ବିଜେଡିର ଠିକା ଶାସନରେ ନିଲାମ ହେଉଛି ମହିଳାଙ୍କ ଇଜ୍ଜତ
ଯୋଡା: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହରଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସୋମବାର ବିଜେପି ତରଫରୁ ଯୋଡା ଥାନା ଘେରଉ କରାଯାଇଥିଲା । ଏହି ଅବସରରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଇନର ଫାଙ୍କ ଦେଇ ଖସାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ନେତୃ୍ତ୍ୱରେ ଥାନା ଘେରଉ ଅବସରରେ ଚମ୍ପୁଆ ବିଧାୟକ ପ୍ରାର୍ଥୀ ଡ. ମୁରଲି ମନୋହାର ଶର୍ମା କହିଥିଲେ ଯେ , ଓଡିଶାରେ ବିଜେଡିର ଠିକା ଶାସନରେ ମହିଳାଙ୍କ ଉଜ୍ଜତର ନିଲାମ କରାଯାଉଛି । ନବୀନ ସରକାର ଏକ ଏଜେନ୍ସୀରେ ପରିଣତ ହୋଇଛି । ଏହାର ମନ୍ତ୍ରୀ ଓ ବିଧାୟକମାନେ ଠିକାଦାରୀ ରାଜୁତି ଚଲାଇଛନ୍ତି । ଠିକାଦରୀ କରି ଲୋକଙ୍କ ଜୀବନ ଜୀବିକା ଛଡାଇନେଉଥିବା ବେଳେ ମହିଳାଙ୍କ ବିରୋଧରେ ନିର୍ଯାତନା ସୀମା ଟପିଛି । ଠିକ ମାସକ ତଳେ ମମିତାଙ୍କୁ ହତ୍ୟା କରି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ପଡିଆରେ ପୋତି ଦିଆଯାଇଥିଲା । ସେଠାରେ ମନ୍ତ୍ରୀ ମହୋଦୟ ନିଜର ଯୌନ ଲାଳସା ପୂରଣ ପାଇଁ ଯାଉଥିଲେ । ଅଥଚ ଏହି ସ୍ପର୍ଶକାତର ଘଟଣାରେ ରାଜ୍ୟ ପୁଲିସ ମୁଖ୍ୟ , ତଦନ୍ତକାରୀ ଡିଆଇଜି ଓ ୨ଟି ଜିଲ୍ଲାର ଏସପି ଗୃହ ବିଭାଗର ସମ୍ପୃକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଖେଳ ଖେଳିଛନ୍ତି । ପୁଲିସ ବିଭାଗ ଗୃହ ବିଭାଗ ଅଧିନରେ କାର୍ଯ୍ୟକରେ । ଅଥଚ ଗୃହ ବିଭାଗର ମନ୍ତ୍ରୀ ଆଜି ଖୋଦ ଯୌନ କେଳେଙ୍କାରୀରେ ଫସିଛନ୍ତି । ବାଡ ଖେତ ଖାଇଲା ଭଳି ଆଜି ରକ୍ଷକ ଭକ୍ଷକ ସାଜିଛି । ପୂର୍ବରୁ ସ୍ୟାଡୋ ଅଫ କରପସନର ଟିକେ ଅଭିଯୋଗ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ହେଲେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଖୋଦ ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କୁ ଘଂଟ ଘୋଡାଇବାର ଅପଚେଷ୍ଟା କରାଯାଉଛି । ବିଜେପିର ନେତାମାନେ ଅଭିଯୋଗ କରିଛନ୍ତି ଯେ, ମମିତାଙ୍କୁ ନ୍ୟାୟ ଦେବା ପରିବର୍ତେ ଓଲଟା ତାଙ୍କ ପରିବାର ଉପରେ ଚାପ ପକାଇ ଘଟଣାକୁ ଚାବି ଦେବାକୁ ସରକାରୀ କଳ ଉଦ୍ୟମ କରୁଛି । ପୁଲିସ ଘଟଣାରୁ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ଉପାୟ ଅବଲମ୍ବନ କରୁଛି । ମମିତା ସାରା ଓଡିଶାର ଝିଅ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ସେ ପୁଲିସ ପ୍ରଶାସନ ଓ ଶାସକ ଦଳର ମନ୍ତ୍ରୀ ତଥା ବିଧାୟକମାନଙ୍କ ଭିତିରି ସମ୍ପର୍କ କଥା ଉଲ୍ଲେଖ କରି କହିଥିଲେ ଯେ, ପୁଲିସ ଶାସକ ଦଳର ଏଜେଂଟ ପାଲଟିଛି । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଠିକାଦାର ଓ ଶାସକ ଦଳର ଚେଲା ଚାମଚା ତଥା ନେତାମାନଙ୍କ ହାତର ପିଆଦା ସାଜିଛି ।
ଏହି ଅବସରରେ ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର , ସପନା ସାହୁ , ଜିଲ୍ଲା ଜନଜାତି ମୋର୍ଚ୍ଚା ଉପସଭାପତି ପୁରୁଷୋତମ ଗାଗରାଇ , ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର , ରାଜ୍ୟ ଯୁବମୋର୍ଚ୍ଚା ଆମନ୍ତ୍ରିତ ସଦସ୍ୟ ପ୍ରକାଶ ମଲ୍ଲିକ , ରାଜ୍ୟ ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଚର୍ଚ୍ଚିଲ ମହାକୁଡ, ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୋମବାରୀ ମୁଣ୍ଡା, ରଶ୍ମୀ ଗୁପ୍ତା, ରାଜ୍ୟ ଜନଜାତି ମୋର୍ଚ୍ଚା ସମ୍ପାଦକ ସିଦ୍ଧାର୍ଥ ସିଂ, ବିଜୟ ନାଏକ , ଦଳର ବହୁ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଦଳର କାର୍ଯ୍ୟକର୍ତାମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରାରେ ଆସିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଥାନା ଘେରଉ କର ଏତଲା ଦେଇଥିଲେ । ପ୍ରତିବାଦ ସମୟରେ ବିଜେପିର କାର୍ଯ୍ୟକର୍ତାମାନେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିଥିଲେ ।
ଯୋଡ଼ା ଇପିଏ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )