ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଧରିତ୍ରୀର ଚିକିତ୍ସା ଆଶା ଉଜ୍ଜିବୀତ

0 8

ଗୋଷାଣୀନୂଆଗାଁ ସ୍ଥିତ ଧୋବା ସାହି ନିବାସୀ ଦେବହରି ସେଠୀ ନିତିଦିନିଆ ମଜୁରିଆ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ଦୁଇ ପିଲାଙ୍କ ମଧ୍ୟରୁ ଝିଅ ଧରିତ୍ରୀ (୩) ରକ୍ତ କର୍କଟ ରୋଗରେ ପୀଡିତ ଥିବା ଜାଣି ପରିବାରର ଚିନ୍ତା ବଢ଼ିଯାଇଥିଲା । ବଡ଼ ମେଡିକାଲ ରେ କର୍କଟ ରୋଗର ସେଭଳି କିଛି ଉନ୍ନତ ଚିକିତ୍ସା ବ୍ୟବସ୍ଥା ନାହିଁ। ସେପଟେ ଅର୍ଥ ଅଭାବ ଯୋଗୁ ଜଟିଳ ରୋଗର ଚିକିତ୍ସା ପାଇଁ ସହର ବାହାରକୁ ଯିବାକୁ ପାଖରେ ଟଙ୍କାଟିଏ ନାହିଁ। ସ୍ୱଳ୍ପ ରୋଜଗାରରେ ପୁଅକୁ କିପରି ପାଠ ପଡ଼ାଇବେ ଚିନ୍ତା ଘାରୁଥିବା ବେଳେ ଝିଅର ରକ୍ତ କର୍କଟ ରୋଗ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲା । ତଥାପି ଦେବହରି ପିଲାର ଜୀବନ ବଞ୍ଚାଇବା ପାଇଁ ଝିଅକୁ ଧରି ଗତ ଶନିବାର ୨୦ତାରିଖ ଦିନ ଭୁବନେଶ୍ଵର ସ୍ଥିତ AIIMS ଚିକିତ୍ସାଳୟକୁ ଯାଇଥିଲେ କିନ୍ତୁ ସେଠାରେ କୌଣସି କାଗଜପତ୍ର ନେଇନଥିବାରୁ ନିରାଶ ହୋଇ ଫେରିଥିଲେ । ପୁଣି ଗତ ସୋମବାର ୨୨ ତାରିଖ ଦିନ ସେ ତାଙ୍କ ଆଧାର କାର୍ଡ ସମେତ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନେଇ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ ତାଙ୍କ ଆଧାର କାର୍ଡ ରେ ତ୍ରୁଟି ଥିବା ଦେଖାଇ ଚିକିତ୍ସା ହୋଇପାରିବ ନାହିଁ କହି ଫେରାଇ ଦେଇଥିଲେ । ଦେବହରି ସମସ୍ତ ଆଶା ଭରଷା ଛାଡ଼ି ଦେଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ତାଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ପରିବାରର ଅସରନ୍ତି ଦୁଃଖ ଏବଂ କୁନି ଝିଅଟିର ଦୁର୍ବିସହ ରୋଗ ଦେଖି ଓ ଶୁଣି ସାମ୍ବାଦିକ ଚୌଧୁରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ସେଠାରୁ ଫେରି ଶ୍ରୀ ଚୌଧୁରୀ ଏହି ବିଷୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମହାନଗର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଉକ୍ତ ଝିଅକୁ ଉନ୍ନତ ଚିକିତ୍ସା ଏବଂ ପରିବାରକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଥଲେ। ସବୁ କଥା ଅବଗତ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତି ଭାସନ୍ ସହାୟତା ପାଣ୍ଠିରୁ ୧୦ ହଜାର ଟଙ୍କା ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ଦ୍ବାରା, ବ୍ରହ୍ମପୁର ସିଟି ହସ୍ପିଟାଲ ଅଧିକ୍ଷକ ଡ଼ା ବିଶ୍ବମ୍ବର ବେହେରା, ପରିଚାଳକ ଭାବାନାଥ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନାଜିର୍ ମନୋରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ଆପାତ କାଳୀନ ଚିକିତ୍ସା ପାଇଁ ପ୍ରଦାନ କରିଥଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.