ଥାନା ପାଲଟିଲା ରଣକ୍ଷେତ୍ର; ପୁଲିସ୍ କର୍ମଚାରୀଙ୍କ ସମେତ ୪ ଆହତ

0 16

ନରସିଂହପୁର ଠାରେ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଘଟଣାରେ ରଣକ୍ଷେତ୍ର ପାଲଟି ଯାଇଥିଲା କଟକ ଜିଲ୍ଲା ନରସିଂହପୁର ଥାନା ପରିସର। ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପିଟାପିଟିରେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁଲିସ୍ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ ଲୋକ ଅଛନ୍ତି।

ନରସିଂହପୁର ଥାନା ପୁଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିଲା। ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ ଓ ଲିପୟ ବଳିୟାରସିଂ। ଏକ ଅପହରଣ ଓ ମାରଧର ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହୁଥିବା ବେଳେ କୌଣସି କାରଣ ନଥାଇ ସେମାନଙ୍କୁ ଗିରଫ କରାଯାଇଥିବା ବିଜେପି ଅଭିଯୋଗ କରିଛି।
ଏହାର ପ୍ରତିବାଦରେ ଦଳ ପକ୍ଷରୁ ଥାନାରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି କର୍ମୀମାନେ ଥାନାରେ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍ ପିଟିଥିଲା। ଲୋକେ ମଧ୍ୟ ପୁଲିସ୍ ଉପରେ ଢେଲା, ପଥର ମାଡ଼ କରିଥିଲେ।

ଗିରଫ ତିନି ଜଣଙ୍କ ବିରୋଧରେ ଅପହରଣ କରି ମାରଧର କରିଥିବା ଅଭିଯୋଗ ରହିଥିବା ବେଳେ ବିଜେପି ନେତା ବିଜୟ ଦଳବେହେରା କହିଛନ୍ତି ଯେ ସେମିତି କିଛି ହୋଇନାହିଁ। କେବଳ ପାଟିତୁଣ୍ଡ ହୋଇଥିଲା। କୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଏହି ମାମଲାର ସମାଧାନ ହୋଇଯାଇଥିଲା। ତେବେ ସ୍ଥାନୀୟ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ କଥାରେ ଘଟଣାର ରାଜନୀତିକରଣ କରାଯାଇଛି ଓ ପୁଲିସ୍ ବିଜେପି କର୍ମୀମାନଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଅପରାଧୀ ମାନଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ବିଜେପି କର୍ମୀମାନେ ଥାନା ଉପରେ ଆକ୍ରମଣ କରି ପୁଲିସ୍‌କୁ ପିଟିଛନ୍ତି। ଅପରାଧୀଙ୍କୁ ପୁଲିସ୍ ଗିରଫ କଲେ କ’ଣ ଦେବୀ ମିଶ୍ର ଦାୟୀ। ଅପରାଧ ବଢ଼ିଯାଇଛି, ସେମାନଙ୍କୁ କ’ଣ ଦେଖାଯାଉ ନାହିଁ।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.