ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ ବିଭାଗ: ସମ୍ପତ୍ତି ବାଜ୍ୟାପ୍ତି ହେବ!

0 16

ଦୀର୍ଘ ୨୩ ଘଣ୍ଟା ଧରି ମାରାଥନ ଚଢ଼ାଉ କରିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର ମଧ୍ୟ ଜବତ କରାଯାଇଛି । ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପଦକ୍ଷେପ ନିଆଯାଉଛି । ସେହିଭଳି ତାଙ୍କର ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଛି । ଚଢ଼ାଉ ବେଳେୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ତେବେ ଏହି କାଗଜପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସ ଫାଇନାନ୍ସିଆଲ ୱିଙ୍ଗର ଅଧିକାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ କନ୍ସଲଟାଣ୍ଟ ଏହି ସବୁ କାଗଜପତ୍ରର ଯାଞ୍ଚ କରୁଛନ୍ତି । ସେହିପରି ମିଳିଥିବା ଇଲେକ୍ଟ୍ରୋନିକ୍ସ ପ୍ରମାଣ ଓ ଦସ୍ତାବିଜର ଯାଞ୍ଚ ଭିଜିଲାନ୍ସର ସାଇବର ସେଲ୍ କରୁଛି । ସୂଚନା ଯୋଗ୍ୟ ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସକାଳ ସାଢ଼େ ୭ଟାରେ ଚଢ଼ାଉ କରାଯାଇଥିଲା । ଆଜି ସକାଳ ୬ଟାରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ବାହାରିଥିଲେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏଥିମଧ୍ୟରେ ଥିଲା ତାଙ୍କର ସମ୍ପର୍କୀୟ ଓ ସହଯୋଗୀଙ୍କ ଘର । ତାଙ୍କର ଅତି ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଜଣେ ଏସପି, ୨ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.