ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ଦିନ ସ୍ୱାସ୍ଥ୍ୟସେବାରେ ଅବନତି ବୃଦ୍ଧି ପାଉଥିବା ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରିଛି l ସ୍ୱାସ୍ଥ୍ୟ ସେବା ନାମରେ ଅନେକ ଯୋଜନା ରାଜ୍ୟ ସରକାର ଘୋଷଣା କରିଥିଲେ ସୁଦ୍ଧା ଏଠି ନିରାମୟ, ନିଦାନ ଭଳି କୌଣସି ଯୋଜନା ଜନଗଣଙ୍କ ପାଇଁ ଲାଭପ୍ରଦ ହେଉନାହିଁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ଅଭିଯୋଗ କରିଛି l ଆଜି ୫ ଗୋଟି ପ୍ରମୁଖ ଦାବିନେଇ ସହରର ଅଗ୍ରଣୀ ଗଣ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ଋଷିକୂଲ୍ୟl ରୟତ ମହାସଭା, ଅବସରପ୍ରାପ୍ତ ଶିକ୍ଷକ ସଂଗଠନ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଓ ଆପ ଭଳି ବିଭିନ୍ନ ଗଣ ସଂଗଠନ ଓ ରାଜନୈତିକ ଦଳ ଏମକେସିଜି ମେଡିକାଲ ମୁଖ୍ୟ ଛକଠାରେ ୧୧୫ ତମ ଘଣ୍ଟଯାତ୍ରା ଗଣବିକ୍ଷୋଭ ସାମିଲ ହୋଇଥିଲେ l ସୂଚନାଯୋଗ୍ୟ ଯେ, ଅସହାୟ ରୋଗୀ ମାନଙ୍କୁ ଡ଼ାଇରିଆ ୱାର୍ଡ ବାରଣ୍ଡାରେ କୌଣସି ଚିକିତ୍ସା ଓ ଯତ୍ନ ନକରି ଅମାନବୀୟ ଅବସ୍ଥାରେ ପକାଇଦିଆଯାଇଛି l ସେମାନଙ୍କ ଶରୀରରେ ସଠିକ ଭାବେ ପୋଷାକ ନଥିବାବେଳେ ସେମାନଙ୍କୁ ବେଡ଼ସିଟ ମଧ୍ୟ ଦିଆଯାଉନାହିଁ l
ଅଭିଯୋଗ ହେଲେ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ପାଇଁ କିଛି ଆଖି ଦେଖାଣିଆ ଭାବେ ବ୍ୟବସ୍ଥା କରି ପୁଣି ସେହି ସଂକ୍ରମଣ ମରଣଯନ୍ତା ମଧ୍ୟକୁ ଠେଲି ଦିଆଯାଉଛି l କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ କୌଣସି ଚିକିତ୍ସା ସେବା ଯୋଗାଯାଉନାହିଁ ବା ରୋଗୀଙ୍କ ଯତ୍ନ ନେବାପାଇଁ ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଉନାହିଁ l ନ୍ୟୁ୍ରୋ ସର୍ଜରୀ, ଅପନ ହାର୍ଟ ସର୍ଜରୀ, ବର୍ଣ ୟୁନିଟ ଭଳି ବିଭାଗ ରେ କୌଣସି ଡାକ୍ତର ନ ଥାଇ ତାଲା ପଡ଼ିଥିବାବେଳେ ଅଧିକାଂଶ ବିଭାଗରେ ଡାକ୍ତର, ନର୍ସ, ଟେକନିସିଆନ ପଦବୀ ଖାଲି ପଡିଛି l ଆବଶ୍ୟକ ଅନୁଯାୟୀ ନିରାମୟକେନ୍ଦ୍ରରେ ଔଷଧ ମିଳୁନାହିଁ କି ସମୟାନୁଯାୟୀ ପରୀକ୍ଷା ଆଦି ର ରିପୋର୍ଟ ମିଳୁନାହିଁ, ଯାହାଫଳରେ ତତକ୍ଷଣାତ ଚିକିତ୍ସା ସେବା ଆରମ୍ଭ ହୋଇପାରୁନାହିଁ ଓ ରୋଗୀ ଅଧିକ ଜଟିଳ ଅବସ୍ଥାରେ ସାଧାରଣତଃ ମୃତ୍ୟୁମୁଖରେ ପଡୁଛି l କର୍କଟ ବିଭାଗରେ ଜେନେରେଟର ବ୍ୟବସ୍ଥା ନାହିଁ l ସରକାରୀ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ଘରୋଇ ଆମ୍ବୁଲାନ୍ସ ମାଲିକ ମାନଙ୍କ ସହ ସଲାସୁତରl କରି କମିଶନ କାରବାର କରି ଅଧିକାଂଶ ସମୟରେ ରୋଗୀଙ୍କୁ ସରକାରୀ ଆମ୍ବୁଲାନ୍ସ ସୁବିଧା ଦିଆଯାଉନାହିଁ, ରାତିରେ ଆହୁରି ଅଧିକ ସାଙ୍ଘାତିକ ଅବସ୍ଥା ଦେଖିବାକୁ ମିଳେ l ଏତଦସହ ୨୪ଘଣ୍ଟା ରେଡ଼ିଓଲୋଜି ବିଭାଗ ଓ ଆଞ୍ଚଳିକ ନିଦାନ କେନ୍ଦ୍ର (RDC)କୁ କାର୍ଯ୍ୟକାରୀ କରିବା ପାଇଁ ଦାବିହୋଇଛି I ଆବାହକ ଅବନୀ ଗୟା ଙ୍କ ସହ ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ କୁମାର ତରାଇ, ସଲ୍ଲା କେଶବ ଲିଙ୍ଗମ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପ୍ରଶାନ୍ତ କୁମାର ପଣ୍ଡା,ରାଜେନ୍ଦ୍ର କୁମାର ପଣ୍ଡା,ବଂଶୀଧର ଭୂୟାଁ,ସୁବାଷ ଚନ୍ଦ୍ର ମିଶ୍ର,ଆଦିତ୍ୟ ରଥ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ବିରେନ କୁମାର ବେହେରା, ଡ଼ଃ.ଡମ୍ବୁରୁ ଧର ସାହୁ, ପି. ନାଗେଶ୍ୱର ରାଓ,ରମେଶ ଚନ୍ଦ୍ର ବେହେରା, ହୃଷିକେଶ ପାତ୍ର,ଅନନ୍ତ ନାରାୟଣ ପଟ୍ଟନାୟକ, ରବୀନ୍ଦ୍ର ନାୟକ, ପି କେ ନାୟକ, ଏସ. ସIମ୍ବଶିବା ରାଓ ଋଷିକୂଲ୍ୟ ରୋଇତ ମହାଶଭା ର ବିଜୟ ସ୍ୱାଇ ପ୍ରମୁଖ ଘଣ୍ଟଯାତ୍ରାରେ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟସେବା ପ୍ରତି ସରକାରଙ୍କ ଅବହେଳାକୁ ଦୃଢ଼ ନିନ୍ଦା କରିଥିଲେ l ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ମେଡିକାଲ ଅଧିକ୍ଷକ ଡ଼ା. ସନ୍ତୋଷ କୁମାର ମିଶ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )