ପୁଣି ଜଣେ ବିଜେପି ବିଧାୟକ ଟିଏମସିରେ ମିଶିଲେ
ଜଣଙ୍କ ପରେ ଜଣେ ବିଜେପି ବିଧାୟକ ଏବେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମୁହାଁ ହେବାରେ ଲାଗିଛନ୍ତି। ପୂର୍ବରୁ ଅନେକ ବିଜେପି ବିଧାୟକ ଦଳ ଛାଡ଼ି ଟିଏମସିରେ ମିଶିଥିବା ବେଳେ ଏବେ ବିଧାୟକ କ୍ରିଷ୍ଣା କଲ୍ୟାଣୀ ସମାନ ପଦକ୍ଷେପ ନେଇଛନ୍ତି। ସେ ବିଜେପି ଟିକେଟରୁ ରାଇଗଞ୍ଜ ଆସନରୁ ଜିତିଥିଲେ। ତେବେ ପ୍ରାୟ ମାସକ ତଳେ ସେ ବିଜେପି ଛାଡ଼ିଥିବା ଘୋଷଣା କରିଥିଲେ।
ଏବେ ସେ ବିଧିବଦ୍ଧ ଭାବେ ଟିଏମସିରେ ଯୋଗଦେଇଛନ୍ତି। ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀଙ୍କ କ୍ରିଷ୍ଣାଙ୍କ ତିକ୍ତତା ଚାଲିଥିଲା। ଏହି କାରଣରୁ ସେ ବିଜେପି ଛାଡ଼ିଥିଲେ। ଆଜି ସେ ଟିଏମସିର ଭେଟରାନ ନେତା ପାର୍ଥ ଚାଟାର୍ଜୀଙ୍କ ଠାରୁ ଦଳୀୟ ପତାକା ଗ୍ରହଣ କରିଛନ୍ତି।
ପୂର୍ବରୁ ମୁକୁଲ ରୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ସବ୍ୟସାଚ୍ଚୀ ଦତ୍ତ ପ୍ରମୁଖ ବିଜେପି ଛାଡ଼ି ଟିଏମିରେ ମିଶିଥିଲେ। କ୍ରିଷ୍ଣା ୫ମ ବିଜେପି ବିଧାୟକ ଯିଏ ଟିଏମସିରେ ମିଶିଛନ୍ତି।
ମୁକୁଲ ରୟ ନଦିଆରେ ଥିବା କ୍ରିଷ୍ଣାନଗର ଆସନରୁ ବିଜେପି ଟିକେଟରୁ ବିଜୟୀ ହୋଇଥିଲେ। ସେହିପରି ବିଜେପି ଟିକେଟରୁ ଜିତି ଟିଏମସିରେ ମିଶିଥିବା ଅନ୍ୟ ବିଧାୟକମାନେ ହେଲେ ସୌମେନ ରୟ, ତନ୍ମୟ ଘୋଷ ଓ ବିଶ୍ୱଜିତ ଦାସ।
ଉତ୍ତର ଦିଞ୍ଜାପୁରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଧାୟକ କ୍ରିଷ୍ଣା ଟିଏମସିରେ ମିଶିବା ପରେ କହିଛନ୍ତି, “ବିଜେପି ସହ ମିଶି କାମ କରିବାର କୌଣସି ସୁଯୋଗ ନାହିଁ। ସେଠାରେ କେବଳ ଷଡ଼ଯନ୍ତ୍ର ଓ ବିଶ୍ୱାସ ଘାତକ କରାଯାଏ। ବର୍ତ୍ତମାନ ପରିସ୍ଥିତିରେ କିଛି ବି ଭଲ କାମ କରାଯାଇ ପାରିବ ନାହିଁ। ତେଣୁ ବିଜେପି ଠାରୁ ଦୂରେଇ ରହିବା ସବୁଠାରୁ ଶ୍ରେୟସ୍କର।”
ସୂଚନାଯୋଗ୍ୟ, ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କ୍ରିଷ୍ଣା ଅକ୍ଟୋବର ୧ରେ ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କୁ ଦେଶଦ୍ରୋହୀ ମଧ୍ୟ କହିବାକୁ ପଛାଇ ନଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ କ୍ରିଷ୍ଣା କଲ୍ୟାଣୀ ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ସେ ଏହାକୁ ତାଙ୍କ ଜୀବନର ସବୁଠାରୁ ଭୁଲ ଥିଲା ବୋଲି କହିଛନ୍ତି।
ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )