ସ୍ୱୀକାର କଲେ ସାଂସଦ! ‘ମୁଁ ବିଜେପିରେ ଥିଲା ଯାଏ ଇଡି ରେଡ୍ କରିବନି’
ବିରୋଧୀ ଦଳର ନେତାମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସରକାରଙ୍କ ନିର୍ଦ୍ଦେଶରେ ହଇରାଣ କରୁଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହାକୁ ଜଣେ ବିଜେପି ସାଂସଦ ସ୍ୱୀକାର କରିଛନ୍ତି। ମହାରାଷ୍ଟ୍ରର ବିଜେପି ସାଂସଦ ସଞ୍ଜୟ ପାଟିଲ ସର୍ବସମ୍ମୁଖରେ ବଡ଼ ଘୋଷଣା କରି ତାଙ୍କ ଉପରେ କେବେ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିପାରିବ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି, “ମୋ ପାଖକୁ ଇଡି କେବେ ହେଲେ ଆସିବ ନାହିଁ। ମୁଁ ବିଜେପି ସାଂସଦ ଥିବା ଯାଏ ଇଡି କେବେ ହେଲେ ରେଡ୍ କରିବନି।” ସାଂସଦ ପାଟିଲଙ୍କ ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ମୋଦି ସରକାର ନିଜର ରାଜନୀତିକ ଫାଇଦା ହାସଲ ପାଇଁ ବ୍ୟବହାର କରୁଥିବା ଅନେକ ଲୋକ କହିବା ଆରମ୍ଭ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଂସଦ ପାଟିଲ ପ୍ରଥମ ବିଜେପି ନେତା ଭାବେ ଏପରି କହିନାହାନ୍ତି। ଏହାପୂର୍ବରୁ ମହାରାଷ୍ଟ୍ରର ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲ ମଧ୍ୟ ସମାନ ବୟାନ ଦେଇଥିଲେ। ସେ କଂଗ୍ରେସ ଛାଡ଼ି ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ।
ଚଳିତ ମାସରେ ସେ କହିଥିଲେ, “ଆମେ ସମସ୍ତେ ବିଜେପିରେ ମିଶିଯିବା ଦରକାର। ଜଣେ ମୋତେ ପଚାଲିଲେ ମୁଁ କାହିଁକି ବିଜେପିରେ ମିଶିଲି? ମୁଁ ତାଙ୍କୁ କହିଥିଲି ଆପଣ ଦୟାକରି ଆପଣଙ୍କ ନେତାଙ୍କୁ ଏକଥା ପଚାରନ୍ତୁ। ବିଜେପିରେ ସବୁ କିଛି ସହଜ ଓ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ମୁଁ ତଦନ୍ତ ହେଉ ନଥିବାରୁ ଶାନ୍ତିରେ ଶୋଇପାରୁଛି।”
ଏହାକୁ ନେଇ ଏବେ ଚାରିଆଡ଼େ ବିଜେପି ସରକାର ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ଥିବା ମଧୁଚନ୍ଦ୍ରିକା ସାମ୍ନାକୁ ଆସି ଯାଇଥିବା କୁହାଯାଉଛି।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )