କଙ୍ଗନାଙ୍କ ‘ସ୍ୱାଧୀନତା ଭିକ’ ବୟାନକୁ ନେଇ ତେର୍ଚ୍ଛାବାଣ ମାରିଲେ ନୀତୀଶ କୁମାର

0 29

ନୂଆଦିଲ୍ଲୀ: ଦେଶକୁ ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ଭିକ ଥିଲା ବୋଲି ଲଜ୍ଜାଜନକ ବୟାନ ଦେଇ ଝଡ଼ ସୃଷ୍ଟି କରିଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହେବା ସହ ତାଙ୍କ ଠାରୁ ପଦ୍ମ ପୁରସ୍କାର ଫେରାଇ ଆଣିବାକୁ ଦାବି ହେଉଛି। ଏସବୁ ଭିତରେ ବିଜେପିର ବିହାର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଅଭିନେତ୍ରୀ କଙ୍ଗନାଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। ସେ ଏପରି ବୟାନର ମଜା ଉଠାଇ ଅଣଦେଖା କରିବା ଦରକାର ବୋଲି ନୀତୀଶ କହିଛନ୍ତି। ସାମ୍ବାଦିକମାନେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ନୀତୀଶ କୁମାର କହିଛନ୍ତି, “କେମିତି ଏହାକୁ କେହି ପବ୍ଲିଶ କଲା? ଏହାର ଅର୍ଥ କ’ଣ? ଆମେ କ’ଣ ଏହାକୁ ନଜର ଦେବା କଥା? ଯିଏ ଆମେମାନେ କେବେ ସ୍ୱାଧୀନତା ପାଇଲୁ ଜାଣନି, ତାଙ୍କ କଥାକୁ କାହିଁକି ଗୁରୁତ୍ୱ ଦିଆଯିବ? ଏପରି ବୟାନ ଗୁରୁତ୍ୱହୀନ। ଏହାର ମଜା ଉଡ଼ାଇବା ଦରକାର। ସେମାନେ କେବଳ ଜାଣିଶୁଣି ଚର୍ଚ୍ଚାରେ ରହିବାକୁ ଏପରି ବୟାନ ଦେଇଥାଆନ୍ତି। ମୁଁ କେବେ ହେଲେ ସେପରି ଲୋକଙ୍କୁ ଗୁରୁତ୍ୱ ଦିଏନି। ଏପରି ବୟାନ ମୁଁ ଶୁଣେନାହିଁ।”
ନିକଟରେ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କଙ୍ଗନା କହିଥିଲେ ଯେ ଭାରତ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପ୍ରକୃତ ସ୍ୱାଧୀନତା ପାଇଛି। ୧୯୪୭ରେ ମିଳିଥିବା ସ୍ୱାଧୀନତା ଭିକ ଥିଲା। ପୂର୍ବରୁ ସେ ଚାଷୀଙ୍କୁ ଆତଙ୍କବାଦୀ କହିବା ସହ ଅନେକ ପ୍ରକାରର ବିବାଦୀୟ ବୟାନ ଦେଇଥିଲେ। ସେ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଉଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ବ୍ୟାନ ମଧ୍ୟ କରାଯାଇଛି। ଏହା ସତ୍ତ୍ୱେ ସେ ବାରମ୍ବାର ବିବାଦୀୟ ବୟାନ ଦେବା ସହ ବିଜେପି ଓ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ଚାଲିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.