ପଞ୍ଚାୟତ ନିର୍ବାଚନକୁ ନେଇ ଗଜପତି ଜିଲ୍ଲାର ରାଜନୈତିକ ବାତାବରଣ ସରଗରମ

0 191

ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଗଜପତି ଜିଲ୍ଲାର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ବିଶେଷ କରି ଏକ୍ଷେତ୍ରରେ ଶାସକ ବିଜେଡି ଦଳ ଅନ୍ୟ ରାଜନୈତିକ ଦଳ ତୁଳନାରେ ବହୁ ଆଗରେ ଥିବା ଭଳି ଦଳୀୟ ନେତା ଓ କର୍ମୀଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ଭାଇରଲ ଭିଡିଓ ଓ ଫୋଟ ମାଧ୍ୟମରେ ଦୃଷ୍ଟିଗୋଚର ହେଉଛି । ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ଦେଖି ଲଗାତାର ୫ମ ଥର ପାଇଁ ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଜଣାଇଥିଲେ । କିନ୍ତୁ ଗଜପତି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ମାନେ ପରାଜୟ ବରଣ କରିଥିଲେ । ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ନେତା ମାନେ ନିଜର ଦଳୀୟ ସଙ୍ଗଠନକୁ ସୁଦୃଢ କରିବାସହ ଆଗାମୀ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀକୁ ପାର କରିବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି । ଏପରି ଦଳ ତରଫରୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନବରତ ଭାବେ ଜାରି ରହିଛି । ଦଳୀୟ ବୈଠକ ଗୁଡିକରେ ବହୁ ନୂଆ ଚେହେରାକୁ ଦେଖିବାକୁ ମିଳୁଛି । ସେଥି ମଧ୍ୟରେ ଜଣାଶୁଣା ବିବାଦୀୟ ବିଜନେସ ଟାଇକୁନ୍ ତଥା ଗତ ସଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିବା ତିରୁପତି ପାଣିଗ୍ରାହୀ ଅନ୍ତର୍ଭୁକ୍ତ ଅଛନ୍ତି ।

ସେ ବିଜେଡିର ସଦସ୍ୟ ନଥାଇ ମଧ୍ୟ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଗୁଡିକରେ ମଞ୍ଚାସୀନ ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବା ରାଜନୀତି ବିଶେଷଜ୍ଞଙ୍କ ଠାରୁ କିଛି ବିଜେଡିର କିଛି ବରିଷ୍ଠ ନେତା ଓ ସ୍ୱଭିମାନୀ ଦଳୀୟ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ସଧାରଣ ନିର୍ବାଚନ ପୂର୍ବରୁ କିଛି ମାସ ବିଜେପି ପରେ କଂଗ୍ରେସ ଶିବିରରେ ରହିଥିଲେ । ଏପରିକି ଦଳୀୟ ଟିକେଟ ପ୍ରଦାନ କରିବା ପୂର୍ବରୁ କଂଗ୍ରେସ ଦଳ ବ୍ୟାନରକୁ ବ୍ୟବହାର ପାରଳାଖେମୁଣ୍ଡି ବିଧାନସଭା ଆସନ ନିମନ୍ତେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ କଂଗ୍ରେସ ଦଳ ତାଙ୍କୁ ଟିକେଟ ପ୍ରଦାନ କରିନଥିଲା । ପରବର୍ତ୍ତି ସମୟରେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଯାହାକି ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପାରଳାଖେମୁଣ୍ଡି ରାଜବଂଶର ଦାୟାଦ ମହାଦେଇ କଲ୍ୟାଣୀ ଦେବୀଙ୍କ ପରାଜୟର ପ୍ରମୁଖ କାରଣ ପାଲଟିଥିଲା । ବହୁଦିନ ହେବେ ତିରୁପତି ଦଳରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ଖୁବଶୀଘ୍ର ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ । ଶିଳ୍ପପତି ତିରୁପତି ପାଣିଗ୍ରାହୀଙ୍କୁ ବିଜେଡି ଗ୍ରହଣ କରେ କାର୍ଯ୍ୟକଳାପ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିବା ତଥା ଦଳ ପାଇଁ ଦୀର୍ଘଦିନ ହେବ ସ୍ୱାଭିମାନ ଓ ଆନ୍ତରିକତାର ସହ କାର୍ଯ୍ୟ କରୁଥିବା ନେତା ଓ କର୍ମୀ କେତେଦୂର ଗ୍ରହଣ କରିବେ ତାହା ଭବିଷ୍ୟତ କହିବ । ତେବେ ଏ ସମ୍ପର୍କରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କୁ ପଚାରିବାରୁ ତିରୁପତି ପାଣିଗ୍ରାହୀ ବିଜେଡିକୁ ସମର୍ଥନ କରୁଛନ୍ତି ଏବଂ ଦଳକୁ ଯେ କେହିବି ସମର୍ଥନ କଲେ ଆମେ ସମର୍ଥନ କରୁ ଆମେ ସ୍ୱାଗତ କରୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତିରୁପତି ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ସମଗ୍ର ଦେଶରେ ଜଣେ ନିର୍ମଳ ଭାବମୂର୍ତ୍ତି ବ୍ୟକ୍ତିତ୍ୱ ଓ ସ୍ୱଚ୍ଛଶାସନ ପାଇଁ ପରିଚିତ ଅଟନ୍ତି । ସମଗ୍ର ରାଜ୍ୟରେ ତାହା ଜାଣିବା ଆଉ କାହା ନିକଟରେ ଅଛପା ହୋଇ ରହିନାହିଁ । ସମଗ୍ର ରାଜ୍ୟରେ ୩୫ରୁ ଉର୍ଦ୍ଧ ଠକେଇ ସମେତ ଅନ୍ୟନ୍ୟା ମାମଲାରେ ଅଭିଯୁକ୍ତ ଥିବା ତିରୁପତି ପାଣିଗ୍ରାହୀଙ୍କ ଭଳି ଜଣେ ବିବାଦୀୟ ଶିଳ୍ପପତିଙ୍କୁ ଦଳରେ ସାମିଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ବ୍ୟକ୍ତିତ୍ୱ ଓ ସ୍ୱଚ୍ଛଶାସନରେ ଦାଗ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦଳୀୟ ନେତୃବୃନ୍ଦଙ୍କ ସମେତ ରାଜନୈତିକ ବିଶେଷଜ୍ଞ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହାସହ ନିଜନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଗ୍ରାମ କରୁଥିବା ବିରୋଧି ଦଳ ଗୁଡିକ ଏହାକୁ ଏକ ମୁଖ୍ୟପ୍ରସଙ୍ଗ ଭାବେ ଗ୍ରହଣ କରିବାକୁ ସୁଯୋଗ ମିଳିବ ।

ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.