ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

0 4

ଯାଜପୁର: ଚଳିତ ମାସ ୩ ତାରିଖଠାରୁ ସମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ଜିଲ୍ଲାରେ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଓ ଏସ୍‌.ଆର.ସି. ସୂଚିତ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଏହି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟା ଜୱାଦର ମୁକାବିଲା ପ୍ରସ୍ତୁତି ବୈଠକ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜୁମ୍ ଭି.ସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବର୍ତମାନ ଯେହେତୁ ଧାନ ଓ ଅନ୍ୟାନ୍ୟ ଫସଲ ସହ ପନିପରିବା ର ଅମଳ ଋତୁ ; ସେଥିପାଇଁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଅମଳ କରି ନେବା କିମ୍ବା ସୁରକ୍ଷିତ ରଖିବାକୁ ସଚେତନ କରାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । କୃଷି ଓ ଉଦ୍ୟାନ କୃଷି ବିଭାଗ ଡାକବାଜି ଯନ୍ତ୍ର ମାଧ୍ୟମରେ, ସେମାନଙ୍କ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହାର ବହୁଳ ପ୍ରଚାର ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି କୃଷକ ବନ୍ଧୁମାନେ ଅମଳଯୋଗ୍ୟ ଫସଲକୁ ତୁରନ୍ତ ଅମଳ ବା ନିରାପଦ ସ୍ଥଳକୁ ଆଣି ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସମସ୍ତ ବିଭାଗ ତରଫରୁ ନିୟନ୍ତ୍ରଣ କକ୍ଷ ଖୋଲିବ, କେଉଁଠାରେ ଗଛ, ବିଦ୍ୟୁତ ଖୁଣ୍ଟ ଇତ୍ୟାଦି ପଡି଼ ରାସ୍ତା ଅବରୋଧ ହେଲେ ତୁରନ୍ତ ଅପସାରଣ ପାଇଁ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବା, ଆଶ୍ରୟ ସ୍ଥଳ ଗୁଡି଼କୁ ପ୍ରସ୍ତୁତ ରଖିବା, ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବା, ଗର୍ଭବତୀ ମହିଳାମାନଙ୍କର ତାଲିକା ଅନୁସାରେ ସେମାନଙ୍କୁ ନିରାପଦ ମାତୃତ୍ୱ ବ୍ୟବସ୍ଥା କରିବା, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ, ଆଶା ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ମାନେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ପରାମର୍ଶ ଦେଇଛନ୍ତି । ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ବ୍ଲକର ତଦାରଖ ଲାଗି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ରସୁଲପୁର ଓ କୋରେଇ ବ୍ଲକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ବିଂଝାରପୁର ଓ ଦଶରଥପୁର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସୁକିନ୍ଦା, ଦାନଗଦୀ ବ୍ଲକ ଓ ବ୍ୟାସନଗର ପୌରାଂଚଳ, ପ୍ରକଳ୍ପ ନିର୍ଦ୍ଧେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଧର୍ମଶାଳା ଓ ବଡ଼ଚଣା ଏବଂ ଉପଜିଲ୍ଲାପାଳଙ୍କୁ ଯାଜପୁର, ବରୀ ବ୍ଲକ ଓ ଯାଜପୁର ପୌରାଂଚଳ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଧେଶକ ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ସମସ୍ତ ବିଡି଼ଓ ତହସିଲଦାର ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.