ସୋସିଆଲ୍ ମିଡିଆରେ ଠକାମିର ନୂଆ କୌଶଳ: ସାଢ଼େ ୬ ଲକ୍ଷ ଟଙ୍କା ଚୂନ ଲଗାଇ ଯୁବତୀ ଗିରଫ
କାହାକୁ ଡାକ୍ତର କହନ୍ତି ତ କାହାକୁ ପରିଚୟ ଦିଅନ୍ତି ବ୍ୟୁଟିସିଆନ୍। ପୁଣି କାହାକୁ ଶିକ୍ଷୟିତ୍ରୀ କହି ସଂପର୍କ ବଢ଼ାନ୍ତି। ଏମିତି ସୋସିଆଲ୍ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷଲକ୍ଷ ଟଙ୍କା ଠକୁଥିବା ରୢାକେଟ୍ର ମାଷ୍ଟରମାଇଣ୍ଡ ଜଣେ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ବାଲୁଗାଁ ନଚୁଣୀ ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା(୨୬)। ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ଏଭଳି ଭାବେ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି। ପ୍ରିୟଙ୍କାଙ୍କ ସହ ଏହି ଠକେଇ ରୢାକେଟ୍ରେ ଆହୁରି ଅନେକ ଯୁବତୀ ରହିଥିବା ଜଣାପଡ଼ିଥିବାରୁ ପୁଲିସ ଏହାର ତଦନ୍ତ କରୁଛି।ପୁଲିସ ସୂଚନା ମୁତାବକ, କିଛିମାସ ହେବ ପ୍ରିୟଙ୍କା ଫେସ୍ବୁକ୍ ଓ ହ୍ବାଟ୍ସଆପ୍ରେ ଏକାଧିକ ଆକାଉଣ୍ଟ ଖୋଲି ଡିପିରେ ଭିନ୍ନଭିନ୍ନ ଯୁବତୀଙ୍କ ଫଟୋ ଛାଡ଼ୁଥିଲେ। ଆଉ ଅଜଣା ଲୋକଙ୍କୁ ମେସେଜ୍ ପଠାଇ ସଂପର୍କ ଯୋଡ଼ୁଥିଲେ। ଫଟୋରେ ଯୁବତୀମାନଙ୍କ ବେଶଭୁଷା ଓ ପେସାକୁ ସୁାହଇଲା ଭଳି ଭିନ୍ନଭିନ୍ନ ବୃତ୍ତିରେ ଥିବା ଦର୍ଶାଇ ବିଭିନ୍ନ ଲୋକଙ୍କ ସହ ପରିଚିତ ହେଉଥିଲେ। ଏହି ରୢାକେଟ୍ର ମାଷ୍ଟରମାଇଣ୍ଡ ପ୍ରିୟଙ୍କା ଏଭଳି କୌଶଳ ଅବଲମ୍ବନ କରୁଥିଲେ ଯେ ଯେଭଳି କେହି ସହଜରେ ଠକ ବୋଲି ସନ୍ଦେହ କରିପାରିବ ନାହିଁ। ତେଣୁ ଯେଉଁ ଲୋକଙ୍କୁ ସେ ଯେଉଁ ଯୁବତୀଙ୍କ ଫଟୋ ପଠାଇ ଯେଉଁ ବୃତ୍ତି କଥା କହୁଥିଲେ, ସେହିଭଳି ବେଶଭୁଷାରେ ସଜାଇ ଯୁବତୀମାନଙ୍କୁ ସେମାନଙ୍କ ପାଖକୁ ପଠାଉଥିଲେ। ଆଉ ଏହି ଯୁବତୀମାନେ ଖୁବ୍ କମ୍ ସମୟରେ ସମ୍ପର୍କ ଗଢ଼ି ଲୋକଙ୍କୁ ଜାଲରେ ଫସାଉଥିଲେ। ଥରେ ଲୋକଙ୍କ ମନରେ ବିଶ୍ବାସ ଆସିଯିବା ପରେ ଏହି ଯୁବତୀମାନେ ସୁଯୋଗ ନେଇ ସେମାନଙ୍କ ଭିନ୍ନଭିନ୍ନ ସମସ୍ୟା ଥିବା ଦର୍ଶାଇ ଟଙ୍କା ମାଗୁଥିଲେ। ଆଉ ପରେ ଟଙ୍କା ଫେରାଇଦେବେ ବୋଲି କହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟଙ୍କା ଫେରାଉ ନଥିଲେ। କେହି କେହି ଠକାମିର ଶିକାର ହୋଇଥିବା ଜାଣିପାରୁଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅଭିଯୋଗ କରୁନଥିଲେ।
ତେବେ ପ୍ରିୟଙ୍କାଙ୍କ ଜାଲରେ ପଡ଼ିଥିବା ୟୁନିଟ୍-୧ ଅଞ୍ଚଳର ଶକ୍ତି ସୌରଭ ମହାପାତ୍ର ସହିଦନଗର ଥାନାରେ ଏଭଳି ଅଭିଯୋଗ କରିବା ପରେ ଏହି ରୢାକେଟ୍ର ଠକାମିର ଗୁମର ଖୋଲିଛି। କିଛି ମାସ ତଳେ ଫେସ୍ବୁକ୍ରେ ସୌରଭଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ସେ ଜଣେ ସୁନ୍ଦର ଯୁବତୀଙ୍କ ଫଟୋଦେଇ ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ ଏବଂ ସୌରଭଙ୍କୁ ସହ ପରିଚିତ ହୋଇଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଆଉ ଏହାର ସୁଯୋଗ ନେଇ ଗତ ଜୁଲାଇ ମାସରେ ସେ ସମସ୍ୟାରେ ଥିବା ଦର୍ଶାଇ ସୌରଭଙ୍କଠାରୁ ଗୁଗଲ୍ ପେ’ ଏବଂ ଫୋନ୍ ପେ’ ଜରିଆରେ ସାଢ଼େ ୬ଲକ୍ଷ ଟଙ୍କା ନେଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇନଥିଲେ। ଏ ନେଇ ସୌରଭ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )