ବସ୍ତି ଅଞ୍ଚଳର ଗରୀବ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଇ-ସ୍କୁଲ ସହାୟତା

କରୋନା ମହାମାରୀ ଯୋଗୁଁ ସାଧାରଣ ଶିକ୍ଷା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବିଶେଷ ଭାବରେ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁ ଛାତ୍ରଛାତ୍ରୀମାନେ ଅନ-ଲାଇନ ପାଠପଢା ସମୟରେ ଗୁରୁତ୍ବର ସହ ପଢାପଢି କରି ନାହାନ୍ତି ବା ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଠପଢା ପ୍ରତି ଦୃଷ୍ଟି ଦେଇ ପାରି ନାହାନ୍ତି ସେଠି ପରିସ୍ଥିତି ଆହୁରି ସଙ୍ଗୀନ। କରୋନା କାଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାସ ହୋଇଥିବା ହେତୁ ଏବେ ବିଦ୍ୟାଳୟରେ ବିଚିତ୍ର ଅବସ୍ଥା ଦେଖିବାକୁ ମିଳୁଛି। ବାସ୍ତବିକ କ୍ଷେତ୍ରରେ ୭ମ ଓ ଅଷ୍ଟମ ଶ୍ରେଣୀର ପାଠ ଆସୁ ନ ଥିବା ଛାତ୍ରଛାତ୍ରୀମାନେ ଏବେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏମାନଙ୍କୁ ପାଠ ବୁଝାଇବା ଶିକ୍ଷକଙ୍କ ପାଇଁ ଏବେ କଠିନ ବ୍ୟାପାର ହୋଇଛି। ଆଗକୁ ଏହି ଛାତ୍ରଛାତ୍ରୀମାନେ ସାଧାରଣ ବର୍ଷ ଭଳି ପରୀକ୍ଷାର ସମ୍ମୁଖୀନ ହେବେ। ଏପରି ସ୍ଥଳେ ଛତ୍ରପୁର ସହରର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ପରିବାରର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଇ ସ୍କୁଲ ପାଠ୍ୟକ୍ରମ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତ୍ରପୁର ଷ୍ଟେସନ ରୋଡ ମେଟା ସାହି ନିକଟରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସହରର ସମସ୍ତ ସ୍ୱଚ୍ଛସାଥିଙ୍କ ସମେତ ତିନି ନମ୍ବର ୱାର୍ଡ଼ର କିଛି ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଓକେସିଏଲ ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଶ୍ରୀମତି ଏସ୍ ରେଖା ମହାନ୍ତି ଓ ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ମୋବାଇଲ ଫୋନ ଯୋଗେ କିପରି ଏହି ପାଠ୍ୟକ୍ରମ ପ୍ରଚଳନ ହେବ ସେ ବାବଦରେ ତାଲିମ ପ୍ରଦାନ କରିଥିଲେ। ଛତ୍ରପୁର ଏନଏସିର ମନୋରଞ୍ଜନ ମିଶ୍ର ଓ ଶୁଭଶ୍ରୀ ତରେଇ ଶିବିର ପରିଚାଳନା କରିଥିଲେ।
ଗଞ୍ଜାମ ଇପିଏରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )