ବିନା ଟାଉନପ୍ଲାନିଂରେ ନିର୍ମାଣ ହୋଇଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

0 6

ଲୋକସଂଖ୍ୟା ବଢ଼ିବା ସହ ବଢ଼ୁଛି ଯାଜପୁର ସହରର କଳେବର। ମୁଣ୍ଡ ଟେକୁଛି ନୂଆନୂଆ କୋଠାଘର। ସହର ସାରା ମାଳମାଳ ଘର ନିର୍ମାଣ ହେଉଥିବାବେଳେ ବିନା ଟାଉନ ପ୍ଲାନିଂରେ ଅନେକ ଘର ଗଢ଼ିଉଠୁଛି। ସରକାରୀ ନିୟମକୁ ଆଡ଼େଇ ବୁଝାମଣାରେ ମିଳୁଛି ନିର୍ମାଣ ଅନୁମତି।
ଯୋଜନାଭିତ୍ତିରେ ହେଉ ନଥିବାରୁ ବ୍ୟବସ୍ଥା ଆଢ଼ୁଆଳରେ ଏକ ଅସଜଡ଼ା ସହର ନିର୍ମାଣ ଚାଲିଛି। ୨୦୦୧ ମସିହାରୁ ଏଠାରେ ସହର ପ୍ଲାନିଂ ଅଫିସ କାର୍ଯ୍ୟ କରୁଛି। ବିନା ଅନୁମତିରେ ଗୃହ ନିର୍ମାଣକୁ ଏହା ରୋକି ପାରୁନାହିଁ। ଯାଜପୁର ସହରରେ ପାଖାପାଖି ୧୪ ହଜାର ଘର ନିର୍ମାଣ ହୋଇଛି। ବାର୍ଷିକ ୫୦/୬୦ଟି ଘର ନିର୍ମାଣ ପାଇଁ ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅନୁମତି ରହିଛି। ୨୦୨୧ ମସିହାରେ ୯୪ଟି ଘର ପାଇଁ ଆବେଦନ ଆସିଥିବାବେଳେ ୨୫ଟି ଅନୁମତି ପାଇଛି। ଆଶ୍ଚର୍ଯ୍ୟର କଥା ସହର ଭିତ‌ରେ ଛିଡ଼ା ହୋଇଥିବା ଜିଲ୍ଲାପାଳଙ୍କ ୫ ମହଲା କାର୍ଯ୍ୟାଳୟ ଓ ୫ ମହଲାବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ବି ଟାଉନ୍‌ ପ୍ଲାନିଂର ବିନା ଅନୁମତିରେ ନିର୍ମାଣ ହୋଇଛି। ବର୍ତ୍ତମାନ ସହର‌ ମଧ୍ୟରେ ଜି ପ୍ଲସ୍‌ ଟୁ ଅନୁମତି ନେଇ କେତେକ ବ୍ୟବସାୟୀ ଏହାଠାରୁ ଅଧିକ ଉଚ୍ଚତାର ଘର ନିର୍ମାଣ କରୁଛନ୍ତି। ସହର ମଧ୍ୟରେ ନିର୍ମାଣାଧୀନ ମେଡିକାଲ କଲେଜ ମଧ୍ୟ ଏଯାବତ ସହର ପ୍ଲାନିଂଠାରୁ କୌଣସି ଅନୁମତି ନେଇ ନଥିବା ବିଭାଗୀୟ କର୍ମଚାରୀ କହିଛନ୍ତି। ଏଣୁ ଭବିଷ୍ୟତରେ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବି ବେଆଇନ ଘର ନିର୍ମାଣ ହେଉଛି।ପୌରପାଳିକାର ୟୁନିଟ-୩ ଅଞ୍ଚଳରେ ବହୁତଳ ପ୍ରାସାଦ ନିର୍ମାଣ ହେଉଥିବାବେଳେ ଏହାକୁ ଯାଜପୁର ସହର ପ୍ଲାନିଂ ବିଭାଗ ବନ୍ଦ କରିପାରି ନାହିଁ। ସେଠାରେ ଜଣେ ଡାକ୍ତରଙ୍କ ଜାଗାକୁ ମଧ୍ୟ ଜୋରଜବରଦସ୍ତ ମାଡ଼ିବସି ନିର୍ମାଣ ହେଉଥିବାରୁ ମାମଲା କୋର୍ଟକୁ ଯାଇଛି। ସହର ପ୍ଲାନିଂ କାର୍ଯ୍ୟାଳୟର ଅଧିକାରୀ କୀର୍ତ୍ତନ ବିହାରୀ ନାୟକ ୧୦ଟିରୁ ଅଧିକ ସହରର ଦାୟିତ୍ବରେ ରହିଛନ୍ତି। ଫଳରେ, ଯାଜପୁରରେ ଥିବା ନିଜର ଦାୟିତ୍ବକୁ ଠିକ୍‌ଭାବେ ତୁଲାଇ ପାରୁନଥିବେ। ତେବେ, ଏହାର ସୁଯୋଗରେ କର୍ମଚାରୀ ଓ ଗୃହ ମାଲିକଙ୍କ ଭିତିରି ବୁଝାମଣା‌ରେ ନିର୍ମାଣ ଜାରି ରହୁଛି। ସହର ଭିତରେ ଅନେକ ଘର ଟାଉନ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ନିର୍ମାଣ ଚାଲିଛି। ଟାଉନ ପ୍ଲାନିଂ ସଂପର୍କରେ ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ ସୂଚନା ଅଧିକାର କର୍ମୀଙ୍କୁ ଫୋନରେ ଧମକ ମିଳୁଥିବା ଅଭିଯୋଗ ହେଉଛି।

ଯାଜପୁର ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.