ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା କମିଲା

0 5

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି।

ନ୍ୟୁଜି ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରାଯାଇଛି। ଦୀପାବଳି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ।
କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ପ୍ରାୟ ଦୁଇ ଗୁଣ ହ୍ରାସ କରିଛନ୍ତି। ଏହାର ରବି ଫସଲ ସମୟରେ ଚାଷୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଭାବେ କାମ କରିବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି। ସେହିପରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାର ମାନଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ କମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଭ୍ୟାଟ ହ୍ରାସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ। ଏବେ କିନ୍ତୁ ଉତ୍ପାଦ ଶୁଳ୍କ ମାତ୍ର ୫ ଟଙ୍କା ହ୍ରାସ କରାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ଟଙ୍କା, କୋଲକାତାରେ ୧୧୦.୪୯ ଟଙ୍କା, ମୁମ୍ବାଇରେ ୧୧୫.୮୫ ଟଙ୍କା, ଚେନ୍ନାଇରେ ୧୦୬.୭୬ ଟଙ୍କା ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହା ୧୧୧.୨୫ ଟଙ୍କା ରହିଛି। ହେଲେ କାଲି ଠାରୁ ଏହି ଦର ହ୍ରାସ ପାଇବ। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା। ବିଶେଷ କରି ହିମାଚଳ ପ୍ରଦେଶରେ ଦଳ ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଏହି ବୟାନକୁ ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.