ପେଗାସସ୍‌ ବିବାଦ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

0 2

ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପେଗାସସ୍‌ ଦ୍ୱାରା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ବିଶେଷଜ୍ଞ ଟିମ ଦ୍ୱାରା କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏସବୁ ଭିତରେ ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ପେଗାସସ୍‌ ଗୋଟିଏ ପ୍ରୟାସ ବୋଲି ରାହୁଲ କହିଛନ୍ତି।

ସେ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ପେଗାସସ୍‌ ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଗୋଟିଏ ପ୍ରୟାସ। ପେଗାସସ୍‌ ଦ୍ୱାରା ଦେଶ ଉପରେ ଆକ୍ରମଣ କରାଯାଇଛି। ଦେଶର ବିଭିନ୍ନ ସାମ୍ବିଧାନିକ ସଂସ୍ଥା ମଧ୍ୟ ପେଗାସସ୍‌ ହମଲାର ଶିକାର ହୋଇଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ ସୁପ୍ରିମକୋର୍ଟଙ୍କ କମିଟି ସବୁ ସତ ସାମ୍ନାକୁ ଆଣିବାକୁ ସକ୍ଷମ ହେବେ।”

ରାହୁଲ ଗାନ୍ଧି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପେଗାସସ୍‌ କେଉଁ ଏଜେନ୍ସି ଭାରତକୁ ଆଣିଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ସଂସଦର ଗତ ଅଧିବେଶନରେ ଆମେ ପେଗାସସ୍‌ ପ୍ରସଙ୍ଗ ଉଠାଇଥିଲୁ। ଆଜି ସୁପ୍ରିମକୋର୍ଟ ତାଙ୍କର ମତାମତ ଦେଇଛନ୍ତି ଓ ଆମେ କହୁଥିବା କଥାକୁ ସମର୍ଥନ ମଧ୍ୟ କରିଛନ୍ତି। ଆମେ ଏଠାରେ ୩ଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ। ପେଗାସସ୍‌କୁ କିଏ ଅନୁମତି ଦେଇଥିଲା? କେଉଁମାନଙ୍କ ବିରୋଧରେ ଏହାର ବ୍ୟବହାର କରାଯାଇଛି? ଆମ ଲୋକମାନଙ୍କ ତଥ୍ୟ ଅନ୍ୟ ଦେଶମାନଙ୍କ ପାଖରେ ରହିଛି କି? ବିଜେପି କେବେ ହେଲେ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ଚାହିଁବ ନାହିଁ। ତଥାପି ଆମେ ସଂସଦରେ ପୁଣି ଏହି ପ୍ରସଙ୍ଗ ଉଠାଇବୁ।”

ସେ ଆହୁରି କହିଛନ୍ତି, “ପେଗାସସ୍‌କୁ ମୁଖ୍ୟମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ବିଜେପି ମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ବ୍ୟବହାର କରାଯାଇଛି। କ’ଣ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ପେଗାସସ୍‌ ଦ୍ୱାରା ସବୁ ତଥ୍ୟ ହାସଲ କରୁଥିଲେ? ଯଦି ନିର୍ବାଚନ କମିଶନ ଓ ବିରୋଧୀ ଦଳ ନେତାଙ୍କ ଫୋନ ଟ୍ୟାପିଂ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ତା’ହେଲେ ଏହା ଅପରାଧ।”

ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ। ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା, ସାମ୍ବାଦିକ, ଶିଳ୍ପପତି, ପୂର୍ବତନ ବିଚାରପତି ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଫୋନ ନଂ ରହିଛି।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା। ଫଳରେ ଗୃହରେ ପେଗାସସ୍‌ ଝଡ଼ ଦେଖିବାକୁ ମିଳିଥିଲା। ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଥିଲେ।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.