ସିଏମ୍‌ସିର କାମକୁ ଅଡିଟ୍‌ କରିବେ ସିଏଜି, ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ

0 8

କଟକ : ମହାନଗର ନିଗମର ଗତ ୫ ବର୍ଷର କାମକୁ ସିଏଜି ତଥା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ଅଡିଟ୍‌ କରିବେ। ଡିସେମ୍ବର ପ୍ରଥମ ସପ୍ତାହରେ ସିଏଜି ପକ୍ଷରୁ ସିଏମ୍‌ସି‌ରେ ଡିଷ୍ଟ୍ରିକ୍ଟ ସେଣ୍ଟ୍ରିକ ଅଡିଟ୍‌ର ପାଇଲଟ୍‌ ପ୍ରୋଜେକ୍ଟରେ ଏହି ଅଡିଟ୍ ହେବାକୁ ଥିବା ବେଳେ ଏହାକୁ ନେଇ ସିଏମ୍‌ସିର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମହଲରେ ଛନକା ପଶିଛି। ସିଏଜି ସିଏମ୍‌ସିର ଅଡିଟ୍‌ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ମିଳିଥିବା ଅର୍ଥକୁ ନିଗମରେ କିପରି ଖର୍ଚ୍ଚ କରିଛି ଏହା ଯାଞ୍ଚ କରିବେ। ଆବଶ୍ୟକ ହେଲେ ସିଏମ୍‌ସିରେ ବିଭିନ୍ନ‌ ଯୋଜନାରେ କରାଯାଇଥିବା କାମ ଓ ନିଗମ ପକ୍ଷରୁ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସେବାକୁ ମଧ୍ୟ ସିଏଜି ତୃଣମୂଳ ସ୍ତରରେ ଦେଖିବାର ଯୋଜନା ରହିଛି।
୨୦୧୭-୨୦୧୮ରୁ ୨୦୨୧-୨୦୨୨ ବର୍ଷରେ ମହାନଗର ନିଗମର ବିଭିନ୍ନ କାମକୁ ସିଏଜି ଅଡିଟ୍‌ କରିବେ। ସିଏମ୍‌ସି ସହିତ ଜିଲ୍ଲାର ଗୋଟିଏ ଏନ୍‌ଏସି ଓ ୫ଟି ପଞ୍ଚାୟତରେ ଏହି ଅଡିଟ୍‌ କରାଯିବ। ମହାନଗର ନିଗମକୁ ଅମୃତ, ସ୍ବଚ୍ଛ ଭାରତ ମିସନ୍‌, ମୁକ୍ତା, ୟୁଡବ୍ଲୁଇଆଇ ପରି ବିଭିନ୍ନ ଯୋଜନାରେ ମଳିଥିବା କୋଟି କୋଟି ଟଙ୍କାକୁ କିଭଳି ଢଙ୍ଗରେ ଖର୍ଚ୍ଚ କରାଯାଇଛି ଏହାକୁ ସିଏଜି ଦେଖିବେ।

ସିଏମ୍‌ସିକୁ ଗତ ୫ ବର୍ଷଷର ମିଳିଥିବା ଅର୍ଥର ହିସାବପତ୍ର କରିବା ସହିତ କେଉଁ କେଉଁ ଉତ୍ସରେ ନିଗମ ଅର୍ଥ ଆୟ କରୁଛି ଓ ଏହାକୁ କିପରି ବିନିଯୋଗ କରୁଛି। ତାକୁ ମଧ୍ୟ ସିଏଜି ଅନୁଧ୍ୟାନ କରିବେ। ସେପଟେ ନିଗମକୁ ମିଳିଥିବା ଅର୍ଥରେ ସହରବାସୀଙ୍କୁ କେଉଁ ମାନର ସେବା ଯୋଗାଇ ଦିଆଯାଉଛି ତାହା ମଧ୍ୟ ସିଏଜି ଦେଖିବେ। ଆବଶ୍ୟକ ହେଲେ ସିଏଜିଙ୍କ ପକ୍ଷରୁ ତୃଣମୂଳସ୍ତରରେ ଏହାର ଯାଞ୍ଚ କରାଯିବ। ସିଏଜିଙ୍କ ଅଡିଟ୍‌ରେ ନିଗମର ଅନେକ ବିଷୟ ପଦାକୁ ଆସିବାର ନେଇ ନିଗମର ଅଧିକାରୀଙ୍କ ମହଲରେ ଏବେଠୁ କମ୍ପନ ସୃଷ୍ଟି ହେଲାଣି। ସିଏମ୍‌ସିରେ ଡିସେମ୍ବର ପ୍ରଥମ ସପ୍ତାହରୁ ସିଏଜି ଅଡିଟ୍‌ ଆରମ୍ଭ କର‌ିବେ। ଗତ ୫ ବର୍ଷର ବିଭିନ୍ନ କାମକୁ ଅଡିଟ୍‌ କରାଯିବ। ସିଏଜି ଟିମ୍‌ଙ୍କୁ ସମସ୍ତ କାମରେ ସହଯୋଗ ଯୋଗାଇ ଦିଆଯିବ। ଅଡିଟ୍‌ ପାଇଁ ଏବେ ଠାରୁ ଆମେ ପ୍ରସ୍ତୁତ ଅଛୁ ବୋଲି ସିଏମ୍‌ସି ବିତ୍ତ ଅଧିକାରୀ ଲୁସି ସ୍ବାଇଁ କହିଛନ୍ତି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.