କେରଳରେ ବର୍ଷା ଓ ବନ୍ୟା: ୧୮ ମୃତ ଓ ଅନେକ ନିଖୋଜ

0 4

ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୧୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ରାଜ୍ୟ ରାଜଧାନୀରେ ଜରୁରୀ ବୈଠକରେ ଅଧ୍ୟକ୍ଷତା କରିବା ପରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିବୃତିରେ କହିଛନ୍ତି, ରାଜ୍ୟର କେତେକ ଅଞ୍ଚଳରେ ପରିସ୍ଥିତି ବାସ୍ତବିକ ସାଙ୍ଘାତିକ। ଜନଜୀବନ ବଞ୍ଚାଇବାକୁ ଆମେ ଯଥା ସମ୍ଭବ କାର୍ଯ୍ୟ କରିବୁ। ଆମେ ସେନା, ନୌସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛୁ। ଜିଲ୍ଲାମାନଙ୍କରେ ରିଲିଫ୍‌ କ୍ୟାମ୍ପ୍‌ ସ୍ଥାପନ କରାଯାଇଛି।

ମୁଷଳଧାରାରେ ବର୍ଷା ଢାଳିବାରୁ କୋଟ୍ଟାୟାମ୍‌, ପତନମତିତ୍ତତ ଏବଂ ଇଡୁକ୍କି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କୋଟାୟମ୍‌ର ଏରୁମେଲି ଦେଇ ପ୍ରବାହିତ ମଣିମାଳା ନଦୀରେ ବଢ଼ି ଆସି ବାଇପାସ୍‌ ପୋଲ ଉପରେ ଲହଡ଼ି ଭାଙ୍ଗିବା ସହ ଆଖପାଖ ଅଞ୍ଚଳକୁ ଜଳାର୍ଣ୍ଣବ କରିପକାଇଛି।

ଦକ୍ଷିଣ ଓ କେନ୍ଦ୍ରୀୟ କେରଳର ତଳିଆ ଅଞ୍ଚଳରେ ବସ୍‌ ଓ କାର୍‌ଗୁଡ଼ିକ ମଧ୍ୟ ବର୍ଷାଜଳରେ ବୁଡ଼ି ଯାଇଛନ୍ତି। ବର୍ଷା ଯୋଗୁଁ କୋଲାମ୍‌ରେ ଗୋଟାଏ ରାସ୍ତା ଦବି ଯାଇଛି। ଏହା ବ୍ୟତିରେକେ, ରାଜ୍ୟରେ ଅନ୍ୟ କେତେକ ନଦୀରେ ମଧ୍ୟ ବଢ଼ି ଆସିଛି।

ଦକ୍ଷିଣପୂର୍ବ ଆରବ ସାଗର ଅନ୍ତର୍ଗତ କେରଳ ଉପକୂଳ ଅଞ୍ଚଳରେ ସଂଘଠିତ ଲଘୁଚାପ ପ୍ରଭାବରୁ ରାଜ୍ୟରେ ରବିବାର ସକାଳ ପର୍ଯ୍ୟନ୍ତ ବୃଷ୍ଟିପାତ ଲାଗି ରହିବ। ୧୮ ତାରିଖ ପରେ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ୧୯ ତାରିଖ ସକାଳ ବେଳକୁ ବର୍ଷା ଥମିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.