ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ- ମିଶ୍ରଣ ନୀତି ବାତିଲ କରି ତୁରନ୍ତ ନାମଲେଖା ଦାବିରେ ଗଣଧାରଣା

0 6

ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋବରବାଲସା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକରୁ ଏକ ଶୋଭାଯାତ୍ରା ବାହାରି ବି.ଡି.ଓ ଅଫିସ୍ ସମ୍ମୁଖରେ ପହଞ୍ଚି ସେଠାରେ ଅନିର୍ଦ୍ଧିଷ୍ଟ ଏବଂ ଅହୋରାତ୍ର ଧାରଣା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, D.E.O,B.E.O ଓ B.D.Oଙ୍କୁ ଅବଗତ କରିବା ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୂଚନା ଥାଉକି ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବନ୍ଦ କରିବା ପ୍ରକ୍ରିୟା ୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା l

ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋବରବାଲସା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ, କମ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ୧.୫ କି.ମି. ଦୂରତ୍ଵ ରେ ଥିବା ଟିକରପଡା ୟୁ଼ପି ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି l ଉଭୟ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ କଚ୍ଚା ଏବଂ ବିପଦ ଶଙ୍କୁଳ, ରାସ୍ତାର ଏକ ପାର୍ଶ୍ଵ ଦେଇ ଏକ ବୃହତ କେନାଲ ଯାଇଛି,ପ୍ରତି ମୁହୂର୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଏହି ପ୍ରାଥମିକ ବିଦ୍ୟାଳୟର କୁନି କୁନି କୋମଳମତି ଶିଶୁମାନଙ୍କ ପକ୍ଷେ ଏହି ସଡ଼କ ଦେଇ ପ୍ରାୟ ୧.୫ କି.ମି. ଯିବା ଆସିବା ସମ୍ଭବ ନୁହଁ l ଏଣୁ ଗ୍ରାମବାସୀ ବୃନ୍ଦ ଭୟଭୀତ ଏବଂ ଅଧିକାଂଶ ଅଭିଭାବକ ଗରିବ ଓ ଶ୍ରମିକ ଶ୍ରେଣୀ ହୋଇଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରିବା ସମ୍ଭବପର ନୁହେଁ l ତେଣୁ ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ଗୋବରବାଲସା ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି l
ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡି.ଏସ୍‌.ଓ ଗଞ୍ଜାମ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ଜିଲ୍ଲା କମିଟି ସଭ୍ୟ ନାରାୟଣ ସାହୁଙ୍କ ସମେତ ଜିତୁ ପାଇକ, ରମେଶ ଦଳେଇ, ଅନନ୍ତ ପାଇକ, ରଘୁ ବେହେରା, ପଂଚୁ ପାଇକ, ସଂଜୟ ଦଳେଇ, ବାବୁ ଦଳେଇ, କାହ୍ନୁ ନାୟକ, ସନାତନ ପାଇକ, ନିରାକାର ପାଇକ, ରାମଚନ୍ଦ୍ର ପାଇକ, ଗଣେଶ ଦଳେଇ, ସୁମିତ୍ରା ଦଳେଇ, ସୁଜାତା ନାୟକ, ଅମୁଲ୍ଯ ଦଳେଇ ଆଦି ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.