ସୁରେଶ୍ୱରୀ ମନ୍ଦିର ରୁ ଚୋରି,, ପୋଲିସ୍ ନିଷ୍କ୍ରିୟ ।

0 2

ତାଲାଭାଙ୍ଗି ନେଇଗଲେ ସୁୁୁରେଶ୍ୱରୀ ମାଙ୍କ ଛତ୍ର ଓ ମୁକୁଟ ।
ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି ।
ଭକ୍ତଙ୍କ ମନରେ ଗଭୀର କ୍ଷୋଭ
ମନ୍ଦିର ମାଳିନୀ ସହର ଦ୍ୱିତୀୟ ବାରଣାସୀ ଭାବେ ଖ୍ୟାତ ସୁବର୍ଣ୍ଣପୁରରେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ମନ୍ଦିର । ସୋମବାର ରାତିରେ ଏକକାଳୀନ ତିନୋଟି ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ତେବେ ଚୋରଙ୍କ କବଳରୁ ସୋନପୁରର ଇଷ୍ଟଦେବୀ ଏବଂ ଇଷ୍ଟଦେବଙ୍କ ମନ୍ଦିର ମଧ୍ୟ ବର୍ତ୍ତିଲା ନାହିଁ । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ଦୁଇଟି ରୂପାଛତ୍ର ଏବଂ ଗୋଟିଏ ରୂପା ମୁକୁଟ ଚୋରି ହୋଇଥିବାରୁ ଏହା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି । ମୁକୁଟର ପ୍ରାୟ ୨୦ କେଜି ଏବଂ ଛତ୍ରର ଓଜନ ଅଧକେଜି ଲେଖାଏଁ ହେବ ବୋଲି ଅନୁମାନ କରାଯାଉଛି । ସୋନପୁରରେ ସୁରକ୍ଷା ବ୍ୟବସ୍ଥା ବିଗିଡି ଗଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ରାତିରେ ୩ ଜଣ ପୋଲିସ୍ କର୍ମଚାରୀ ମନ୍ଦିରରେ ନିୟୋଜିତ ହୋଇ ମଧ୍ୟ ଚୋରି ହୋଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ମନ୍ଦିରରୁ ଚୋରି ହୋଇଥିବା ଯୋଗୁଁ ଦିନ ସାଢେ ୧୨ଟାରେ ମାଙ୍କ ମନ୍ଦିର ଖୋଲି ନୀତିକାନ୍ତି କରାଯାଇ ଥିଲା । କେବଳ ସୁରେଶ୍ୱରୀ ନୁହନ୍ତି ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିର ପରିସରରୁ ମଧ୍ୟ ଚୋରି ହୋଇଛି । କିଛି ଦିନ ତଳେ ପ୍ରତିଷ୍ଠା ହୋଇଥିବା କାଳି ମାଙ୍କ ସୁନା କାନ ରିଙ୍ଗ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଆମ୍ଭଘାଟ ନିକଟରେ ଥିବା ଗଣେଶ ମନ୍ଦିରରର ଦାନବାକ୍ସ ଭାଙ୍ଗି ଟଙ୍କା ପଇସା ନେଇ ଯାଇଛନ୍ତି ଦୁର୍ବୃତ୍ତ । ଓଁକାର ନାଥ ମନ୍ଦିରର ତାଲା କାଟିବା ପାଇଁ ଉଦ୍ୟମ ହୋଇଥିବା ଜଣା ପଡିଛି । ସାଇଣ୍ଟିଫିକ୍ ଟିମ୍ ସମସ୍ତ ମନ୍ଦିରକୁ ଯାଇ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ଅନୁସନ୍ଧାନ ଚାଲିଛି ।
ତେବେ କିଛି ଦିନ ପୂର୍ବରୁ ଓଁକାର ନାଥ ମନ୍ଦିର ବେଢାରୁ ମୁଗୁନି ପଥରର ମା ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା । ଏଯାଏଁ ତାହା ଉଦ୍ଧାର ହୋଇ ପାରିନାହିଁ । ସୁରେଶ୍ୱରୀ ମନ୍ଦିରର ସମସ୍ତ ପାଣି ପାଇପ୍ ଦୁର୍ବୃତ୍ତ ମାନେ କାଟି ନେଇଥିଲେ ।କିଛି ଦିନ ତଳେ ସୁବର୍ଣ୍ଣମେରୁ ମନ୍ଦିରରୁ ମଧ୍ୟ ଚୋରି ଅଭିଯୋଗ ହୋଇଥିଲା । ସୋମବାର ରାତିରେ ବିଭିନ୍ନ ମନ୍ଦିରରୁ ସିରିଜ୍ ଚୋରି କରି ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା । ଘଟଣାରେ ଦୁଇ ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ସୋନପୁର ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର । କିଛି ସୁରାକ୍ ପୁଲିସ୍‌ର ହସ୍ତଗତ ହୋଇଛି, ଖୁବ୍ ଶୀଘ୍ର ଦୁବୃର୍ତ୍ତ ମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ସୁବର୍ଣ୍ଣପୁର ଏସପି ମନ୍ଦିର ଚୋରି ଘଟଣା ରେ ତିନି ଜଣ ପୋଲିସ ଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି l ଜଣେ କନେଷ୍ଟେବଳ ଓ ଦୁଇଜଣ ଗୃହରକ୍ଷୀ ବୋଲି ସୂଚନା ମିଳିଛି l
ନିଷ୍କ୍ରିୟ ପୋଲିସ ଉପରୁ ନଜର ହଟାଇବା ପାଇଁ ଏପରି କରାଯାଇ ନାହିଁ ତ? ଦିନକୁ ଦିନ ପୋଲିସ ଉପରୁ ଜନସାଧାରଣ ଙ୍କ ବିଶ୍ୱାସ ତୁଟି ଯାଉଛି l ବର୍ତ୍ତମାନ ସୋନପୁର ସହର ତଥା ଏହାର ଆଖ ପାଖ ଅଞ୍ଚଳ ସୁରକ୍ଷିତ ନାହିଁ l

, ସକାଳ ୫ଟା ୫୦ରେ ପୂଜା କରିବା ପାଇଁ ମନ୍ଦିରକୁ ଆସିଥିଲି । ଦେଖିଲି ସମ୍ମୁଖ ଦ୍ୱାରର ତାଲା ଭଙ୍ଗା ଯାଇଥିଲା l ସାହସ କରି ଭିତରକୁ ଗଲା ବେଳେ ଭିତର ଦ୍ୱାରର ମଧ୍ୟ ତାଲା ଭଙ୍ଗା ଯାଇଥିବା ଦେଖିଲି । ମାଙ୍କୁ ଦେଖିଲା ବେଳେ ମାଙ୍କ ମୁଣ୍ଡରେ ମୁକୁଟ ଏବଂ ଦୁଇଟି ଛତ୍ର ନଥିବା ଦେଖି ସମସ୍ତଙ୍କୁ ଜଣାଇ ଥିଲି ବୋଲି ପ୍ରକାଶ କରଛନ୍ତି ଶୁଭାଶିଷ ଥନାପତି, ସୁରେଶ୍ୱରୀ ମନ୍ଦିର ସେବାୟତ l
ସୁରୁବାବୁ ଥନାପତି, ଓଁକାରନାଥ ପୂଜକ- ମୁଁ ସକାଳୁ ମନ୍ଦିର ପୂଜା ପାଇଁ ଗଲାବେଳେ ତାଲା କାଟିବା ପାଇଁ ଉଦ୍ୟମ ହୋଇଥିବା ଦେଖିଲି । ପୂର୍ବରୁ ପାର୍ବତୀ ମାଙ୍କ ମୂର୍ତ୍ତି ଚୋରି ହୋଇଥିଲା । ତାହା ନମିଳିବାରୁ ନୂଆ ମୂର୍ତ୍ତି ବସା ଯାଇଛି ।
ଶଙ୍କର ସାହୁ, ସ୍ଥାନୀୟ ବାସିନ୍ଦା- ଯେଉଁଠି ସୋନପୁରର ଇଷ୍ଟ ଦେବୀ ସୁରକ୍ଷିତ ନୁହନ୍ତି ସାଧାରଣ ଲୋକଙ୍କ କଥା କିଏ ପଚାରେ । ଠିକ୍ ଭାବେ ପୋଲିସ୍ ପାଟ୍ରୋଲିଂ ହେଉ ନାହିଁ । ମନ୍ଦିର ମାଳିନୀ ସୋନପୁରର ମନ୍ଦିର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉ ।
ଜିତେନ୍ଦ୍ର ପଟ୍ଟନାୟକ, ସ୍ଥାନୀୟ ବାସିନ୍ଦା- ସୋନପୁରରେ ସୁରକ୍ଷା ବ୍ୟବସ୍ଥା ପୁରା ଢିଲା । ଲୋକ ଦେଖାଣିଆ ବସଷ୍ଟାଣ୍ଡ ଏରିଆରେ କେବଳ ପିସିଆର୍ ଭ୍ୟାନ ବୁଲୁଥାଏ । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଚୋରି ହେଉଥିଲେ ମଧ୍ୟ ଚୋର ମାନେ ଧରା ପଡୁନାହାନ୍ତି ।
ଲଖ୍ମୀନାରାୟଣ ଥନାପତି, ସେବାୟତ- ଖୁବ୍ ଦୁଃଖର କଥା ବାରମ୍ବାର ବିଭିନ୍ନ ମନ୍ଦିରରୁ ଚୋରି ହେଉଥିଲେ ମଧ୍ୟ ଚୋର ଧରା ପଡୁନାହାନ୍ତି । ମନ୍ଦିର ଗୁଡିକରେ ପୋଲିସ୍ ପାଟ୍ରୋଲିଂ କଡାକଡି କରାଯାଉ ।
ମୁନ୍ନା ତ୍ରିପାଠୀ, ସୋନପୁର ବାସିନ୍ଦା- ସୋନପୁର ସହରର ବୈଶିଷ୍ଟତା ହେଲା ମନ୍ଦିର । ମନ୍ଦିର ଗୁଡିକରୁ ବାରମ୍ବାର ଚୋରି ହେଉଥିବାରୁ ଲୋକଙ୍କୁ ଖୁବ୍ ବାଧୁଛି । ଏହା ରୋକିବାକୁ ପୋଲିସ୍ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବି ହେଉଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.