ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ଆଜି ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ । ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହାର ପ୍ରଭାବରେ ଆସନ୍ତା କାଲି (୧୩ ନଭେମ୍ବର ) ସକାଳ ୮.୩୦ ମଧ୍ୟରେ ୯ ଜିଲ୍ଲା ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning ) ଜାରି କରିଛି କେନ୍ଦ୍ର । ଏହାସହ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି, ଏବଂ ବଲାଙ୍ଗିର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି ।
ସେହିପରି ୧୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ଆଲର୍ଟ (Yellow Warning) ଜାରି କରିଛି କେନ୍ଦ୍ର । ଏହାସହ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ଘଡଘଡି ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପାଇଁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ବଢ଼ିବା ସହିତ ଓଡ଼ିଶା ମଧ୍ୟକୁ ଉଷ୍ମ ଶୁଷ୍କ ବାୟୁ ପ୍ରବାହ ବଢିବ । ଫଳରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢିବ ବୋଲି ସୂଚନା ଦେଇଛି କେନ୍ଦ୍ର । ପ୍ରବଳ ବର୍ଷା ସମ୍ଭାବନା ନେଇ ପାଚିଲା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଲାଗି ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )