ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା

0 5

ସୁନ୍ଦରଗଡ଼ : ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନ୍ଦରଗଡ଼ର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।
ଗତ ୧୫ ବର୍ଷ ଧରି ଜିଲ୍ଲାର ବଡ଼ଗାଁ ତହସିଲ ଗରଗଡ଼ବାହାଲ ଗାଁର ଆଶାକର୍ମୀ ଭାବେ କାର୍ଯ୍ୟ କରି ଆସୁଥିବା ୪୫ ବର୍ଷୀୟା ଏହି ମହିଳା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଏବଂ ଅଞ୍ଚଳରୁ ଅନ୍ଧବିଶ୍ବାସ ସହ ଜାତିବାଦ, ଅସ୍ପୃଶ୍ୟତା ପରି ଘୃଣ୍ୟପ୍ରଥାକୁ ଦୂର କରିବା ପାଇଁ ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି। ତେବେ କୋଭିଡ୍ ଯୋଦ୍ଧା ଭାବେ ଏହି ତାଲିକାରେ ସ୍ଥାନ ପାଇଥିବା ମାତିଲଦା ବିଭିନ୍ନ କ୍ଷେତ୍ରର ସେବାମୂଳକ କାର୍ଯ୍ୟରେ ନିୟୋଜିତ ବା ନିମଗ୍ନ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଅନନ୍ୟ ଉଦାହରଣ ସାଜିଛନ୍ତି।
ମାତିଲଦାଙ୍କ ଦିନଚର୍ଯ୍ୟା ସକାଳ ୫ଟାରୁ ଆରମ୍ଭ ହୋଇଥାଏ। ସକାଳୁଆ ନିତ୍ୟକର୍ମ ସରିବା ପରେ ପ୍ରଥମେ ସେ ଘରକାମ ଶେଷକରନ୍ତି। ପରିବାରର ୪ଜଣ
ସଦସ୍ୟଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବା ସହ ଗୋରୁମାନଙ୍କୁ ଖାଇବାକୁ ଦିଅନ୍ତି। ଏହାପରେ ତାଙ୍କ ଅସଲ ଜୀବନଯାତ୍ରା ଆରମ୍ଭ ହୋଇଥାଏ। ସାଇକଲରେ ଗାଁ ଭିତରକୁ ଗଡ଼ନ୍ତି। ପ୍ରତିଟି ଦୁଆରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବା ସହ ଗ୍ରାମବାସୀଙ୍କୁ କଳାଯାଦୁ ଉପରେ ନିର୍ଭର ନକରି ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଆପଣେଇବା ଦିଗରେ ସଚେତନ କରାନ୍ତି। ଏହିକ୍ରମରେ ସେ ଗାଁର ପ୍ରାୟ ୯୬୪ ଲୋକଙ୍କ ଯତ୍ନ ନେଉଥିବା ଜଣାଯାଏ। ଘର ପରିଦର୍ଶନ ବ୍ୟତୀତ, ଔଷଧ ଯୋଗାଇବା, ପ୍ରସବ ସମୟରେ ମାଆମାନଙ୍କୁ ଡାକ୍ତରଖାନା ନେବା ଓ ଉଭୟ ମା ଓ ନବଜାତ ଶିଶୁଙ୍କ ନିୟମିତ ଯତ୍ନ ନେବା ଆଦି କାର୍ଯ୍ୟ କରିଥାନ୍ତି। କୁଲୁଙ୍କର ଅନ୍ୟାନ୍ୟ ନିୟମିତ କାର୍ଯ୍ୟଗୁଡ଼ିକ ହେଉଛି ଆଣ୍ଟେନେଟାଲ୍/ପୋଷ୍ଟନାଟାଲ୍ ଚେକ୍ ଅପ୍, ପ୍ରତିରୋପଣ, ସାନିଟାଇଜେସନ୍, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା, ପୋଲିଓ, ଅନ୍ୟାନ୍ୟ ଟିକାକରଣ ଓ ବିଭିନ୍ନ ସର୍ଭେ। ଯେଉଁ ସବୁକୁ ସେ ସୂଚାରୁରୂପେ କରିଆସୁଛନ୍ତି। କେବଳ ସେତିକି ନୁହେଁ, ଜାତିପ୍ରଥାର ବିଲୋପ କରାଇବା ଦିଗରେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଅନନ୍ୟ ପରିଚୟ ଦେଇଛି। ମାସିକ ମାତ୍ର ୪୫୦୦ ଟଙ୍କା ପାରିଶ୍ରମିକ ପାଉଥିବା ଶ୍ରୀମତୀ କୁଲୁ ଗାଁରେ ଭରି ରହିଥିବା ଅନ୍ଧବିଶ୍ୱାସ, ଜାତିବାଦ ଓ ଅସ୍ପୃଶ୍ୟତାକୁ ଚ୍ୟାଲେଞ୍ଜ ସହ ଗ୍ରହଣ କରି ଆଗକୁ ବଢ଼ିଛନ୍ତି।
କୋଭିଡ୍‌ -୧୯ ଆରମ୍ଭରୁ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଆସୁଥିବା ଗାଁର ଜଣେ ସାଧାରଣ ମହିଳା ମାତିଲଦା ଦେଶର ଶକ୍ତିଶାଳୀ ମହିଳା ବ୍ୟକ୍ତିତ୍ବ ତାଲିକାରେ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ସାଉଁଟିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.