‘ଗଡ୍‌ସେ ଜିନ୍ଦାବାଦ’ ଲେଖି ଦେଶକୁ ଲଜ୍ଜିତ କରୁଛନ୍ତି: ବରୁଣ

0 5

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ପୂରା ଦେଶ ବାପୁଙ୍କ ଜୟନ୍ତୀ ପାଳନ କରୁଛି। କିନ୍ତୁ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯିଏକି ଗାନ୍ଧି ଜୟନ୍ତୀ ଅବସରରେ ସୋଶାଲ ମିଡିଆରେ ‘ଗଡସେ ଜିନ୍ଦାବାଦ’ ଲେଖିଛନ୍ତି। ଟ୍ୱିଟର୍‌ରେ ‘ନାଥୁରାମ ଗଡସେ ଜିନ୍ଦାବାଦ’ ଟ୍ରେଣ୍ଡ ମଧ୍ୟ କରୁଛି। ଏହାକୁ ନେଇ ବିଜେପି ନେତା ବରୁଣ ଗାନ୍ଧି ଦୁଃଖ ପ୍ରକାଶ କରିବା ସହ କଡା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଏଭଳି ଲେଖି କିଛି ଲୋକେ ଦେଶକୁ ଲଜ୍ଜିତ କରୁଛନ୍ତି। ବରୁଣ ଗାନ୍ଧି ଟୁଇଟ୍ କରି କହିଛନ୍ତି, ‘ଭାରତ ସର୍ବଦା ଏକ ଆଧ୍ୟାତ୍ମିକ ମହାଶକ୍ତି ରହିଆସିଛି, କିନ୍ତୁ ମହାତ୍ମା ହିଁ ତାଙ୍କ ଅସ୍ତିତ୍ୱ ମାଧ୍ୟମରେ ଆମ ଦେଶର ଆଧ୍ୟାତ୍ମିକ ମୂଳଦୁଆକୁ ସ୍ପଷ୍ଟ କରିଛନ୍ତି ଏବଂ ଆମକୁ ଏକ ନୈତିକ ଅଧିକାର ପ୍ରଦାନ କରିଛନ୍ତି, ଯାହା ଆଜି ବି ଆମର ସର୍ବଶ୍ରେଷ୍ଠ ଶକ୍ତି। ଯେଉଁମାନେ ‘ଗଡସେ ଜିନ୍ଦାବାଦ’ ଟୁଇଟ୍ କରୁଛନ୍ତି ସେମାନେ ଦାୟିତ୍ୱହୀନ ଭାବରେ ଦେଶକୁ ଲଜ୍ଜିତ କରୁଛନ୍ତି।’ ବିଜେପି ନେତାଙ୍କ ଏହି ଟ୍ୱିଟ୍‌କୁ ଅନେକ ରି-ଟ୍ୱିଟ୍‌ କରିଛନ୍ତି। ଏଥିସହ ଏକାଧିକ କମେଣ୍ଟ ମଧ୍ୟ କରିଛନ୍ତି।
ସୂଚନା ମୁତାବକ ୧୯୪୮ ଜାନୁଆରୀ ୩୦ ତାରିଖ ଦିନ ନାଥୁରାମ ଗଡସେ ମହାତ୍ମା ଗାନ୍ଧିଙ୍କୁ ଗୁଳି କରି ହତ୍ୟା କରିଥିଲେ। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେ ଲେଖିଥିଲେ, ପୂଜା ବାପୁଙ୍କ ଜୀବନ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢ଼ିକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ। ସେ କହିଥିଲେ, ‘ମୁଁ ଗାନ୍ଧୀ ଜୟନ୍ତୀ ଉପରେ ବାପୁଙ୍କୁ ପ୍ରଣାମ କରୁଛି। ତାଙ୍କର ଆଦର୍ଶ ନୀତି ସମଗ୍ର ବିଶ୍ୱରେ ପ୍ରାସଙ୍ଗିକ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତିଶାଳୀ କରେ। ପରେ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ବାପୁଙ୍କ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ୧୮୬୯ରେ ଗୁଜରାଟର ପୋରବନ୍ଦରରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ହୋଇଥିଲା। ଜାତିର ପିତାଙ୍କ ଜନ୍ମଦିନକୁ ଗାନ୍ଧି ଜୟନ୍ତୀ ସହ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ରୂପେ ପାଳନ କରାଯାଏ।

ଇପିଏ ରୁ ବିରଞ୍ଚିନାରୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.