ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ଓ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ପ୍ରତିବାଦରେ

0 97

ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚଳିତମାସ ୯ତାରିଖରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ରମନ୍ତ୍ରୀଙ୍କ ଦାଦାଗିରିକୁ ବିରୋଧ ଓ ସୀମାନ୍ତରେ ବସବାସ କରୁଥିବା ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଦାବୀକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆନ୍ଧ୍ର ସୀମାନ୍ତରେ ଥିବା ରାୟଗଡ ବ୍ଲକର ଗଙ୍ଗାବାଡ,କେରାଣ୍ଡି ଓ କଇଁପୁର ପଞ୍ଚାୟତବାସୀ ଏକତ୍ରୀତ ହୋଇ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମ ରାଜ୍ୟର ମାଣିକପାଟଣା ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ମତ୍ସ ପଶୁସମ୍ପଦ ମନ୍ତ୍ରୀ ଏସ ଆପଲ ରାଜୁ ନିଜର ଦଳବଳ ଧରି ଜୋରଦବରଦସ୍ତ ପଶି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଅସୌଜନ୍ୟ ବ୍ୟବହାର ଓ ଧମକଚମକ ଦେଇଥିଲେ, କିନ୍ତୁ ତାର ପ୍ରତିବାଦରେ ଓଡିଶା ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହି ଘଟଣା ପରଠୁ ସୀମାନ୍ତରେ ବସବାସ କରୁଥିବା ଲୋକମାନେ ନିଜକୁ ଅସୁରକ୍ଷିତ ମେନ କରୁଛନ୍ତି । ରାଜ୍ୟ ସରକାରଙ୍କ ଉକ୍ତ ପଞ୍ଚାୟତ ଗୁଡିକରେ ମୌଳିକ ସୁବିଧା ଗୁଡିକ ପହଞ୍ଚାଇବା ଓ ବିକାଶ କରିବାରେ ସ୍ୱତନ୍ତ୍ର ଦୃଷ୍ଟିଦେବା ପରିବର୍ତ୍ତେ ଅବହେଳା ପ୍ରଦର୍ଶନ କରିଆସିଛନ୍ତି । ଯାହାଫଳରେ କି ସେମାନେ ଆନ୍ଧ୍ର ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଉକ୍ତ ଅବହେଳାର ସୁଯୋଗ ନେଇ ସୀମାନ୍ତରେ ବସବାସ କରୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ସୁଚିନ୍ତିତ ଉପାୟରେ ସେମାନଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସାମିଲ କରୁଛି । ପରବର୍ତ୍ତି ସମୟରେ ସେମାନଙ୍କୁ ବିଭିନ୍ନ ସରକାରୀ ଯେଜନାର ପ୍ରଲୋଭନ ଏବଂ ଅନୈତିକ ଉପାୟ ଅବଲମ୍ବନ କରି ସୀମା ବିବାଦ ସୃଷ୍ଟି କରୁଛି ।

ଏହି ଘଟଣା ଗୁଡିକ ବିଷୟରେ ଉପରସ୍ତରରେ ରାଜ୍ୟ ସରକାର ଆନ୍ଧ୍ର ସହିତ କଥାବାର୍ତ୍ତା କରି ଆପୋଷ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନକରି ନୀରବ ରହିବାରୁ ଏଭଳି ଭୟାନକ ସମସ୍ୟା ଉପୁଜିଛି ବୋଲି ଉପରୋକ୍ତ ପଞ୍ଚାୟବାସୀ ଅଭିଯୋଗ କରିଛନ୍ତି ।ସେମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରିବାକୁ ଚାହିଁଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ପରିବର୍ତ୍ତେ ପ୍ରଥମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ତାପରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବୀପତ୍ର ଗ୍ରହଣ କରିବାକୁ ଆସିଥିଲେ । କିନ୍ତୁ ବିକ୍ଷୋଭକାରୀ ମାନେ ଜିଲ୍ଲାପାଳଙ୍କୁ ହିଁ ପ୍ରଦାନ କରାଯିବ ବୋଲି ଜିଦ୍ କରିଥିଲେ । ଶେଷରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅନ୍ୟତ୍ର ସରକାରୀ କାର୍ଯ୍ୟକ୍ରମ ସାରି ଫେରିବା ପରେ ତାଙ୍କୁ ସେମାନେ ୮ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସୀମାରେଖା ନିର୍ଦ୍ଧାରଣ କରିବା, ଗଙ୍ଗାବାଡ ଠାରୁ କଇଁପୁର ଗ୍ରାମକୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ସଡକ ନିର୍ମାଣ କରିବା,କେରାଣ୍ଡି -ଦେଉଳା ଭାୟା ଅନ୍ତରସିଂ ଓ ଏଲାସର ଠାରୁ ଓୟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା, ଗଙ୍ଗାବାଡ ଠାରେ ଥିବା ଉଚ୍ଚ ବିଦ୍ୟାଳୟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା,କେରାଣ୍ଡି ଓ ଗଙ୍ଗାବାଡ ପଞ୍ଚାୟତ ନିମନ୍ତେ ଚମ୍ପାପୁର ଠାରେ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବା, କେରାଣ୍ଡି ଓ ଗଙ୍ଗାବାଡ ଠାରେ ମୋବାଇଲ ଟାୱାର ସ୍ଥାପନ କରିବା,କୃଷିଜାତ ଓ ଲଘୁଜାତ ଦ୍ରବ୍ୟ ସଂଗ୍ରହ,ସାଇତି ରଖିବା ଓ ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରିବା ଏବଂ ଆନ୍ଧ୍ର ସରକାରଙ୍କ ଦଖଲକାରୀ ନୀତିକୁ ବିରୋଧ କରି ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ ଓ ଜନସାଧାରଣଙ୍କ ବିରୋଧରେ ସେଠାକାର ପୋଲିସ ଦ୍ୱାରା କରାଯାଉଥିବା ମିଥ୍ୟା ମକଦ୍ଧମା ଗୁଡିକ ପ୍ରତ୍ୟାହାର ନିମନ୍ତେ ରାଜ୍ୟ ସରକାର ଆଲୋଚନା କରିବା ଉଲ୍ଲେଖ ରହିଛି । ଏହି ବିକ୍ଷୋଭରେ ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ,ଏଆଇକେଏମଏସ ର ରାଷ୍ଟ୍ରୀୟ ସମ୍ପାଦକ ଭାଲଚନ୍ଦ୍ର ଷଢଙ୍ଗୀ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କେରାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ବହୁସଂଖ୍ୟାରେ ଉପରୋକ୍ତ ପଞ୍ଚାୟତବାସୀ ଯୋଗ ଦେଇଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ପୋଲିସ ଉପସ୍ଥିତ ଥିଲେ ।

ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.