ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ ।

ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ) କ୍ରାଇମବ୍ରାଞ୍ଚ ଟିମ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ ନେତୃତ୍ୱରେ ଶୁକ୍ରବାର ରାତ୍ର ପ୍ରାୟ ସାଢେ୧୧ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଦାଖଲ କରାଯାଇଛି । ପାଖାପାଖି ୩ଶହ ପୃଷ୍ଠା ଥିବା ଉକ୍ତ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ)ରେ ପାଖାପାଖି ୮୦ଜଣ ବୟାନ ଲିପିବଦ୍ଧ ହୋଇଛି ।ଏହା ସମେତ ମୃତ୍ୟୁକାଳୀନ ଜମାନବନ୍ଦୀ ରିପୋର୍ଟ,ଶବ ବ୍ୟବଚ୍ଛେଦ ରିପୋର୍ଟ,ଫରେନ୍ସିକ ଲେବ୍ ରିପୋର୍ଟ,ସାଇଣ୍ଟିଫିକ୍ ଟିମ୍ ରିପୋର୍ଟ, ହସ୍ତଲେଖା ବିଶେଷଜ୍ଞଙ୍କ ରିପୋର୍ଟ,ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଫୋନ୍ କଲ୍ ବିବରଣୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଅନ୍ତର୍ଭୁକ୍ତ ରହିଛି । ଏହି ମାମଲାରେ ମୃତ ସହକାରୀ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ଜୁଲାଇ ମାସ ୧୨ତାରିଖ ରାତ୍ର ପ୍ରାୟ ସାଢେ ୯ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ନିଆଁରେ ପୋଡି ହୋଇଯାଇଥିଲେ ଏବଂ ତାପର ଦିନ କଟକ ସ୍ଥିତ ଏକ ଘୋରଇ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟ ଘଟିଥିଲା । ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାରବର୍ଗ ତାଙ୍କୁ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା,ବନ ସଂରକ୍ଷକ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ହତ୍ୟା କରିଛନ୍ତି ବୋଲି ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରଥମେ ପାରଳାଖେମୁଣ୍ଡି ଥାନା ପୋଲିସ ଏକମାସ ପର୍ଯ୍ୟନ୍ତ ଏହ ମାମଲାର ତଦନ୍ତ କରିଥିଲା । ତାପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲା ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )