କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଦାବି, ସୋନପୁରରେ ରହିଛି ଭିତ୍ତିଭୂମି

0 7

କେନ୍ଦ୍ର ବଜେଟ୍‌ରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପ୍ରସ୍ତାବ ଶୁଣି ତନ୍ତଶିଳ୍ପର ସହର ସୋନପୁରରେ ଖୁସିର ଲହରୀ ଖେଳି ଯାଇଥିଲା । ଅକ୍ଟୋବର ୬ ତାରିଖରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶରେ ୭ଟି ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଏହା ମଧ୍ୟରେ ଓଡିଶାରେ ମଧ୍ୟ ଏକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ଏହା ଜାଣିବା ପରେ ସୋନପୁରରେ ଏହି ପାର୍କ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି । ତନ୍ତଶିଳ୍ପ ପାଇଁ ଏଠାରେ ପ୍ରଚୁର ଭିତ୍ତିଭୂମି ଥିବାରୁ ଏଠାରେ ଟେକ୍ସଟାଇଲ୍ ପ୍ରତିଷ୍ଠା ହେଲେ ଅଞ୍ଚଳର ଉନ୍ନତି ସହ ବୁଣାକାର ମାନେ ମଧ୍ୟ ଲାଭାନ୍ୱିତ ହୁଅନ୍ତେ ବୋଲି କୁହାଯାଇଛି ।
ସୋନପୁରରେ ମେଗା ଟେକ୍ସ ଟାଇଲ୍ ପାର୍କ ପ୍ରତିଷ୍ଠା ଦାବିକୁ ସୋସିଆଲ୍ ମିଡିଆରେ ଯଥାର୍ଥ ଦର୍ଶାଇ ବେଙ୍ଗାଳୁରୁରେ ରହୁଥିବା ବଲାଙ୍ଗିରର ଜଣେ ଯୁବକ ଆଶୁତୋଷ ଦାଶ କହିଛନ୍ତି ଏଠାରେ ବହୁ ବୁଣାକାର ପରିବାର ରହୁଛନ୍ତି । ହସ୍ତତନ୍ତ ତାଙ୍କର କୌଳିକ ବୃତ୍ତି ହୋଇ ଥିବାରୁ ସେମାନେ ଲାଭବାନ ହୋଇ ପାରନ୍ତେ । ସୋନପୁରରେ ଥିବା ଏକମାତ୍ର ଶିଳ୍ପ କାରଖାନା ସୂତାକଳ ବହୁ ଦିନ ହେଲା ବନ୍ଦ ହୋଇ ପଡିଛି । ହଜାରେରୁ ଅଧିକ ଲୋକ ସୂତାକଳରେ କାମ କରୁଥିଲେ । ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ହେଲେ ସୋନପୁରର ପୂର୍ବ ଗୌରବ ଫେରି ଆସି ପାରନ୍ତା । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଆଶୁତୋଷ । ସେ କହିଛନ୍ତି ବଲାଙ୍ଗିର ଜିଲ୍ଲାରୁ ବହୁ ଲୋକ ଦାଦନ ଖଟି ଯାଆନ୍ତି । ଏହା ଦାଦନ ସମସ୍ୟା ମଧ୍ୟ କିଛି ମାତ୍ରାରେ ରୋକି ପାରିବ । ଆହୁରି ଅଧିକ କାରୁକାର୍ଯ୍ୟପୂର୍ଣ୍ଣ ଶାଢି ଏଠାରେ ପ୍ରସ୍ତୁତ ହୋଇ ବିଶିଷ୍ଟ ବ୍ୟକ୍ତି ମାନଙ୍କ ନିକଟକୁ ଗଲେ ରାଜ୍ୟର ମଧ୍ୟ ଖ୍ୟାତି ବଢନ୍ତା । ତେବେ ବିକାଶ ଦାଶ ନାମକ ଜଣେ ଯୁବକ ତାଙ୍କର କମେଣ୍ଟ ବକ୍ସରେ ଲେଖିଛନ୍ତି ଭଦ୍ରକରେ ପ୍ରତିଷ୍ଠା ପାଇଁ ସ୍ଥିରିକୃତ ହୋଇ ସାରିଛି । ଭଦ୍ରକ ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କର ଉନ୍ନତିକରଣ ହେବ । ତେବେ ମୁମ୍ବାଇରେ ରହୁଥିବା ବିଶିଷ୍ଟ ଫିଲ୍ମ ଏଡିଟର ରାଜେନ୍ଦ୍ର ମହାପାତ୍ର ଲେଖିଛନ୍ତି ଆଇଓସିଏଲ୍ ଟେକ୍ସଟାଇଲ୍ ପାର୍କର ଉନ୍ନତିକରଣ ହେଉଥିବା କଥା ବିଭିନ୍ନ ଲୋକଙ୍କ ମନ୍ତବ୍ୟରୁ ମୁଁ ଜାଣିଲି । ଏହାକୁ ସ୍ୱାଗତ କରାଯିବା ଉଚିତ । ତେବେ ସୋନପୁରରେ ଗୋଟିଏ ନୂଆ ଟେକ୍ସଟାଇଲ୍ ପାର୍କ ଦାବି ନେଇ ଆମେ କ୍ୟାମ୍ପେନ୍ ଆରମ୍ଭ କରିବା ।
ତନ୍ତଶିଳ୍ପ କ୍ଷେତ୍ରରେ ସୋନପୁରର ଖୁବ୍ ପ୍ରସିଦ୍ଧି ରହିଛି । ସୋନପୁରରେ ପ୍ରସ୍ତୁତ ବାନ୍ଧ ଶାଢିର ଦେଶ ବିଦେଶରେ ଆଦର ରହିଛି । ନେତ୍ରୀଠୁ ଅଭିନେତ୍ରୀ ସମସ୍ତଙ୍କ ପସନ୍ଦ ସୋନପୁରୀ ବାନ୍ଧ । ଏହାସତ୍ତ୍ୱେ ମଧ୍ୟ ସ୍ଥାନୀୟ ବୁଣାକାରଙ୍କ ସ୍ଥିତି ଏତେଟା ସ୍ୱଚ୍ଛଳ ନୁହେ ।
ଏନେଇ ପାଞ୍ଚ ବର୍ଷ ମଧ୍ୟରେ ପିଏମ୍ ମିତ୍ର ଯୋଜନାରେ ୪ ହଜାର ୪୪୫ କୋଟି ଟଙ୍କା ବ୍ୟୟ ହେବ । ଏହା ଦ୍ୱାରା ଦେଶରେ ସିଧାସଳଖ ୭ ଲକ୍ଷ ଏବଂ ପରୋକ୍ଷ ଭାବରେ ୧୪ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.