ସିବିଆଇ ରେଡ୍ ବେଳେ ଅଧିକାରୀଙ୍କୁ ତାଲା ପକାଇ ମାଡ଼ ମାରିଲେ ଗ୍ରାମବାସୀ

0 7

ଢେଙ୍କାନାଳ: ରେଡ୍ ବେଳେ ହଟହଟା ହେଲା ସିବିଆଇ । ସନ୍ଦେହରେ ତାଲ ପକାଇଲେ, ମାଡ଼ ମାରିଲେ ଲୋକେ । ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଦେଶର ୧୪ଟି ରାଜ୍ୟର ୭୬ଟି ଜାଗାରେ ଆଜି ଏକକାଳୀନ ରେଡ୍ ମାରିଛି ସିବିଆଇ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ମଧ୍ୟ ସିବିଆଇ ସକାଳୁ ଛାନଭିନ୍ କରିଛି । ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ଅଚାନକ ରେଡ୍ କରିଥିଲେ ସିବିଆଇ ଟିମ୍ । ସକାଳ ୭ଟାରୁ ୪ଜଣ ଅଧିକାରୀ ମିଥୁନଙ୍କୁ ନିଜ ଅକ୍ତିଆରକୁ ନେବା ସହ ତାଙ୍କ ଘରେ ଯାଞ୍ଚ ଆରମ୍ଭ କରିଥିଲେ ।
ତେବେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର କୌଣସି ପରିଚୟପତ୍ର ଦେଖାଇ ନପାରିବାରୁ ଲୋକେ ତାଲା ପକାଇ ଦେଇଛନ୍ତି । ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ଦୁଇଜଣ ଅଧିକାରୀ କଲୋନୀରୁ ବାହାରି ସ୍ଥାନୀୟ ଥାନାକୁ ଜଣାଇବା ପରେ ପୋଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ପୋଲିସ ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରି ଟାଉନ୍ ଥାନାକୁ ନେଉଥିବା ବେଳେ ଲୋକ ମାଡ଼ ମାରିଛନ୍ତି । ତେବେ, ସିବିଆଇ ରେଡ୍ ନେଇ ସ୍ଥାନୀୟ ଥାନାକୁ କୌଣସି ପ୍ରାକ୍ ସୂଚନା ଦେଇନଥିବା ଟାଉନ୍ ଥାନା ଅଧିକାରୀ କହିଛନ୍ତି ।
ପ୍ରାଥମିକ ସୂଚନା ମୁତାବକ ସୁରେନ୍ଦ୍ରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ସିବିଆଇ ଜାଣି ପାରିଛି । ସାରାଦେଶରୁ ୨୩ଟି ନୂଆ ଅଭିଯୋଗକୁ ଭିତ୍ତି କରି ୮୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ରାଜ୍ୟରେ ଢେଙ୍କାନାଳ ସହ ଭଦ୍ରକ ଓ ଅନୁଗୁଳରେ ସିବିଆଇ ରେଡ୍ କରୁଥିବା ଜଣାପଡ଼ିଛି ।
ସୁଚନାଯୋଗ୍ଯ- ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା: ଭଦ୍ରକ ଓ ଯାଜପୁରରେ ସିବିଆଇ ପକ୍ଷରୁ ରେଡ୍‌; ସିବିଆଇ ଏତଲାରେ ଥିବା ୨ ଜଣଙ୍କ ଘରେ ରେଡ୍‌ ସୂଚନା; ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ରେଡ୍‌ ଓ ଭଦ୍ରକ ଆଗରପଡ଼ାର ଜଣଙ୍କ ଘରେ ମଧ୍ୟ ରେଡ୍‌ ହୋଇଥିବା ସୂଚନା ।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.