ଆଇଟିଆର୍‌ ତଥ୍ୟ ଚୋରି ମାମଲା: ମିଳିଲା ପାକିସ୍ତାନୀ ମହିଳାଙ୍କ ଫଟୋ, ଇଣ୍ଟରପୋଲ୍ ସହାୟତାରେ ଛାନଭିନ୍କ

0 6

କଟକ : ଚାନ୍ଦିପୁର ଆଇଟିଆର୍ ତଥ୍ୟ ଚୋରି ମାମଲାରେ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ଫଟୋ ହାତେଇ ପାରିଛି କ୍ରାଇମବ୍ରାଞ୍ଚ। ଯେଉଁ ମହିଳା ସହିତ ଜଣେ ଅଭିଯୁକ୍ତ ହ୍ବାଟସଆପ୍ ଭିଡିଓ କଲ୍‌ରେ କଥା ହୋଇଥିଲା, ସମ୍ପୃକ୍ତ ମହିଳାର ଫଟୋ ତା’ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ରହିଛି। ଅର୍ଥାତ ଷ୍ଟାଟସ୍‌ରେ ଥିବା ମହିଳାର ଫଟୋ ଏବଂ ଭିଡିଓ କଲରେ ଆସିଥିବା ମହିଳା ସହିତ ମେଳ ଖାଉଛି। ଏହି ଫଟୋ କ୍ରାଇମବ୍ରାଞ୍ଚ ଜବତ କରିଥିବା ଏଡିଜି ସଂଜୀବ ପଣ୍ଡା ଆଜି ସୂଚନା ଦେଇଛନ୍ତି। ଫଳରେ ଏହି ମହିଳା ନିକଟରେ ପହଞ୍ଚିବା ପାଇଁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ୍ ସହାୟତା ନେଉଛି।
ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ଆଣି ଜେରା କରାଯାଇଥିବାବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ସେହି ଆଧାରରେ ଛାନ୍‌ଭିନ୍‌ରୁ ପାକିସ୍ତାନୀ ମହିଳାଙ୍କ ସହିତ ସମ୍ପର୍କକୁ ନେଇ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ମହିଳାର ଠିକଣା ସ୍ପଷ୍ଟ ହେବାପାଇଁ ଇଣ୍ଟରପୋଲ୍ ମାଧ୍ୟମରେ ଏବେ ତା’ ୟୁକେ ନମ୍ବର ଏବଂ ଦୁବାଇର ବ୍ୟାଙ୍କ୍ ଆକାଉଣ୍ଟ ଖୋଳତାଡ଼ କରାଯାଉଛି। ଏହି ଦୁଇଟି ସ୍ଥାନରୁ ହିଁ ମହିଳାର ଅସଲ ପରିଚୟ ସ୍ପଷ୍ଟ ହେଲେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ନାଁ ଯୋଡ଼ିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଛି। ଅନ୍ୟପଟେ ଖୁବ୍‌ଶୀଘ୍ର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରିରୁ ୩ଟି ଲାପଟପ୍ ଓ ୫ଟି ମୋବାଇଲର ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହେବାକୁ ଯାଉଛି।

ଅଭିଯୁକ୍ତଙ୍କ ମୋବାଇଲରେ ଏକ ସେଫ୍ଟୱେୟାର୍‌ ସଂସ୍ଥାପନ ହୋଇଥିବାରୁ ଏହି ସେଫ୍ଟୱେୟାର୍‌ କମ୍ପାନି ସହିତ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରୁଛି। ମୁଖ୍ୟତଃ ଏହି ସେଫ୍ଟୱେୟାର୍‌ ମାଧ୍ୟମରେ ପାକିସ୍ତାନୀ ମହିଳା ଏଜେଣ୍ଟ ଗଲା ୮ ମାସ ହେବ ଜଣେ ଅଭିଯୁକ୍ତର ଗତିବିଧି, ମୋବାଇଲରେ କଥାବାର୍ତ୍ତା ସମୟର ଭଏସ୍ ରେକର୍ଡ, ହ୍ବାଟସଆପ୍ ଚାଟ୍, ଯୋଗାଯୋଗ ନମ୍ବର ଚୋରି କରି ନେଇଛି। ଚୋରି ହୋଇଥିବା ଏହି ତଥ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନକୁ ଯାଇଛି, ସେ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ କରିଛି। ଯେଉଁ ମୋବାଇଲ୍ ବା କମ୍ପ୍ୟୁଟରରୁ ଏହି ତଥ୍ୟ ଯାଇଛି, ସେହି ମୋବାଇଲ ବା କମ୍ପ୍ୟୁଟରର ଆଇପି ଆଡ୍ରେସ୍ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି। ଅନ୍ୟପଟେ ମୋବାଇଲରେ ଡାଉନଲୋଡ୍ ହୋଇଥିବା ଉକ୍ତ ଆପ୍ଲିକେସନକୁ ଏବେ ଲାବୋରେଟୋରିରେ ପୁନଃପ୍ରାପ୍ତ କରିବାକୁ ଉଦ୍ୟମ କରୁଛି। କେଉଁ ତଥ୍ୟ ଉକ୍ତ ଆପ୍ଲିକେସନ୍ ମାଧ୍ୟମରେ ପାକିସ୍ତାନୀ ମହିଳା ଏଜେଣ୍ଟର ମୋବାଇଲକୁ ଯାଇଛି, ସେ ନେଇ ଜାଣିବାକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.