


ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘ ଉପ ସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଦିନିକିଆ ରାୟଗଡା ଗ୍ରସ୍ତରେ ଆସି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉପସ୍ଥିତିରେ ଲୋକକଳା ସଂଘ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନାମରେ ମଝିଘରିଆଣି ଲୋକକଳା ମହୋତ୍ସବ ସ୍ୱତନ୍ତ୍ର ଭାବରେ ପ୍ରତିବର୍ଷ ହେବବୋଲି ନିର୍ଦେଶକ ଘୋଷଣା କରିଥିଲେ ।
ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦେଶକ ଶ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରାୟଗଡାରେ କିଭଳି ଭାବେ ଲୋକକଳା ଓ ଲୋକ ସଂସ୍କୃତି, ଭାଗବତ ଟୁଙ୍ଗି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି, ପାଠାଗାର, ଆଦି ସମସ୍ତ ବିଭବଗୁଡିକ ସଠିକ ଭାବରେ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ସଉରା ଓ ଇଡତାଲ ସମ୍ପ୍ରଦାୟ ବସବାସ କରୁଥିବା ଗ୍ରାମରେ ସଉରା ଚିତ୍ର, ପ୍ରଦର୍ଶନୀ ଏବଂ ପ୍ରଶିକ୍ଷଣ ଆଗାମୀ ଦିନରେ ଲଳିତ କଳା ଏକାଡେମୀ ତରଫରୁ କାର୍ଯ୍ୟକ୍ରମ କରାଯିବାର ପ୍ରକାଶ କରିଥିଲେ। ସେହିପରି ଲୋକକଳା ଗ୍ରାମ ଗେଟିପଡାରେ ଲୋକକଳା ମଞ୍ଚ, ଐତିହ ତୋରଣ, ଲୋକକଳା କାନ୍ଥ ଏବଂ ଗ୍ରାମର ସୌନ୍ଦର୍ଯ୍ୟି କରଣ କରାଯାଇ ଉଭୟ ପର୍ଯ୍ୟଟନ ସାଂସ୍କୃତିକ ଏବଂ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷରେ ସଂଘର ଉପସଭାପତି ଓ କଳାକାର ମାନେ ସଂଘକୁ ଓ ଲୋକକଳାକୁ ସୁଦୃଢ଼ୀ କରଣ କରିବା ପାଇଁ ଲୋକକଳାରେ ମାନ୍ୟତା ଲାଭ କରିଥିବା ଆଦର୍ଶ ଜିଲ୍ଲା ଢେଙ୍କାନାଳକୁ ଦେଖିବା ଓ ଶିଖିବା ପାଇଁ ନଭେମ୍ବର ମାସରେ ପରିଦର୍ଶନରେ ଯିବେ ବୋଲି ନିର୍ଦେଶକ ଶ୍ରୀ ଦାସ ଘୋଷଣା କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଜିଲ୍ଲାର ଲୋକକଳା ଓ ସଂସ୍କୃତି ଏବଂ ପରମ୍ପରାକୁ ବଜାଇ ରଖିବା ସହିତ ଜିଲ୍ଲାର ସାଂସ୍କୃତିକ ବିଭବ ଗୁଡିକ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ନିଷ୍ଠାର ସହିତ କାର୍ଯ୍ୟ କରୁଛି ବୋଲି ମତ ପ୍ରକାଶ କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ ରାୟଗଡା ଜିଲ୍ଲା ଉଭୟ ସାଂସ୍କୃତିକ ଓ ପ୍ରାକୃତିକ ବିଭବର ଗନ୍ତାଘର ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସମନ୍ୱିତ ଭାବେ କାର୍ଯ୍ୟ କଲେ ଲୋକକଳା କ୍ଷେତ୍ରରେ ରାୟଗଡା ଜିଲ୍ଲା ଏକ ଆଦର୍ଶ ଜିଲ୍ଲାର ମାନ୍ୟତା ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ଲୋକକଳା ସଂଘର ଉପସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଯୋଗଦେଇ ସଂଘର ଜିଲ୍ଲାରେ ଓ ବ୍ଲକରେ କାର୍ଯ୍ୟାଳୟ ଏବଂ କଳାକାର ମାନଙ୍କର ଆର୍ଥିକ ସୁବିଧା ନିମନ୍ତେ ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଣ୍ଠିକୁ ଜିଲ୍ଲାରେ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ଗେଟିପଡାର କଳାକାରମାନେ କଳା ପଦର୍ଶନ କରିଥିଲେ । ମଧ୍ୟାହ୍ନରେ ନିର୍ଦେଶକଙ୍କ ସହିତ ସମସ୍ତ ଅଧିକାରୀ ଲୋକକଳା ଗ୍ରାମ ଗେଟିପଡା ଓ ଦଧିବାମନ ଜୀଉ ଭଗବାନ ଟୁଙ୍ଗି ଓ ରାୟଗଡା ଜଗନ୍ନାଥ ମନ୍ଦିର ନିକଟରେ ଥିବା ଭାଗବତ ଟୁଙ୍ଗିକୁ ପରିଦର୍ଶନରେ ଯାଇଥିଲା ବେଳେ ସେଠି ଅତିଥି ମାନଙ୍କୁ ଉଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ରାୟଗଡା ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )