ବିକାଶର ନଗ୍ନ ଚିତ୍ର ପୋଖରୀସାହି ଗାଁ ରୋଗୀଙ୍କୁ ସଙ୍ଗୀରେ ବୋହିନେବା ଏଠି ନିତିଦିନିଆ ଘଟଣା

0 5

ତିହିଡି : ବିକାଶର ନଗ୍ନ ଚିତ୍ର ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ପୋଖରୀସାହି ଗାଁ । ଯେଉଁଠି ରୋଗୀଙ୍କୁ ସଂଙ୍ଗୀରେ ବୋହିନେବା ନିତିଦିନିଆ ଘଟଣା । ନିର୍ବାଚନ ପୂର୍ବରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଇ ଦେବାଲାଗି ପାହାଡର ପ୍ରତିଶୃତି ମିଳିଥାଏ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ କାଶିଆ କିଏ ନାଁ କପିଆ କିଏ କାହାରି ଦର୍ଶନ ମିଳେନା । ପଞ୍ଚାୟତକୁ ମିନି ସଚିବାଳୟ କରାଇଥିବା ରାଜ୍ୟ ସରକାର କେବଳ ପଞ୍ଚାୟତ ପ୍ରଶାସନ ଉପରେ ଦୋଷ ଲଦି ଦେଇଥିବା ବେଳେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ନିରବ ସାଜିଥିବା ବେଶ ଅନୁମେୟ । ଗତକାଲି ଜନୈକା ପ୍ରସୂତୀ ମହିଳା ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନେବା ଲାଗି କବାଟ ପଟାରେ ସଙ୍ଗୀ କରି ନିଆଯାଇଥିଲା । କାଦୁଅ ପଚର ପଚର ରାସ୍ତାରେ ପ୍ରାୟ ୧୦ ଜଣ ଯୁବକ ସଙ୍ଗିରେ ବୋହି ନେଉଥିଲେ ମହିଳାଙ୍କୁ ।

ଯାହାର ଭିଜୁଆଲ ସୋସିଆଲ୍ ମିଡିରେ ବେଶ ଭାଇରାଲ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ସହିତ ପ୍ରଶାସନିକ ଅଧିକ ଓ ସ୍ଥାନୀୟ ରାଜନେତାଙ୍କ ପାରିଆ ପଣିଆ ଉପରେ ନିଶ୍ଚିତ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବାରି ହେଉଛି । ସେପଟେ ଗ୍ରାମବାସୀଙ୍କର ଅଭିଯୋଗ ପରେ ଅଭିଯୋଗର ଫର୍ଦ୍ଦ ଲମ୍ବୁଥିଲେ ହେଁ ରାଜନୈତିକ ଚକ୍ରାନ୍ତରେ ତଥା ପ୍ରଶାସନିକ ଅଧିକାରୀଙ୍କ ଫାଇଲ୍ ତଳେ ରହି ଯାଏ ଏହି ପ୍ରସଙ୍ଗ । ସମାଧାନର ପନ୍ଥା ଅବଲମ୍ବନ କରିବା ଦୂରର କଥା ଏନେଇ ଆଖିଦୃଶିଆ ତଦନ୍ତ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ପଞ୍ଚାୟତର ୪ ନମ୍ବର ୱାର୍ଡ ହେଉଛି ପୋଖରୀସାହି । ପ୍ରାୟ ୫୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଗାଁକୁ ବାଇପୁରରୁ ପୋଖରୀସାହି ପ୍ରାୟ ୬ ଶହ ମିଟର ଦୂରତା । ସରକାରୀ ରାସ୍ତା ନଥିବା ସ୍ପଷ୍ଟ ହୋଇଛି । ତେବେ ବିଗତ ବର୍ଷରେ ଶସ୍ୟ କ୍ଷେତ୍ରରେ ଥିବା ହିଡରେ ଲୋକେ ଯାତାୟତ କରୁଥିଲେ । ପ୍ରାୟ ୨୦ ବର୍ଷ ତଳେ ଜମି ମାଲିକମାନଙ୍କ ସହିତ ଆପୋଷ ବୁଝାବଣାରେ ୬ ଫୁଟ୍ ଚଉଡାର ମାଟି ରାସ୍ତା ନିର୍ମାଣ କରାଯାଇ କାମଚଳା ଯାତାୟତ କରୁଛନ୍ତି ଗ୍ରାମବାସୀ । ତେବେ ସ୍ଥାୟୀ ରାସ୍ତା ନିର୍ମାଣ ବେଳକୁ ବାଇପୁର ଗ୍ରାମର ଜମିମାଲିକମାନେ ରାଜି ନହେବାରୁ ପଞ୍ଚାୟତ ପକ୍ଷରୁ ବ୍ୟୟ ଅଟକଳ କରାଯାଇଥିବା ପ୍ରାୟ ୫ ଲକ୍ଷ ଟଙ୍କା ଫେରି ଯାଇଥିଲା । ପରବର୍ତ୍ତୀ ସମୟରେ ସରପଞ୍ଚଙ୍କ ସହିତ ଏହି ଗ୍ରାମବାସୀଙ୍କ ଆଲୋଚନା ହେବାପରେ ବାଇପୁର ମେଳନ ପଡିଆ ଠାରୁ ଶସ୍ୟ କ୍ଷେତ୍ର ଦେଇ ପ୍ରାୟ ୧୩ ଶହ ମିଟର ଲମ୍ବର ନୂତନ ରାସ୍ତା ନିର୍ମାଣ କରିବା ଲାଗି ନିଷ୍ପତି ନିଆଯାଇଛି । ଏନେଇ ଗତ ବର୍ଷ ଜମିମାଲିକମାନଙ୍କ ଠାରୁ ପଞ୍ଚାୟତ ପ୍ରଶାସନ ଏଗ୍ରୀମେଣ୍ଟ ମଧ୍ୟ କରିଛି । ମନରେଗା ଯୋଜନାରେ ୨ଟି ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଇଛି । ମାତ୍ର ବର୍ଷା ଦିନ ହେତୁ କାର୍ଯ୍ୟାରମ୍ଭ ହୋଇ ପାରିନଥିବା କହିଛନ୍ତି ସରପଞ୍ଚ ବିପିନ ବେହେରା । ଅନ୍ୟପଟେ ସରକାରୀ ଟଙ୍କା ଖର୍ଚ୍ଚ ହେଉଥିବା ରାସ୍ତାରେ ଘରୋଇ ଜମିମାଲିକମାନେ ବ୍ଲକ ପ୍ରଶାସନଙ୍କୁ ଉକ୍ତ ଜମିକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଏଗ୍ରୀମେଣ୍ଟ କରିବା ଲାଗି କୁହାଯାଇଛି । ଯାହା ଫଳରେ କୌଣସି ସମୟରେ ଏହି ଘରୋଇ ଜମିମାଲିକମାନେ ରାସ୍ତା ଅବରୋଧ କରିବାରୁ ନିବୃତ ରହିବେ । ତେବେ ସେ ଯାହା ହେଉନା କାହିଁକି ସରକାରଙ୍କ ଗାଁକୁ କାମ ଆଉ ମାଆକୁ ସମ୍ମାନର ନାରା ଆଜି ଏହି ପୋଖରୀସାହିରେ ଫିକା ପଡିଛି । ଯେଉଁ ସମାଧାନର ପନ୍ଥା ଏବେ ନିଆଯାଉଛି ତାହା ବହୁ ପୂର୍ବରୁ ନିଆଯାଇ ଥାଇ ପାରନ୍ତା ବୋଲି ମତପ୍ରକାଶ ପାଇଛି । ଦମକଳ, ଆମ୍ବୁଲାନ୍ସ ଏହି ଗାଁକୁ ସାତ ସପନ ହୋଇଥିବା ବେଳେ ବିବାହ ଓ ମାଙ୍ଗଳିକ କାର୍ଯ୍ୟରେ ଗାଡିଟିଏ ଗାଁ ଯାଇ ପାରେ ନାହିଁ । ଖରାଦିନେ ଲୋକେ ଯେନତେନ ପ୍ରକାରରେ ଚଳି ଆସୁଥିବା ବେଳେ ବର୍ଷା ଦିନ ଆସିଲେ କଥା ସରେ । ପାଖ ଗାଁ ବାଇପୁରରେ ପରଦୂଆରେ ସାଇକେଲ ବା ବାଇକ୍ ରଖିବା ବ୍ୟତିତ ଅନ୍ୟ କିଛି ଉପାୟ ନଥାଏ । କୁନି କୁନି ସ୍କୁଲ ପିଲାଙ୍କ ସମେତ କଲେଜ ପଢୁଆ ପିଲା ଓ ବୃଦ୍ଧ ବୃଦ୍ଧ ବ୍ୟାପକ ଭାବେ କ୍ଷତିଗ୍ରସ୍ଥ ହୋଇଥାନ୍ତି । ଏକ ପ୍ରକାଶ ଅଭିଶପ୍ତ ଜୀବନ ଯାପନ କରନ୍ତି ଏହି ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ଯୋଗାଇ ଦେବାକୁ ଗଙ୍ଗାଧର ବାରିକ, ଅଜୟ କବି, ବୈଲୋଚନ ବେହେରା, ରମାକାନ୍ତ କବି, ମହେଶ୍ୱର କବି, ଯୁଧିଷ୍ଟିର ବେହେରା, ରୁନା ବାରିକ, ପ୍ରଭାକର କବି, କୁଞ୍ଜବିହାରୀ ବେହେରା, କାଳନ୍ଦି ବାରିକ, ଈଶ୍ୱର କବି, ତପନ କବି, ପ୍ରକାଶ କବି, ଦାମୋଦର କବି ଓ ଶଶିକାନ୍ତ ବେହେରା ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

ଭଦ୍ରକ ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.