ଟିଏମସି ନେତ୍ରୀ ସାୟୋନି ଘୋଷ ଗିରଫ

0 11

ଅଗରତାଲା: ହତ୍ୟା ଉଦ୍ୟମ ମାମଲାରେ ଆଜି ତ୍ରିପୁରା ପୁଲିସ୍‌ ତୃଣମୂଳ ୟୁଥ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଗିରଫ କରିଛି। ତାଙ୍କୁ ସୋମବାର କୋର୍ଟରେ ହାଜର କରାଯିବ। ଏହି ସମୟରେ ସେ ଜାମିନ ପାଇଁ ଆବେଦନ କରିବେ। ପଶ୍ଚିତ ତ୍ରିପୁରା ଅତରିକ୍ତ ଏସ୍‌ପି ବିଜେ ରେଡ୍ଡୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ସାୟୋନି ଘୋଷଙ୍କୁ ଗିରଫ କରାଯାଇଛି। ଆଇପିସିର ଧାରା ୩୦୭ ଓ ୧୫୩ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସାୟୋନି ଗୋଟିଏ ସଭାସ୍ଥଳରେ ଏକାଠି ହୋଇଥିବା ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରୁଥିଲେ। ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ରହୁଥିବା ହୋଟେଲରେ ମହିଳା ପୁଲିସ୍‌ ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ଥାନାକୁ ନିଆଯାଇଥିଲା। ତେବେ ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ପୁଲିସ କିଛି ବି କହିଥିଲା। ସେ ଦୀର୍ଘ ସମୟ ଧରି ଥାନାରୁ ନ ଫେରିବାରୁ ତାଙ୍କ ସହଯୋଗୀମାନେ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିବା ଜଣାପଡ଼ିଥିଲା। ଶନିବାର ସେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟିଏମସି କହିଛି ଯେ ତ୍ରିପୁରା ପୁଲିସ୍ ସାୟୋନି ଘୋଷ ରହୁଥିବା ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଥାନାକୁ ଆଣିଥିଲା। ଏହାର କିଛି ସମୟ ପରେ ଟିଏମସି କର୍ମୀମାନେ ପୂର୍ବ ଅଗରତାଲା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ତେବେ ସେଠାରେ ୨୫ରୁ ଅଧିକ ବିଜେପି କର୍ମୀ ହେଲମେଟ ପିନ୍ଧି ପହଞ୍ଚିବା ସହ କାଠ ଫାଳିଆରେ ଟିଏମସି କର୍ମୀମାନଙ୍କୁ ଆକ୍ରମଣ କରିଥିଲେ।
ପୁଲିସ୍‌ ଷ୍ଟେସନ ଭିତରେ ହିଁ ଏସବୁ ଘଟଣା ଘଟିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା କୁନାଲ ଘୋଷ କହିଛନ୍ତି, “ତ୍ରିପୁରାରେ ଜଙ୍ଗଲ ରାଜ ଚାଲିଛି। ଆମକୁ ପୁଲିସ୍‌ ସାମ୍ନାରେ ମାଡ଼ ମରାଗଲା। କିନ୍ତୁ ସେମାନେ କିଛି ବି କହିଲେନି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୁଲିସ ଆମ ନାଁରେ ମାମଲା କରିଛି।”

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.