ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମିଳିଲା ଜାମିନ, ଆତ୍ମହତ୍ୟା କଲେ ପୀଡିତା
ମୁମ୍ବାଇ: ପୁଣିଥରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁରରେ ଜଣେ ୧୬ ବର୍ଷୀୟ ଦୁଷ୍କର୍ମ ପୀଡ଼ିତା ମାନସିକ ଚାପ ସହ୍ୟ ନ କରିପାରି ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ସେ ଏପରି ଚରମ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।
ପୁଲିସର ସୂଚନା ଅନୁସାରେ, ସୋମବାର ରାତିରେ ଜରିପଟକା ପୁଲିସ୍ ଷ୍ଟେସନ ଅଞ୍ଚଳରେ ଏପରି ଘଟଣା ଘଟିଛି। ନାବାଳିକା ପୀଡ଼ିତା ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ନାବାଳିକାଙ୍କୁ ଜୁନ୍ ମାସରେ ତାଙ୍କ ସାବତ ମା’ଙ୍କ ଜଣେ ସମ୍ପର୍କୀୟ ଅପହରଣ କରିବା ପରେ ଦୁଷ୍କର୍ମ କରିଥିଲେ।
ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗୋଟିଏ ଅପହରଣ ମାମଲା ରୁଜୁ ହୋଇଥିଲା। ସେହିପରି ବେଙ୍ଗାଲୁରୁରୁ ନାବଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଏହପରେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା। ପୁଲିସ୍ ନିକଟରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଜାମିନ ପାଇବାକୁ ସକ୍ଷମ ହୋଇଥିଲେ।
ଅଭିଯୁକ୍ତକୁ ଜାମିନ ମିଳିବାରୁ ପୀଡ଼ିତା ଜଣଙ୍କ ମାନସିକ ଚାପରେ ରହୁଥିଲେ। ଅଗଷ୍ଟ ୧୧ରୁ ହିଁ ଅଭିଯୁକ୍ତ ଜଣଙ୍କ ଜେଲରୁ ଖଲାସ ହୋଇଥିଲେ ହେଁ ସେ ପୀଡ଼ିତାଙ୍କୁ କୌଣସି ଧମକଚମକ ଦେବାର ଅଭିଯୋଗ ପୁଲିସ୍ ପାଖରେ ପହଞ୍ଚି ନଥିଲା। ତଥାପି ପୀଡ଼ିତା ଜଣଙ୍କ ଭୟର ବାତାବରଣ ମଧ୍ୟରେ ଜୀବନ କାଟୁଥିଲେ। ଏବେ ସେ ଜୀବନ ହାରି ଦେଇଛନ୍ତି।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )