ମାଆ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ

0 181

କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଏହି ପର୍ବ ମାଧ୍ୟମରେ ପ୍ରତିବର୍ଷ ଲାଖମରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।ଏହି ପର୍ବ କୁ ବିଜୟ ଯାତ୍ରା ବା ରାଜ୍ୟ ଜୟର ପ୍ରତୀକ ବୋଲି କୁହାଯାଏ। ଚଳିତ ବର୍ଷ କୋଭିଡ କଟକଣା ଓ ଜିଲ୍ଲା ପ୍ରଶାସନର ୧୪୪ ଧାରା ବଳବତ୍ତର ଥିବା ସତ୍ତ୍ୱେ ଭବାନୀପାଟଣା ଉତ୍ସବ ସ୍ଥଳରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା।ବିଜୟା ଦଶମୀ ତିଥିରେ ଅନୁଷ୍ଠିତ ଏହି ପର୍ବରେ ଅପରାହ୍ନରେ ଛତ୍ର ବାହକ, ମୁଣ୍ଡଛିନା,ସେବାୟତ ସହ ଜେନାବାଦ୍ୟ ର ତାଳେ ତାଳେ ମାଣିକେଶ୍ୱରୀଙ୍କ ମନ୍ଦିରରୁ ବାହାରି ଲାଖମରା ପଡିଆକୁ ଯାଇଥିଲେ।ଲାଖମରା ପଡ଼ିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନା କରିବା ସହ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ପରମ୍ପରା ଅନୁଯାୟୀ,କଳାହାଣ୍ଡି ରାଜ ପରିବାରର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ।ଏକ ସୁଉଚ୍ଚ ଖମ୍ବ ଉପରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଲାଖକୁ ଲକ୍ଷ ଭେଦ ପାଇଁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା।ଇଛୁକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି।

ପରେ ଛତର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ରୀତିନୀତି ଅନୁଯାୟୀ ରାଜ ପରିବାରର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରିଥାନ୍ତି। ପରେ ପରେ ମୂଳା ଷ୍ଟମୀ ମାଣିକେଶ୍ୱରୀଙ୍କ ମୁଣ୍ଡବସା ପୂର୍ବରୁ ଆରମ୍ଭ ହୋଇଥିବା ରକ୍ତମୁଖା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆ ଯାଇଥାଏ। ଆସନ୍ତା କୁମାର ପୂର୍ଣ୍ଣିମାରେ ଦେବୀଙ୍କ କଣ୍ଟାବାଡ ଫିଟା ଉତ୍ସବ ଅନୁଷ୍ଠିତ ହେବ।
କଳାହାଣ୍ଡି ଜିଲ୍ଲାର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀ ଦେବୀଙ୍କ ଛତର ଯାତ୍ରା ଠାରୁ ଲାଖମରା ପର୍ବ ପର୍ଯ୍ୟନ୍ତ ଉତ୍ସବକୁ ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ଲୋକେ ପାଳନ କରିଥାନ୍ତି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.