ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ
ଖୋର୍ଦ୍ଧା : ଖୋର୍ଦ୍ଧା ସଦର ମହକୁମାରେ ଆଜି ଗାନ୍ଧୀ ଜୟନ୍ତୀ ସମାରୋହ- ୨୦୨୧ ଅନୁଷ୍ଠିତ ହୋଇଛି।ଜିଲ୍ଲା ସଂସ୍କୃତି ଭବନ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ହୋଇଥିଲା।ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଆଜି ଭାରତର ଦୁଇ ଜଣ ମହାନ୍ ଜନନାୟକ ଙ୍କ ର ଜନ୍ମ ଦିବସ।ଗାନ୍ଧିଜୀ ଙ୍କ ର ଆଦର୍ଶ ଏବଂ ଅହିଂସା ନୀତି ସମ୍ପର୍କରେ ସେ ଆଲୋକପାତ କରିଥିଲେ।ଅହିଂସା ଥିଲା ଗାନ୍ଧିଜୀ ଙ୍କ ର ସବୁଠାରୁ ବଡ଼ ଶକ୍ତି।ମହାତ୍ମା ଗାନ୍ଧୀ ସବୁଧର୍ମ ଓ ଭାଷାଭାଷୀ ଲୋକମାନଙ୍କୁ ନେଇ ଅହିଂସା ନୀତିରେ ସ୍ଵାଧୀନତା ଆନ୍ଦୋଳନ କରିଥିଲେ।ମହାତ୍ମା ଗାନ୍ଧୀଙ୍କ ଆଶ୍ରମରେ ସର୍ବଧର୍ମ ପ୍ରାର୍ଥନା ହେଉଥିଲା।ସେ ସଦ୍ଭାବ ଓ ଭ୍ରାତୃତ୍ଵ ବଜାୟ ରଖିବାକୁ ଗୁରୁତ୍ବ ଦେଉଥିଲେ।ଲାଲ୍ ବାହାଦୁର ଶାସ୍ତ୍ରୀ ଦକ୍ଷ ପ୍ରଧାମନ୍ତ୍ରୀ ଥିଲେ।ଭାରତ ବର୍ଷକୁ ସ୍ବାବଲମ୍ବୀ କରିବା ଓ ଦେଶର ସୁରକ୍ଷା ପାଇଁ ସେ ଗୁରୁତ୍ବ ଦେଇଥିଲେ।ସେ ‘ ଜୟ ଯବାନ, ଜୟ କିଶାନ୍’ ଡାକରା ଦେଇଥିଲେ।
ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସନତ କୁମାର ମହାନ୍ତି ଜୟନ୍ତୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ସତ୍ୟ,ଅହିଂସା ଓ ଶକ୍ତିର ପ୍ରବର୍ତ୍ତକ ଥିଲେ।ଅହିଂସା ମାର୍ଗରେ ଗାନ୍ଧିଜୀ ଦେଶର ସ୍ଵାଧୀନତା ଆଣିଥିଲେ।ତାଙ୍କର ଅହିଂସା ନୀତି ସମଗ୍ର ବିଶ୍ୱ ପାଇଁ ଅବଦାନ ଥିଲା।ମହାତ୍ମା ଗାନ୍ଧୀଙ୍କ ଜୀବନ ଏକ ଖୋଲା ବହି।ତାଙ୍କର ଜୀବନ ,ନୀତି ଓ ଆଦର୍ଶ ଆମକୁ ପ୍ରେରଣା ଦେଇଛି।ଗାନ୍ଧିଜୀଙ୍କ ଦର୍ଶନକୁ ଆପଣେଇ ଆମ ଦେଶ ପ୍ରଗତି କରିଛି।
ପ୍ରଫେସର୍ ଡ଼ଃ ନାରାୟଣ ରାଓ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ଗାନ୍ଧିଜୀଙ୍କ ର ଆଦର୍ଶ ପ୍ରତି ସମ୍ମାନ ରହିଛି।ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଅହିଂସା ଉପାୟରେ ଆନ୍ଦୋଳନ କରିଥିଲେ।ଗାନ୍ଧିଜୀ ଭାରତରେ ଅସହଯୋଗ ଆନ୍ଦୋଳନ ,ଲବଣ ସତ୍ୟାଗ୍ରହ,ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ତାଙ୍କ ନେତୃତ୍ଵରେ ଭାରତ ସ୍ବାଧିନତା ହେଲା।ଅଖଣ୍ଡ ଭାରତ ପାଇଁ ତାଙ୍କର ସ୍ବପ୍ନ ଥିଲା।ଅହିଂସା ମାଧ୍ୟମରେ ସେ ସତ୍ୟର ସନ୍ଧାନ କରିଥିଲେ।ସମଗ୍ର ବିଶ୍ବ ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ଓ ଦର୍ଶନରେ ପ୍ରଭାବିତ ହୋଇଛି।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଆଦର୍ଶ ଓ ଅହିଂସା ନୀତି ସମ୍ପର୍କରେ କହିଥିଲେ।ଅହିଂସାର ରାସ୍ତା ପ୍ରଶସ୍ତ।ଅହିଂସାର ମାର୍ଗ ଗ୍ରହଣ କରିବା ଓ ଭାଇଚାରା ରଖିବାକୁ ସେ କହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସର୍ବଧର୍ମ ପ୍ରାର୍ଥନା ହୋଇଥିଲା।ଶ୍ରୀ ସନାତନ ମିଶ୍ର ଗୀତ ପାଠ କରିଥିଲେ।ମୌଲବୀ କଲିବୁଦିନ୍ ସାହା କୋରାନ ପାଠ ଓ ଶ୍ରୀ ସିମୀୟ କୁମାର ଦାସ ବାଇବେଲ ପାଠ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ସ୍ବାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଖୋର୍ଦ୍ଧା ପୌରାଞ୍ଚଳ ପ୍ରାତଃ ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମ୍ ଧୂନ୍ ପ୍ରଚାର କରାଯାଇଥିଲା।ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଶିକ୍ଷାବିତ୍,ମାନ୍ୟଗଣ୍ୟ ବ୍ୟକ୍ତି,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।
ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ,ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅଧ୍ୟାପକ ସୁବୋଧ କୁମାର ଜଗଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )