଏକ ଜାତିବାଦୀ ମାନସିକତା ମଧ୍ୟରେ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ପୀଡିତ ହୋଇ ଥିବାରୁ ଅନୁସୂଚିତ ଓ ଦୁର୍ବଳ ବର୍ଗ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସମସ୍ତ ସାମ୍ବିଧାନିକ ଓ ଆଇନଗତ ଦଣ୍ଡ ବିଧାନକୁ ଆବଶ୍ୟକତା ବୋଲି ମନେ କରାଯାଉନାହିଁ । ଏପରି ଲଜ୍ଜା ଜନକ ତଥା ବିବେକଥରା ଘଟଣାରେ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୁରୁଷତାନ୍ତ୍ରିକ ବିଚାର ତଥା ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ପ୍ରତିଫଳିତ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ l ଆଇନ୍ ଓ ସମ୍ବିଧାନ ଆଗରେ ସମସ୍ତେ ସମାନର ସ୍ଲୋଗାନ ଆଢୁଆଳରେ ନାରୀକୁ ବଜାରର ଏକ ପଣ୍ୟ ସାମଗ୍ରୀ ଭାବେ ବିବେଚନା କରୁଥିବା ପୁରୁଷତାନ୍ତ୍ରିକ ସମାଜର ମାନସିକତା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଏହିଭଳି ଲଜ୍ଜା ଜନକ ଓ ନିନ୍ଦନୀୟ ଘଟଣାମାନ ଘଟି ଚାଲିଥିବ l ଏଣୁ ଏପ୍ରକାର ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ତୁରନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଢ଼ ପଦକ୍ଷେପ ନେବା ଦାବି ସହ କୁଦୁଳା ଗ୍ରାମରେ କଙ୍ଗାରୁ କୋର୍ଟ ର ମୁଖିଆ ମାନଙ୍କୁ ଗିରିଫ କରିବା, ସମସ୍ତ ଦୋଷୀଙ୍କୁ ଅବିଳମ୍ବେ ଗିରିଫ, ପୀଡିତା ଙ୍କୁ ସରକାରୀ ସହାୟତା ଘୋଷଣା କରାଯିବା, ଏପ୍ରକାର ଦୁଷ୍କର୍ମ କୁ ରୋକିବାପାଇଁ ଶକ୍ତ ଆଇନ କରିବା ଦାବିନେଇ ଆଜିର ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚ, ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଜନ ଜାଗରଣ ଅଭିଯାବ, ବହୁଜନ କ୍ରାନ୍ତି ମୋର୍ଚ୍ଚା, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚ ଆଦି ଗଣସଂଗଠନ ସାମିଲ ହୋଇଥିଲେ l ଏଥିରେ ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ କୁମାର ତରାଇ,ପି. ପାର୍ବତୀ,ନିରଞ୍ଜନ ଶବର, ମଧୁସୂଦନ, ଶିବରାମ ସାହୁ, ନିରାକାର ନାୟକ, ସୁବାଷ ଚନ୍ଦ୍ର ରାଉତ, ଆଦିତ୍ୟ ରଥ,ଗୁରୁଦେବ ବେହେରା,ହୃଷିକେଶ ପାତ୍ର, ମନୋଜ ବିଶୋଇ, ପବନା ଶବର, ଗଙ୍ଗାଧର ଗୌଡ଼,ଅବନୀ ଗୟା ପ୍ରମୁଖ ଯୋଗଦେଇଥିଲେ l
ଗଂଜାମ ଜିଲ୍ଲା ବ୍ରହ୍ମପୁର ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

