ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣି ଦେବୀଙ୍କ ବାର୍ଷିକ ଛତର ଯାତ୍ରା ଶେଷ ହୋଇ ଯାଇଛି। ପ୍ରତିବର୍ଷ ଦଶମୀ ଦିନ ମାଆ ଙ୍କର ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ହୋଇଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ବିଗତ ବର୍ଷ ଠାରୁ ଯାତ୍ରା ଫିକା ପଡିଯାଇଛି। ଦେବୀଙ୍କ ପୁଝାରି ସ୍ଥାନୀୟ ତେନ୍ତୁଳିଆ ପଡା ଠାରୁ ମାଆ ଙ୍କର ଆବଶ୍ୟକୀୟ ପୂଜା ସାମଗ୍ରୀ ସହ ଏକ ଶୋଭାଯାତ୍ରା ରେ ମନ୍ଦିରକୁ ପ୍ରବେଶ କରିଥାନ୍ତି। ପୂଜାର୍ଚ୍ଚନା ପରେ ମାଆ ଙ୍କ ଛତର କୁ ଆମନ୍ତ୍ରଣ କରା ଯାଇଥାଏ।ସ୍ଥାନୀୟ ବଡ଼ପଡାର ଜୟ ସିଂ ନାଏକ ଙ୍କ ଘରୁ ପୁରୁଷାନୁକ୍ରମେ ମନ୍ଦିର କୁ ଛତର ଯିବାର ବିଧି ରହିଛି।ମାଁ ଙ୍କର ପ୍ରତୀକ ଛତର ଏକ ଶୋଭାଯାତ୍ରାରେ ଦେବୀଙ୍କ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପୁଝାରି ସ୍ୱାଗତ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଅପେକ୍ଷା କରିଥାନ୍ତି। ଛତର ମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଶ୍ରଦ୍ଧାଳୁ ମାନେ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥାନ୍ତି। ଭକ୍ତି ଓ ବିଶ୍ୱାସର ମୂର୍ତ୍ତିମନ୍ତ ପ୍ରତୀକ ମାଆ ଭଣ୍ଡାର ଘରଣୀ ଦେବୀଙ୍କ ପ୍ରତି ଅଞ୍ଚଳବାସୀ ଙ୍କ ଅଗାଢ ଭକ୍ତି ଓ ବିଶ୍ୱାସ ରହିଛି।
କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )