ଦାରିଙ୍ଗବାଡିରେ ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ସମାପନ

0 16

କ.ନୂଆଗାଁ – କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଠାରେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ଆୟୋଜନ କ୍ରମେ ଗତ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ସମାପନ ହୋଇଯାଇଅଛି । ଗତ ସେପ୍ଟେମ୍ବର ୨୯ ଓ ୩୦ ଦୁଇ ଦିନ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନରେ ରାଜ୍ୟ ସଭାପତି ବିଭୁତି ଭୁଷଣ କରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମୁକୁଲିଙ୍ଗିଆ,ମଣ୍ଡାସରୁ,ଦାସିଙ୍ଗ୍ ବାଡି ଜଳପ୍ରପାତ ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିଥିଲେ। ଭ୍ରମଣବେଳେ ଜି. ଉଦୟଗିରି ଠାରେ ସ୍ଥାନୀୟ ପ୍ରେସ କ୍ଲବ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ, ରାମ ଚୌଧୁରୀ, ଆଶୁତୋଷ ସାହୁଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳଙ୍କୁ ସ୍ବାଗତ କରିବା ସହ ଚକରା ବିଷୋୟୀ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସଭାପତି ଶ୍ରୀ କର ମାଲ୍ୟାର୍ପଣ କରିଥିଲେ । ମୁକୁଲିଙ୍ଗିଆ ଠାରେ ସ୍ଥାନୀୟ ଅଧିବାସୀ ମାନେ ପ୍ରତିନିଧି ମାନଙ୍କୁ ସ୍ଵାଗତ ଓ ଜଳଯୋଗରେ ଆପ୍ଯାୟିତ କରିଥିବା ବେଳେ ରାଇକିଆ ଠାରେ ବସନ୍ତ ବେହେରାଙ୍କ ନେତୃତ୍ୱରେ କୁଇ ଜନଜାତି ର ପାରମ୍ପରିକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ପ୍ରତିନିଧି ମାନଙ୍କୁ ରାଇକିଆରେ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସଂଧ୍ୟାରେ ସାମ୍ବାଦିକ ଗଣ ସୁନାମଧନ୍ୟା ଗାୟିକା ତଥା ସମାଜସେବୀ ଭୂବନେଶ୍ବରର ସୁର ଭାଇବ୍ରେସନ ମୂଖ୍ୟ ଜୟଶ୍ରୀ ଧଳ ଓ ଅନ୍ୟ ସାଥି ଗାୟକଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଆସରକୁ ମନଭରି ଉପଭୋଗ କରିଥିଲେ। ଦ୍ୱିତୀୟ ଦିବସରେ ପୂର୍ବାହ୍ନ ୧୦ ଟାରେ ରାଜ୍ୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଉପସ୍ଥିତ ଥିବା ୨୪ ଗୋଟି ଜିଲ୍ଲାର ସଭାପତି ଓ ସମ୍ପାଦକ ମାନେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସରକାଳୀନ ଭତ୍ତା ପ୍ରଦାନ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି କୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ,ଜି. ଉଦୟଗିରି ବିଧାୟକ ମାନ୍ୟବର ସାଲୁଗା ପ୍ରଧାନ,ବାଲିଗୁଡାର ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର ଯଥାକ୍ରମେ ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ବୈଠକରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରି କହିଥିଲେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆଗାମୀ ଦିନରେ ସଂଗଠନର ସ୍ୱରକୁ ଅଧିକ ଶାଣିତ କରାଯିବ। ସାଂସଦ ଅଚ୍ୟୁତ ସାମନ୍ତ ରାଜ୍ୟ ବାହାରେ ଥିବାରୁ ତାଙ୍କ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଶିବ ତ୍ରିପାଠୀଙ୍କ ଜରିଆରେ ବୈଠକର ସଫଳତା କାମନା କରି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ବୈଠକରେ କନ୍ଧମାଳ ଜିଲ୍ଲା ଶାଖା ସଭାପତି ସନ୍ତୋଷ କୁମାର ଦାସ ସମସ୍ତଙ୍କ ଉପସ୍ଥିତ ରହି ସାହାଯ୍ଯ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଳିଙ୍ଗ ଟିଭିର ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ୍ ପ୍ରକାଶ ପଟ୍ଟନାୟକ ଓ ବ୍ରହ୍ମପୁର ଅନୁପମ ଭାରତ ଓ ଉତ୍କଳଟିଭି ର ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ସଂଘରେ ସାମିଲ୍ ହୋଇଥିଲେ ଓ ରାଜ୍ୟ ସମ୍ପାଦକ ଭାବେ ପ୍ରକାଶ ପଟନାୟକ ଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆଦର୍ଶ ପଟ୍ଟନାୟକଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।
କାର୍ଯ୍ୟକ୍ରମ ଅବସରରେ ସାରା ଓଡ଼ିଶାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ଜିଲ୍ଲାର ପ୍ରମୁଖ କରୋନା ଯୋଦ୍ଧା , ସମାଜସେବୀ ଓ ଶିକ୍ଷା ବିତ୍ତଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ବରିଷ୍ଠ କର୍ମକର୍ତ୍ତା ମନୋରଞ୍ଜନ ରାୟ, ପ୍ରେମ୍ ଚାନ୍ଦ୍ ସିଂ,ଅଶ୍ୱନୀ ମନ୍ତ୍ରୀ, ଲକ୍ଷ୍ମୀକାନ୍ତ ରାଜଗୁରୁ, ତାରିଣୀସେନ୍ ସାହୁ,ସଦାଶିବ ପାତ୍ର, ଶଙ୍କର ମିଶ୍ର,ହିମାଂଶୁ ବେହେରା, ଚନ୍ଦନ ପଣ୍ଡା, ସୁବାଷ ମହାରଣା ପ୍ରମୁଖ ସହ ଅନ୍ୟ ସାମ୍ବାଦିକ ମାନେ ସହଯୋଗ କରିଥିଲେ।

ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.