୩୫୮ ଦିନ ଧରି ଚାଷୀମାନେ କରିଥିବା ଆନ୍ଦୋଳନକୁ ୟୁ.ପି.ନିର୍ବାଚନରେ ପରାଜୟ ପାଇଁ ପ୍ରତ୍ୟାହାର କି ?

0 12

ନୂଆଦିଲ୍ଲୀ:ନିତ୍ଯାବଶ୍ବକ ସାମଗ୍ରୀର ଆକାଶ ଛୁଆଁ ଦରଦାମ ଏବଂ ପେଟ୍ରୋଲ ଓ ଡିଜେଲ ର ଦର ବୃଦ୍ଧି ପାଇଁ ନିକଟରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ଦଳର ପରାଜୟ ସହ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ବିଜୟୀ କରିବା ଲକ୍ଷ୍ୟରେ ଆଜି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚ୍ୟର ବିଷୟ ହୋଇଛି । ୩୫୮ ଦିନ ପୂର୍ବରୁ ଅର୍ଥାତ ୨୦୨୦ ମସିହା ନଭେମ୍ବର ୨୬ରେ ଶତାଧିକ ଚାଷୀ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ରାଜଧାନୀ ଦିଲ୍ଲୀର ସୀମାରେ ଏକାଠି ହୋଇଥିଲେ।

ଏହି ବର୍ଷକ ମଧ୍ୟରେ ଅନେକ ଘଟଣା ଘଟିଛି। କେତେବେଳେ ଚାଷୀଙ୍କୁ ଆତଙ୍କବାଦୀ କୁହାଯାଇଛି ତ ଆଉ କେତେବେଳେ ସେମାନଙ୍କ ଉପରେ ଲାଠି ଓ ପାଣି ମାଡ଼ କରାଯାଇଛି। ଏହା ସତ୍ତ୍ୱେ ଚାଷୀମାନେ ସଂଘର୍ଷ କରିବା ବନ୍ଦ କରିନଥିଲେ। ଶେଷରେ ଚାଷୀଙ୍କ ଜିଦ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବା ସହ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷକ ମଧ୍ୟରେ ଆନ୍ଦୋଳନ କରିବା ବେଳେ ୬୦୦ରୁ ଅଧିକ ଚାଷୀଙ୍କ ଜୀବନ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଚାଷୀଙ୍କ ଐତିହାସିକ ଆନ୍ଦୋଳନର ପୂରା ଘଟଣାକ୍ରମ

୨୦୨୦, ଜୁନ ୫: ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ତିନୋଟି କୃଷି ବିଲ୍ – କୃଷି ଉପଜ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)୨୦୨୦ ଆଣିଥିଲେ।

୨୦୨୦, ସେପ୍ଟେମ୍ବର ୧୪: ସରକାର ଏହି ତିନି କୃଷି ବିଲ୍ ସଂସଦରେ ଉପସ୍ଥାପନ କରିଥିଲେ।

ସେପ୍ଟେମ୍ବର ୧୭: ସମସ୍ତ ତିନୋଟି କୃଷି ବିଲ୍ ଲୋକସଭାରେ ପାସ୍ ହୋଇଥିଲା।

ସେପ୍ଟେମ୍ବର ୨୦: ରାଜ୍ୟସଭାରେ ଭଏସ୍ ଭୋଟ୍ ଦ୍ୱାରା ୩ଟି ଯାକ ବିଲ୍‌ ପାରିତ ହୋଇଥିଲା।

ସେପ୍ଟେମ୍ବର ୨୪: କୃଷି ଅଧିନିୟମ ପାସ ହେବା ପରେ ପ୍ରଥମ ଥର ପାଇଁ ଚାଷୀମାନେ ବିରୋଧ ଆରମ୍ଭ କରିଥିଲେ। ପଞ୍ଜାବର ଚାଷୀମାନେ ତିନି ଦିନିଆ ରେଳ ରୋକ କରିଥିଲେ।

ସେପ୍ଟେମ୍ବର ୨୫: ପଞ୍ଜାବରେ କୃଷକଙ୍କ ତିନି ଦିନିଆ ରେଳ ରୋକ କାର୍ଯ୍ୟକ୍ରମ ଘୋଷଣା ହେବାର ଗୋଟିଏ ଦିନ ପରେ ଅଲ ଇଣ୍ଡିଆ କିଷାନ ସଂଘର୍ଷ ସମ୍ବନୟ ସମିତିର ଆହ୍ୱାନରେ ଦେଶବ୍ୟାପୀ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ।

ସେପ୍ଟେମ୍ବର ୨୭: ସଂସଦର ଉଭୟ ଗୃହ ପାରିତ କୃଷି ବିଲ୍ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିଲେ। ଫଳରେ କୃଷି ବିଲ୍‌ ଆଇନରେ ପରିଣତ ହୋଇଥିଲା।

ନଭେମ୍ବର ୨୫: ନୂତନ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଥିଲେ। ପଞ୍ଜାବ ଓ ହରିଆଣାର ଚାଷୀ ସଂଗଠନଗୁଡ଼ିକ ‘ଦିଲ୍ଲୀ ଚାଲୋ’ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ତେବେ କୋଭିଡ୍‌ ପ୍ରୋଟକଲ ଯୋଗୁ ଦିଲ୍ଲୀ ପୁଲିସ୍‌ ଚାଷୀଙ୍କୁ ସହରରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲା।

ନଭେମ୍ବର ୨୬: ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାବେଳେ ହରିଆଣାର ଅମ୍ବାଲାରେ ଚାଷୀଙ୍କ ଉପରେ ପୁଲିସ୍‌ ପାଣି ମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରେ ଉତ୍ତର-ପଶ୍ଚିମ ଦିଲ୍ଲୀର ନିରାଙ୍କରୀ ମୈଦାନରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଚାଷୀଙ୍କୁ ଅନୁମତି ମିଳିଥିଲା।

ନଭେମ୍ବର ୨୮: ସରକାର ପ୍ରଥମ ଥର ପାଇଁ ଚାଷୀଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରିଥିଲେ। ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚାଷୀମାନଙ୍କୁ ଆଲୋଚନା ପୂର୍ବରୁ ପ୍ରଥମେ ଦିଲ୍ଲୀ ସୀମା ଖାଲି କରିବାକୁ ସର୍ତ୍ତ ରଖିଥିଲେ। କୃଷକମାନେ ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଅନୁମତି ମାଗିଥିଲେ।

ଡିସେମ୍ବର ୩: ଆନ୍ଦୋଳନ ବଢ଼ୁଥିବାରୁ ସରକାର ପ୍ରଥମଥର ପାଇଁ ଚାଷୀଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ। ହେଲେ ବୈଠକରୁ କୌଣସି ସୁଫଳ ମିଳି ନଥିଲା।

ଡିସେମ୍ବର ୫: ପ୍ରଥମ ରାଉଣ୍ଡ ବୈଠକର ଦୁଇ ଦିନ ପରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ଡିସେମ୍ବର ୮: କୃଷି ଆନ୍ଦୋଳନର ଗତି ତ୍ୱରାନ୍ୱିତ କରି ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ।

ଡିସେମ୍ବର ୯: କୃଷି ଆଇନ ସଂଶୋଧନ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଥିଲେ।

ଡିସେମ୍ବର ୧୧: ଭାରତୀୟ କୃଷକ ସଂଘ ସୁପ୍ରିମକୋର୍ଟରେ ଆଇନକୁ ଚ୍ୟାଲେଞ୍ଜ କରିଥିଲା।

ଡିସେମ୍ବର ୧୩ : ପ୍ରଥମଥର ପାଇଁ ‘ଟୁକଡେ-ଟୁକେ ଗ୍ୟାଙ୍ଗର ଲିଙ୍କ ଚାଷୀ ଆନ୍ଦୋଳନ ସହ ରହିଥିବା କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ।

ଡିସେମ୍ବର ୩୦: ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ୬ଷ୍ଠ ରାଉଣ୍ଡ ଆଲୋଚନା ହୋଇଥିଲା। ନଡ଼ା ଜାଳିବା ଅପରାଧ ପାଇଁ ଚାଷୀଙ୍କୁ ଦିଆଯାଉଥିବା ଦଣ୍ଡରୁ ମୁକ୍ତ କରିବା ଓ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ରେ ପରିବର୍ତ୍ତନ ପାଇଁ କେନ୍ଦ୍ର ରାଜି ଥିବା କହିଥିଲା। କିନ୍ତୁ କୃଷି ଆଇନ ପ୍ରତ୍ୟାହାର ହେବନି ବୋଲି ସରକାର ଜିଦ କରିଥିଲେ।

୨୦୨୧ ଜାନୁଆରୀ ୧୨: ସୁପ୍ରିମକୋର୍ଟ ତିନୋଟି ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇଥିଲେ ଓ ଏହାର ସମୀକ୍ଷା କରିବାକୁ ଚାରିଜଣିଆ କମିଟି ଗଠନ କରିଥିଲେ।

ଜାନୁଆରୀ ୨୬: ସାଧାରଣତନ୍ତ୍ର ଦିବସରେ କୃଷି ଆଇନ ବିରୋଧରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭକାରୀଙ୍କ ଗୋଟିଏ ଗ୍ରୁପ୍‌ ରେଡଫୋର୍ଟରେ ପ୍ରବେଶ କରି ସେଠାରେ ଶିଖ୍‌ ପତାକା ଉଡ଼ାଇଥିଲେ। ହିଂସାକାଣ୍ଡରେ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।

ଜାନୁଆରୀ ୨୮: ଦିଲ୍ଲୀର ଗାଜିପୁର ସୀମାକୁ ଖାଲି କରିବାକୁ ପ୍ରଶାସନ କହିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚାଷୀନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକାଠି ହୋଇ ବିକ୍ଷୋଭ କରିଥିଲେ।

ଫେବୃଆରୀ ୧୮: ଦେଶବ୍ୟାପୀ ‘ରେଳ ରୋକ’ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ଦେଇଥିଲା।

ମାର୍ଚ୍ଚ ୬: ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନ ପୂରଣ କରିଥିଲା।

ମେ’ ୨୭: ଆନ୍ଦୋଳନର ୬ ମାସ ପୂରିବାରୁ ଚାଷୀମାନେ ଏହାକୁ ‘କଳା ଦିବସ’ ଭାବରେ ପାଳନ କରିଥିଲେ। ଏଥିସହ ଦାବି ପୂରଣ ଯଦି ନ ହେବ, ତା’ହେଲେ ୨୦୨୪ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଥିଲା।

ଅଗଷ୍ଟ ୨୮: ହରିଆଣା ପୁଲିସ କର୍ଣ୍ଣାଲରେ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଦୋଳନ ପୁଣି ତୀବ୍ର ହୋଇଥିଲା। ଜାତୀୟ ରାଜପଥରେ ଥିବା ବସ୍ତର ଟୋଲ ପ୍ଲାଜା ନିକଟରେ ପୁଲିସ୍‌ର ଲାଠି ମାଡ଼ରେ ଅନେକ ଚାଷୀ ଆହତ ହୋଇଥିଲେ। ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ୨୫ ଲକ୍ଷର କ୍ଷତି ପୂରଣ ସହ ପରିବାର ବର୍ଗର ଜଣଙ୍କୁ ସରକାରୀ ଚାକିରି ପାଇଁ ଆନ୍ଦୋଳନକାରୀ ଦାବି କରିଥିଲେ। ସେପ୍ଟେମ୍ବର ୧୧ରେ ହରିଆଣା ସରକାର ଏହି ଦାବିକୁ ଗ୍ରହଣ କରିଥିଲେ।

ଅକ୍ଟୋବର ୩: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗାଡ଼ି ମଡ଼ାଇବା ଯୋଗୁ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା। ଏହାପରେ ସୃଷ୍ଟି ହୋଇଥିବା ହିଂସା ଯୋଗୁ ଗାଡ଼ିରେ ଥିବା ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଆଶିଷଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି।

ଅକ୍ଟୋବର ୨୯: ଗାଜିପୁର ସୀମାରୁ ପୁଲିସ୍‌ ବ୍ୟାରିକେଡ ହଟାଇବା ଆରମ୍ଭ କରିଥିଲା। ଟକରି ସୀମାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

ନଭେମ୍ବର ୧୯: ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବା ସମୟରେ ସମସ୍ତ ତିନୋଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.