ଜଞ୍ଜିରରେ ବନ୍ଧା ପଡିଛି ଯୌବନ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତକଡିଦା ଗ୍ରାମର ସୁବଳ ନାଏକଙ୍କ ପୁଅ ଲଳିତ(20)|ବାପା ମାଆ ଙ୍କ ଏକମାତ୍ର ପୁଅ ଲଳିତ ଜନ୍ମ ହେବାପରେ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା |ବାର ବର୍ଷ ବୟସ ପର୍ଯ୍ୟନ୍ତ ଲଳିତ ସ୍ୱାଭାବିକ ଥିବାବେଳେ ତାଙ୍କଠାରେ ମାନସିକ ପରିବର୍ତନ ଦେଖିବାକୁ ମିଳିଥିଲା |ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ସୁବଳ |ପର ଘରେ ମୁଲ ଲାଗି ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର କୌଣସି ମତେ ଚଳିଥାଏ | ଏକମାତ୍ର ପୁଅର ଏଭଳି ମାନସିକ ପରିବର୍ତନରେ ବାପାମାଆ ଭାଗ୍ୟକୁ ଆଦରି ବିଭିନ୍ନ ସ୍ଥାନରେ ପୂଜାଅର୍ଚ୍ଚନା କରିବା ସହିତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇଥିଲେ |ତେବେ ପୁଅକୁ କଟକ କିମ୍ବା ଅନ୍ୟ କୌଣସି ସ୍ଥାନକୁ ନେଇ ଉପଯୁକ୍ତ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଥିଲେ |କିନ୍ତୁ ଉପଯୁକ୍ତ ଚିକିତ୍ସା ପାଇଁ ଗରିବ ପରିବାର ପାଖରେ ଅର୍ଥ ଅଭାବ ଥିବାରୁ ପୁଅକୁ ଚିକିତ୍ସା ଯୋଗାଇବା ବାପା ସୁବଳଙ୍କ ପକ୍ଷେ ସମ୍ଭବ ହୋଇପାରିନି |ମାନସିକ ବିକୃତ ପୁଅ ଲଳିତ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ଆକ୍ରମଣ କରିବା, ଘର ଛାଡି ଏଣେତେଣେ ପଳାଇବା କାରଣ ରୁ ପରିବାର ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ବୁଖୀନ ହେବାକୁ ପଡୁଥିଲା |ଏପରିକି ପୁଅ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଥିଲା |ପର ଘରେ ମୂଲ ଲାଗିଲେ ଚୁଲି ଜଳୁଥିବା ଦୁଃଖୀ ପରିବାର କେତେ ଦିନ ଆକଟ କରି ରଖିବେ |ଶେଷରେ ନିଜ ଇଚ୍ଛା ବିରୁଦ୍ଧରେ ପୁଅକୁ ଏକ ଅନ୍ଧାର କୋଠରୀ ମଧ୍ୟରେ ଜଞ୍ଜିରରେ ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି ବୋଲି ବାପା ମାଆ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି |ଏକମାତ୍ର ପୁଅର ଏଭଳି ଅବସ୍ଥାରେ ବାପା ମାଆ ସମ୍ପୂର୍ଣ ଭାଙ୍ଗିପଡିଛନ୍ତି |ସରକାରୀ ସାହାଯ୍ୟ କହିଲେ ଏ ପରିବାରକୁ କେବଳ ଖାଦ୍ୟ ନିରାପତ୍ତା ଯୋଜନାରେ ମାସକୁ ଚାଉଳ ମୁଠାଏ ଛଡା ଅନ୍ୟ କିଛି ମିଳିନାହିଁ |ଏକମାତ୍ର ମାନସିକ ବିକୃତ ପୁଅର ଚିକିତ୍ସା ପାଇଁ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଯଦି ସାହାଯ୍ୟ ସହଯୋଗର ହାତ ବଢ଼ାଇପାରିଥାନ୍ତେ ତେବେ ଜଞ୍ଜିରରେ ବନ୍ଧା ହୋଇ ରହିଥିବା ଲଳିତ ଜୀବନରୁ ମୁକ୍ତି ପାଇ ପାରିଥାନ୍ତା |
ମୟୂରଭଞ୍ଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )